ଓଡିଶା

କାଳକୋଠରିରୁ ମୁକ୍ତି ପାଇଲେ ସିଲେଇ: ଜରିମାନା ଦେଇ ନପାରି ଜେଲ୍‌ରେ ଥିଲେ

କେନ୍ଦୁଝର: ଜରିମାନା ଦେଇ ନ ପାରି ଜେଲ୍‌ରେ ସଜା କାଟୁଥିବା ଜଣେ ବନ୍ଦୀଙ୍କୁ ସହାୟତାର ହାତ ବଢ଼ାଇଛି ବନବାସୀ କଲ୍ୟାଣ ଫାଉଣ୍ଡେସନ୍‌। ଜରିମାନା ବାବଦକୁ ଫାଉଣ୍ଡେସନ ପକ୍ଷରୁ ୧୦ ହଜାର ଟଙ୍କା ଜମା କରାଯିବା ପରେ ଆଜି ତାଙ୍କୁ କେନ୍ଦୁଝର ଜେଲ୍‌ରୁ ମୁକ୍ତ କରାଯାଇଛି। ମୁକ୍ତ ହୋଇଥିବା ବ୍ୟକ୍ତି ହେଲେ ସିଲେଇ ମୁଣ୍ଡା (୫୨)। ତାଙ୍କ ଘର କେନ୍ଦୁଝର ସଦର ବ୍ଲକ୍‌ ଅନ୍ତର୍ଗତ ଆମୁଣି ଗ୍ରାମର ମୁଣ୍ଡାସାହିରେ। ସେ ଏକ ମାମଲାରେ ଗିରଫ ହୋଇ ଦଣ୍ଡିତ ହୋଇଥିଲେ। କୋର୍ଟ ତାଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଥିଲେ। ଜରିମାନା ଅନାଦାୟ ଆଉ ୬ ମାସ ଅଧିକ ଜେଲ୍‌ ଦଣ୍ଡ ପାଇଁ କୋର୍ଟ ରାୟ ଦେଇଥିଲେ। ୧୦ ବର୍ଷ ଜେଲ୍‌ ଦଣ୍ଡ ଭୋଗିବା ପରେ ମଧ୍ୟ ସେ ଜରିମାନା ଦେଇ ନ ପାରି ସଜା କାଟୁଥିଲେ। ଏ ସମ୍ପର୍କରେ ସୂଚନା ପାଇବା ପରେ ବନବାସୀ କଲ୍ୟାଣ ଫାଉଣ୍ଡେସନ୍‌ ପକ୍ଷରୁ ଜରିମାନା ବାବଦକୁ ୧୦ ହଜାର ଟଙ୍କା କୋର୍ଟରେ ଜମା କରାଯାଇଥିଲା ବୋଲି ବନବାସୀ କଲ୍ୟାଣ ଫାଉଣ୍ଡେସନର ଓଡ଼ିଶା ଅଧ୍ୟକ୍ଷ ଇଂ.ବସନ୍ତ କୁମାର ଦାନୀ ସୂଚନା ଦେଇଛନ୍ତି। ଜେଲ୍‌ରୁ ମୁକ୍ତ ହେବା ପରେ ଫାଉଣ୍ଡେସନ୍‌ ପକ୍ଷରୁ ସିଲେଇଙ୍କୁ ଥଇଥାନ କରାଯିବ ବୋଲି ସେ କହିଛନ୍ତି।

ଓଡ଼ିଶାର ବିଭିନ୍ନ ଜେଲ୍‌ରେ ଛୋଟମୋଟ ମାମଲାରେ ସମ୍ପୃକ୍ତ ଥିବା ବହୁ ବନ୍ଦୀ ରହିଛନ୍ତି। ସେମାନଙ୍କୁ ମଧ୍ୟ ମୁକ୍ତ କରିବା ପାଇଁ ସହଯୋଗର ହାତ ବଢ଼ାଯିବ ବୋଲି ଫାଉଣ୍ଡେସନ୍‌ର ଉପଦେଷ୍ଟା ଅବସରପ୍ରାପ୍ତ ଜେଲ୍‌ ଡିଆଇଜି ଅମିୟ ପଟ୍ଟନାୟକ କହିଛନ୍ତି। ଜେଲ୍‌ରୁ ମୁକ୍ତ ହେବା ସମୟରେ ଫାଉଣ୍ଡେସନ୍‌ର ସଦସ୍ୟ ରମେଶ ବେହେରା, ଭାବଗ୍ରାହୀ ମିଶ୍ର, ବିଶ୍ୱହିନ୍ଦୁ ପରିଷଦର କେଦାର ଦାଶ, ସୁବ୍ରତ ମହାନ୍ତି, ରଞ୍ଜନ ସାହୁ ଉପସ୍ଥିତ ଥିଲେ। ସିଲେଇ ମୁଣ୍ଡା ଜଣେ ଗରିବ, ବାସହୀନ ହୋଇଥିବାରୁ ପ୍ରଶାସନ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇଦେବାକୁ ଫାଉଣ୍ଡେସନ୍‌ ପକ୍ଷରୁ ଅନୁରୋଧ କରାଯିବ ବୋଲି ଶ୍ରୀ ଦାନୀ ସୂଚନା ଦେଇଛନ୍ତି।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button