ଓଡିଶା

ଜାଲ୍‌ ବ୍ୟାଙ୍କ ଗ୍ୟାରେଣ୍ଟି ଦେଇ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ଠକେଇ: ୩.୨୮କୋଟି ଠକି ନେଲା ହାଇଦ୍ରାବାଦ ଠିକାସଂସ୍ଥା

ଜଗତସିଂହପୁର: ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ୩ କୋଟି ୨୮ ଲକ୍ଷ ଟଙ୍କା ଠକି ନେଇଛି ହାଇଦ୍ରାବାଦର ଏକ ଠିକା ସଂସ୍ଥା। ଜାଲ୍ ବ୍ୟାଙ୍କ ଗ୍ୟାରେଣ୍ଟି ଦେଇ ସଂସ୍ଥା ଏଭଳି ଠକେଇ କରିଥିବା ବେଳେ ମାମଲା ଏବେ ଇଓଡବ୍ଲ୍ୟୁରେ ପହଞ୍ଚିଛି। ଅନ୍ୟପଟେ ସଂପୃକ୍ତ ସଂସ୍ଥାକୁ କଳା ତାଲିକାଭୁକ୍ତ କରିବା ପାଇଁ ସୁପାରିସ କରାଯାଇଛି।

ସୂଚନା ଅନୁଯାୟୀ ପାରାଦୀପର ନୂଆବଜାର ଠାରେ କର୍ମଚାରୀଙ୍କ ଲାଗି କ୍ବାର୍ଟର୍ସ ନିର୍ମାଣ କାମ ପାଇଁ ଟେଣ୍ଡର ପାଇଥିବା ହାଇଦ୍ରାବାଦସ୍ଥିତ ଡିଏନ୍‌ସି ଇନଫ୍ରାଷ୍ଟ୍ରକ୍‌ଚର ପ୍ରାଇଭେଟ୍ ଲିମିଟେଡ୍ ଜାଲ୍‌ ବ୍ୟାଙ୍କ ଗ୍ୟାରେଣ୍ଟି ଦେଇଥି‌ଲା। କିନ୍ତୁ ଠକେଇ ସମ୍ପର୍କରେ ବନ୍ଦର କର୍ତ୍ତୃପକ୍ଷଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଜନ(ଆର ଏଣ୍ଡ ବି ଡିଭିଜନ) ଅବଗତ ହେବା ପରେ ପ୍ରଥମେ ପାରାଦୀପ ଆଦର୍ଶ ଥାନା ଓ ପରେ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ (ଅର୍ଥନୈତିକ ଅପରାଧ ଶାଖା)ରେ ଅଭିଯୋଗ କରିଛି। ଡିଏନ୍‌ସି ଇନଫ୍ରାଷ୍ଟ୍ରକ୍‌ଚର ଠାରୁ ଠିକା ନେଇ କାମ କରୁଥିବା ଦୁଇ ଠିକା ସଂସ୍ଥା ମଧ୍ୟ ଠକେଇର ଶିକାର ହୋଇଛନ୍ତି।

ଜାଲ୍‌ ବ୍ୟାଙ୍କ ଗ୍ୟାରେଣ୍ଟି ଦେଇ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ଠକେଇ
ଇଓଡବ୍ଲ୍ୟୁରେ ଅଭିଯୋଗ, କଳା ତାଲିକାଭୁକ୍ତ ପାଇଁ ସୁପାରିସ

ଅଭିଯୋଗରୁ ଜଣାପଡ଼ିଛି, ନୂତନ କ୍ବାର୍ଟର୍ସ ନିର୍ମାଣ ଲାଗି ୨୦୨୩ରେ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହାଇଦ୍ରାବାଦର ଡିଏନ୍‌ସି ଇନଫ୍ରାଷ୍ଟ୍ରକ୍‌ଚର ପ୍ରାଇଭେଟ୍‌ ଲିମିଟେଡ୍ ସର୍ବନିମ୍ନ ବିଡର୍‌ ହୋଇଥିବାରୁ କାମ କରିବା ଲାଗି ଟେଣ୍ଡର ପାଇଥିଲା। ଏହି ସଂସ୍ଥା ଆଇଏସ୍‌ଡି (ଇନିସିଆଲ ସିକ୍ୟୁରିଟି ଡିପୋଜିଟ୍) ଓ ପିଏସ୍‌ଡି(ଫର୍ଫମାନ୍ସ ସିକ୍ୟୁରିଟି ଡିପୋଜିଟ୍) ବାବଦରେ ପର୍ଯ୍ୟାୟକ୍ରମେ ୬୫ ଲକ୍ଷ ୭୬ ହଜାର ୯୨ ଟଙ୍କା ଓ ୧ କୋଟି ୯୭ ଲକ୍ଷ ୨୮ ହଜାର ୨୭୭ ଟଙ୍କା ଦାଖଲ କରିଥିଲା। କୋଲକାତାର ଶ୍ୟାମ ବଜାରସ୍ଥିତ ଇଣ୍ଡିଆନ୍‌ ବ୍ୟାଙ୍କରୁ ଏହି ବ୍ୟାଙ୍କ ଗ୍ୟାରେଣ୍ଟି ଦିଆଯାଇଥିଲା। ଇ-ମେଲ୍ ଯୋଗେ ଆର୍‌ ଏଣ୍ଡ ବି ବିଭାଗ ପକ୍ଷରୁ ସମ୍ପୃକ୍ତ ବ୍ୟାଙ୍କକୁ ବ୍ୟାଙ୍କ ଗ୍ୟାରେଣ୍ଟି ସତ୍ୟାସତ୍ୟ ଯାଞ୍ଚ ପାଇଁ ଚିଠି ପଠା ଯାଇଥିଲା। ବ୍ୟାଙ୍କ ଗ୍ୟାରେଣ୍ଟି ଠିକ୍ ଅଛି ବୋଲି ଇ-ମେଲ୍ ଯୋଗେ ଉତ୍ତର ଆସିଥିଲା। ଏହାପରେ ୨୦୨୪ ଜୁନ୍ ୭ ତାରିଖରେ ଡିଏନ୍‌ସି ଇନ୍‌ଫ୍ରାଷ୍ଟ୍ରକ୍‌ଚରକୁ ଵାର୍କ ଅର୍ଡର ପ୍ରଦାନ କରାଯାଇଥିଲା। ସେହିପରି ଡିଏନ୍‌ସି ଠିକା ସଂସ୍ଥା ପକ୍ଷରୁ ଚୁକ୍ତିନାମା ମୂଲ୍ୟର ୧୦ ପ୍ରତିଶତ ହିସାବରେ ୭ କୋଟି ୨୩ ଲକ୍ଷ ୩୮ ହଜାର ଟଙ୍କା ବ୍ୟାଙ୍କ ଗ୍ୟାରେଣ୍ଟି ଦାଖଲ କରାଯାଇଥିଲା।

ଏହି ବ୍ୟାଙ୍କ ଗ୍ୟାରେଣ୍ଟି ମଧ୍ୟ ସେହି କୋଲକାତା ଶ୍ୟାମ ବଜାରସ୍ଥିତ ଇଣ୍ଡିଆନ୍‌ ବ୍ୟାଙ୍କରୁ ହୋଇଥିଲା। ଏହା ପରେ ସମ୍ପୃକ୍ତ ଡିଏନ୍‌ସି ଠିକା ସଂସ୍ଥାକୁ ମୋବିଲାଇଜେସନ୍ ଅଗ୍ରୀମ ବାବଦରେ ୩ କୋଟି ୨୮ ଲକ୍ଷ ୮୦ ହଜାର ୪୬୨ ଟଙ୍କା ଡିଏନ୍‌ସି ଇନଫ୍ରାଷ୍ଟ୍ରକଚର କମ୍ପାନିର ହାଇଦ୍ରାବାଦ ଜୁବୁଲି ହିଲ୍‌ସସ୍ଥିତ ବ୍ୟାଙ୍କ ଅଫ୍‌ ବରୋଦାରେ ଥିବା ବ୍ୟାଙ୍କ ଆକାଉଣ୍ଟକୁ ପଠା ଯାଇଥିଲା। କାମ ଯେତେବେଳ ବନ୍ଦ ହେଲା ଆର ଏଣ୍ଡ ବି କର୍ତ୍ତୃପକ୍ଷ ଯାଞ୍ଚ ଆରମ୍ଭ କରିଥିଲେ। ପାରାଦୀପସ୍ଥିତ ଇଣ୍ଡିଆନ୍‌ ବ୍ୟାଙ୍କ ଜରିଆରେ ଯେତେବେଳେ ଡିଏନ୍‌ସି ଠିକା ସଂସ୍ଥାର ବ୍ୟାଙ୍କ ଗ୍ୟାରେଣ୍ଟି ଯାଞ୍ଚ କରାଗଲା ସେତେବେଳେ ସେ ସବୁ ଜାଲ୍ ବୋଲି ଜଣାପଡ଼ିଥିଲା। ଏପରିକି ଡିଏନ୍‌ସି ସଂସ୍ଥା ଠକେଇ କରିବା ପାଇଁ ଜାଲ୍ ଇ-ମେଲ୍ ଆଇଡି ତିଆରି କରିଥିଲା ବୋଲି ସନ୍ଦେହ କରାଯାଉଛି। ସେହିପରି ଡିଏନ୍‌ସି ଠାରୁ କାମ ନେଇ ନିର୍ମାଣ କାର୍ଯ୍ୟ କରୁଥିବା ବି.ଏନ୍. କନ୍‌ଷ୍ଟ୍ରକସନ୍ ଓ ସୁଶେନ କୁମାର ମଣ୍ଡଳ ମଧ୍ୟ ଠକାମିର ଶିକାର ହୋଇଥିବା ଜଣାପଡ଼ିଛି। ସେମାନେ ମଧ୍ୟ ଇଓଡବ୍ଲ୍ୟୁର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ଇଓଡବ୍ଲ୍ୟୁ ପକ୍ଷରୁ ଏ ସଂକ୍ରାନ୍ତରେ ପ୍ରାଥମିକ ଛାନ୍‌ଭିନ୍‌ ଆରମ୍ଭ ହୋଇଛି।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button