ଓଡିଶା

୭ ଠିକାଦାରଙ୍କ ଘରେ ଆୟକର ଚଢ଼ଉ ମାମଲା: ପୁଣି ଅଢ଼େଇ କୋଟି ଟଙ୍କା, ୧ କେଜି ସୁନା ଜବତ, ଜମିକିଣାରେ ଲାଗିଛି କଳାଟଙ୍କା

ଭୁବନେଶ୍ବର: ୧୭ ତାରିଖରୁ ଏକକାଳୀନ ୭ଜଣ ସିଭିଲ୍‌ କଣ୍ଟ୍ରାକ୍ଟର୍‌ଙ୍କ ଘରେ ଓ କାର୍ଯ୍ୟାଳୟରେ ଚାଲିଛି ଆୟକର ବିଭାଗର ଚଢ଼ଉ। ମୋଟ୍‌ ୪୫ ଜାଗାରେ ଏହି ଚଢ଼ଉ ଚାଲିଛି। ଆଜି ତୃତୀୟ ଦିନରେ ଆୟକର ବିଭାଗ ସ୍କ୍ବାଡ୍‌ କିଛି ଠିକାଦାରଙ୍କ ନିକଟରୁ ପ୍ରାୟ ୨.୫ କୋଟି ଟଙ୍କା ଓ ୧ କେଜି ୧୦୦ ଗ୍ରାମ୍‌ ସୁନା ଜବତ କରିଛି। ପ୍ରଥମ ଦିନ କୋଟିଏ ୭୦ ଲକ୍ଷ ଟଙ୍କା ଓ କିଛି ସୁନା ଜବତ ହୋଇଥିଲା। ବଡ଼ କଥା ହେଉଛି, କିଛି ଠିକାଦାର ସେମାନଙ୍କ କଳାଧନକୁ ଜମି କିଣାରେ ବିନିଯୋଗ କରିଛନ୍ତି। କଳାଟଙ୍କାକୁ ଧଳା କରିବା ପାଇଁ ଜମିକିଣା ଏକ ସୁନ୍ଦର ମାଧ୍ୟମ। ତେଣୁ ଏହି ଠିକାଦାରମାନେ ଆୟକର ଫାଙ୍କିରୁ ଆୟ କରିଥିବା କୋଟିକୋଟି ଟଙ୍କାକୁ ଜମି କିଣାରେ ଲଗାଇଥିବା ତଥ୍ୟ ଆୟକର ବିଭାଗ ହାତରେ ଲାଗିଛି।

ଆୟକର ବିଭାଗର ସୂଚନାନୁସାରେ ଚଢ଼ଉ ବେଳେ ଠିକାଦାରମାନଙ୍କ ନିକଟରୁ ଜମି କିଣା ସଂକ୍ରାନ୍ତରେ ବହୁ ଦଲିଲ ମିଳିଛି। ସାଧାରଣତଃ ଜମି କିଣାବିକା ବେଳେ ସରକାରୀ ଦର ଓ ବଜାର ଦର ମଧ୍ୟରେ ବହୁ ଫରକ ଥାଏ। ବଜାର ଦର ସବୁବେଳେ ସରକାରୀ ଦରଠାରୁ ଅଧିକ ଥାଏ। ସରକାରୀ ଦର ଅନୁସାରେ ଦଲିଲ ପ୍ରସ୍ତୁତ କରାଯାଏ ସିନା ବଜାର ଦର ଅନୁସାରେ କ୍ରେତାକୁ ମୂଲ୍ୟ ଦେବାକୁ ପଡ଼େ। ବର୍ଦ୍ଧିତ ବଜାର ଦର ଅନୁସା‌ରେ କ୍ରେତାକୁ ନଗଦ କ୍ୟାସ୍‌ ଦିଆଯାଏ। ତେଣୁ ସହଜରେ କଳାଟଙ୍କା ଧଳା ହୋଇଯାଏ। ତେଣୁ ଏହି ଗଳାବାଟରେ ଠିକାଦାରମାନେ ସେମାନଙ୍କ କଳାଟଙ୍କାକୁ ବିନିଯୋଗ କରିଥିବା ଜଣାପଡ଼ିଛି। କେଉଁ ଠିକାଦାର କେତେ ଜମି କିଣଇଛନ୍ତି, କେତେ କଳାଟଙ୍କାକୁ ଧଳା କରିଛନ୍ତି, ସେନେଇ ଆୟକର ବିଭାଗ ଖୋଳତାଡ଼ କରୁଛି।

ଚଢ଼ଉ ଜାରି ରହିଥିବାରୁ ଏନେଇ ସବିଶେଷ ତଥ୍ୟ ଦିଆଯାଇନାହିଁ। ସୂଚନାଯୋଗ୍ୟ ଯେ, ୧୭ ତାରିଖ ଦିନ ଆୟକର ବିଭାଗ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଉପସ୍ଥିତିରେ ୭ଜଣ ସିଭିଲ୍‌ କଣ୍ଟ୍ରାକ୍ଟର୍‌ଙ୍କ ୪୫ ଜାଗାରେ ଏକକାଳୀନ ଚଢ଼ଉ କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସ, ରାହୁଲ ମିଶ୍ର, ଲାଲ୍‌ମୋହନ ପଣ୍ଡା, ସନ୍ତୋଷ ମିଶ୍ର, ଜଗଦୀପ୍‌ ବଂଶଲ, ସଞ୍ଜୟ ଅଗ୍ରୱାଲ୍‌ ଓ ତାଙ୍କ ଭାଇ କହ୍ନେୟା ଅଗ୍ରୱାଲ୍‌। ବ୍ରଜକିଶୋରଙ୍କ ସମ୍ବଲପୁରସ୍ଥିତ ଘରେ ଓ କାର୍ଯ୍ୟାଳୟ ହୋଇଥିବା ଚଢ଼ଉକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ରାସ୍ତା, ବ୍ରିଜ୍‌, ଜାତୀୟ ରାଜପଥ ଓ ରେଳବାଇ କାମ କରିଥିବା ଏହି ଠିକାଦାରମାନେ ଆୟକର ଫାଙ୍କିଥିବା ଅଭିଯୋଗରେ ଚଢ଼ଉ ଜାରି ରହିଛି। ଭୁବନେଶ୍ବର, ସମ୍ବଲପୁର, ବଲାଙ୍ଗୀର, କଣ୍ଟାବାଞ୍ଜି, ବୌଦ୍ଧ, ସୋନପୁର, ରାୟପୁର ଓ ଝାରସୁଗୁଡ଼ାରେ ଚଢ଼ଉ ଜାରି ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button