ଓଡିଶା

ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା: ପରୀକ୍ଷକଙ୍କ ଦସ୍ତଖତ ନ ଥିଲେ ଫଳ ସ୍ଥଗିତ

ଭୁବନେଶ୍ବର: ଯୁକ୍ତ୨ ଇଣ୍ଟର୍ନାଲ ଓ ପ୍ରାକ୍ଟିକାଲ୍ ପରୀକ୍ଷାରେ ସ୍ବଚ୍ଛତା ଆଣିବା ଦିଗରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପଦକ୍ଷେପ ନେଇଛି। ପରୀକ୍ଷା ସରିବା କ୍ଷଣି ଉଚ୍ଚମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ସାମ୍ସ ପୋର୍ଟାଲରେ ମାର୍କ ଦାଖଲ କରିବେ। ମାର୍କ ପ୍ରଦାନରେ ଯେପରି କୌଣସି ପ୍ରକାର ତ୍ରୁଟି ନ ହୁଏ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି।

ପ୍ରାକ୍ଟିକାଲ୍ ପରୀକ୍ଷାର ଉତ୍ତରଖାତା ଓ ମାର୍କ ଫୁଏଲ୍ରେ ଉଭୟ ଇଣ୍ଟରନାଲ୍ ଓ ଏକ୍ସଟରନାଲ୍ ପରୀକ୍ଷକଙ୍କ ଦସ୍ତଖତ ରହିବା ବାଧ୍ୟତାମୂଳକ। ନ ହେଲେ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ସ୍ଥଗିତ ରଖାଯିବ ଏବଂ ଏଥିପାଇଁ କେନ୍ଦ୍ର ସୁପରିନ୍ଟେଣ୍ଡେଣ୍ଟ ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବେ। ଜାନୁଆରି ୨ରୁ ୧୨ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଜାନୁଆରି ୨୭ରୁ ଫେବ୍ରୁଆରି ୪ ମଧ୍ୟରେ ଜିଲ୍ଲା ଅନୁଯାୟୀ କଲେଜଗୁଡ଼ିକ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ମାର୍କ ପରିଷଦ ନିକଟରେ ଦାଖଲ କରିବେ। ଧାର୍ଯ୍ୟ ସମୟ ପରେ ଆସିଥିବା ପ୍ରାକ୍ଟିକାଲ ରେକର୍ଡଗୁଡ଼ିକୁ ଗ୍ରହଣ କରାଯିବ ନାହିଁ ବୋଲି ସିଏଚ୍ଏସ୍ଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଅନ୍ଲାଇନ୍ରେ ଦାଖଲ ହେବ ପରୀକ୍ଷାର୍ଥୀଙ୍କ ମାର୍କ
ସବୁ ପରୀକ୍ଷାକେନ୍ଦ୍ରରେ ଲାଗିଲା ସିସିଟିଭି
ଫର୍ମ ପୂରଣ କଲେଣି ୩ ଲକ୍ଷ ୯୦ ହଜାର

ପ୍ରାକ୍ଟିକାଲ ପରୀକ୍ଷା ପୂର୍ବରୁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭିକୁ ସୁନିଶ୍ଚିତ କରାଯାଇଛି। ନୂଆ କରି ପରୀକ୍ଷା କେନ୍ଦ୍ର ହୋଇଥିବା ୧୧୦ଟି ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ମଧ୍ୟରୁ ୩ଟି କେନ୍ଦ୍ରରେ ସିସିଟିଭି ଲାଗି ନ ଥିବା ବେଳେ ଅନ୍ୟ ସମସ୍ତ କେନ୍ଦ୍ରରେ ସିସିଟିଭି ଲାଗିଥିବା ସୂଚନା ମିଳିଛି। ୬୦୦ ଟଙ୍କା ଜରିମାନା ସହ ଚାଲିଥିବା ଫର୍ମ ପୂରଣ ପ୍ରକ୍ରିୟା ୧୮ ତାରିଖରେ ଶେଷ ହେଉଛି। ତା’ପୂର୍ବରୁ ୩ ଲକ୍ଷ ୯୦ ହଜାର ଛାତ୍ରଛାତ୍ରୀ ଫର୍ମ ପୂରଣ କରି ସାରିଛନ୍ତି। ପରୀକ୍ଷା ସମେତ ମୂଲ୍ୟାୟନ, ମାର୍କ ଫୁଏଲ୍ରେ ମାର୍କ ଚଢ଼ାଇବା, ଉତ୍ତର ଖାତା ସଂଗ୍ରହ, ପରୀକ୍ଷକଙ୍କ ରିପୋର୍ଟ, ଉତ୍ତର ଖାତା ପ୍ୟାକେଟ୍ ସିଲ୍ ପରି ବିଭିନ୍ନ କାର୍ଯ୍ୟକ୍ରମ ସିସିଟିଭି ନଜରରେ ଅନୁଷ୍ଠିତ ହେବ। ସେଲ୍ଫ ଫାଇନାନ୍ସିଂ ବିଦ୍ୟାଳୟଗୁଡ଼ିକ ସିସିଟିଭି ଫୁଟେଜ୍ର ସିଡି/ଡିଭିଡି ପରୀକ୍ଷା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟରେ ଦାଖଲ କରିବେ।

ପରୀକ୍ଷା ନିୟନ୍ତ୍ରକଙ୍କ ବିନା ଅନୁମତିରେ ସିଏଚ୍ଏସ୍ଇ ଦ୍ବାରା ନିଯୁକ୍ତ ହୋଇଥିବା ଏକ୍ସଟରନାଲ୍ ପରୀକ୍ଷକଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ପରିବର୍ତ୍ତନ କରିପାରିବେ ନାହିଁ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଏକ୍ସଟରନାଲ ପରୀକ୍ଷକଙ୍କୁ ଦୁଇ ଦିନ ପୂର୍ବରୁ ତାରିଖ, ଆଲର୍ଟ ହୋଇଥିବା ଗ୍ରୁପ୍ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଅବଗତ କରାଇବେ। ଯଦି ଏକ୍ସଟରନାଲ ପରୀକ୍ଷକ ଅନୁପସ୍ଥିତ ରହୁଛନ୍ତି ତାହା ହେଲେ ବିଦ୍ୟାଳୟ ଅଧ୍ୟକ୍ଷ ସେହି ଜିଲ୍ଲାର ୫୦ କିମି ଭିତରେ ଥିବା ଜଣେ ଅଧ୍ୟାପକଙ୍କୁ ନିଯୁକ୍ତ କରିପାରିବେ। ପରୀକ୍ଷା ନିୟନ୍ତ୍ରକଙ୍କ ଅନୁମତିରେ ହିଁ ତାହା ହେବ। ଧନ୍ଦାମୂଳକ ବିଷୟଗୁଡ଼ିକର ପ୍ରାକ୍ଟିକାଲ ପରୀକ୍ଷା ଓ ମୂଲ୍ୟାୟନ ଦିଗରେ ଓସେପା ପଦକ୍ଷେପ ନେବ।
ପ୍ରାକ୍ଟିକାଲ ପରୀକ୍ଷା ହେବାକୁ ଥିବା ଗୋଟିଏ ଗ୍ରୁପ୍ରେ ସର୍ବାଧିକ ୨୪ ଜଣ ପରୀକ୍ଷାର୍ଥୀ ରହିପାରିବେ। ପରୀକ୍ଷା ସୂଚୀ ଏଭଳି କରାଯିବା ଆବଶ୍ୟକ ଯେ ଗୋଟିଏ ଦିନରେ ଯେପରି ପରୀକ୍ଷାର୍ଥୀଙ୍କର ଦୁଇଟି ପ୍ରାକ୍ଟିକାଲ ବିଷୟର ପରୀକ୍ଷା ନ ପଡ଼େ। ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟାପ୍ତ ପାନୀୟ ଜଳ ସୁବିଧା ଓ ଫାଷ୍ଟ୍ ଏଡ୍ ଉପଲବ୍ଧ ହେବାର ଆବଶ୍ୟକ। ପ୍ରାକ୍ଟିକାଲ ହେବାକୁ ଥିବା ଲାବରେଟୋରିରେ ଭେଣ୍ଟିଲେଟେଡ୍ ସୁବିଧା, ପର୍ଯ୍ୟାପ୍ତ ଆଲୋକୀକରଣ, ସେଲ୍ଫ ଫାଇନାନ୍ସି ବିଦ୍ୟାଳୟଗୁଡ଼ିକରେ ସିସିଟିଭି କାର୍ଯ୍ୟକାରୀ ହେବା ବାଧ୍ୟତାମୂଳକ ଓ ଅଗ୍ନିକାଣ୍ଡ ଭଳି ସମସ୍ୟାର ମୁକାବିଲା ପାଇଁ ବ୍ୟବସ୍ଥା କରାଯାଉ। ପରୀକ୍ଷାର ୧୫ ମିନିଟ୍ ପୂର୍ବରୁ ବୈଧ ଆଡମିଟ୍ କାର୍ଡ ଥିବା ପରୀକ୍ଷାର୍ଥୀଙ୍କୁ ଲାବରେଟୋରି/ପରୀକ୍ଷା ରୁମ୍କୁ ପ୍ରବେଶ ଲାଗି ଅନୁମତି ମିଳିବ। ବିଳମ୍ବରେ ଆସିଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଆରମ୍ଭ ହେବାର ଅତିବେଶିରେ ୩୦ ମିନିଟ୍ ପର୍ଯ୍ୟନ୍ତ ପ୍ରବେଶ ଲାଗି ସୁଯୋଗ ଦିଆଯାଇପାରେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button