ଓଡିଶା

କଟକ ଚୌଦ୍ୱାରର ପ୍ରାଚୀନ କିର୍ତ୍ତୀ ଉତ୍ତରେଶ୍ଵର ମନ୍ଦିର

କଟକ ମହାନଗର ନିକଟ ଚୌଦ୍ୱାର ସହରରେ ଥିବା କେତେଗୁଡିଏ ପ୍ରାଚୀନ କିର୍ତ୍ତୀରାଜି ମଧ୍ୟରେ ଉତ୍ତରେଶ୍ଵର ମନ୍ଦିର ହେଉଛି ଅନ୍ୟତମ lଏକାଦଶ ଶତାବ୍ଦୀରେ କଟକ ଓ ଚୌଦ୍ୱାରରେ ଶାସନ କରୁ ଥିବା ସୋମବଂଶୀ ଶାସକ ବା କେଶରୀ ରାଜା ମାନଙ୍କ ଦ୍ୱାରା ନିର୍ମିତ ଏହି ପୂର୍ବମୁଖ ଶିବ ମନ୍ଦିରଟି ମାଙ୍କଡ଼ା ପଥରରେ ନିର୍ମିତ l

ଏହି ଶିବ ମନ୍ଦିରଟିକୁ ସୋମବଂଶୀ ଶାସକ ଉଦ୍ୟୋତ କେଶରୀ ନିର୍ମାଣ କରିଥିବା ଜଣାଯାଏ l ମନ୍ଦିରର ବିମାନକୁ ଲାଗି ଜଗମୋହନ ଓ ଜଗ- ମୋହନକୁ ଲାଗି ପ୍ରବେଶ ଦ୍ୱାର ରହିଛି l ବିମାନ, ଜଗମୋହନ ଓ ପ୍ରବେଶଦ୍ୱାର ପରସ୍ପର ସହ ଲଗା ଲଗି ହୋଇ ରହିଛି l ମନ୍ଦିର ପ୍ରବେଶ ପଥ ସମ୍ମୁଖ ରେ ଏକ ବିରାଟ ନନ୍ଦୀମୂର୍ତ୍ତି ବା ବୃଷବମୂର୍ତ୍ତି ରହିଛି, ଯାହାକି ନିଆଳି ନିକଟ ଶୋଭନେଶ୍ୱର ମନ୍ଦିର ପରିସରରେ ସ୍ଥାପିତ ହୋଇ ଥିବା ଵୃଷବମୂର୍ତ୍ତି ପରି ବୃହତ ତଥା ଏକ ଆଧୁନିକ ନିର୍ମାଣ ଅଟେ lମନ୍ଦିର ପ୍ରବେଶ ପଥର ବାମ ପାର୍ଶ୍ୱରେ ଏକକ୍ଷୁଦ୍ର ଜଳାଶୟ ରହିଛି, ଯାହାର ଚତୁଃପାର୍ଶ୍ଵ ମାଙ୍କଡ଼ା ପଥରର ପରି ବେଷ୍ଠନୀରେ ଆବଦ୍ଧ ଅଟେ l ପାର୍ଶ୍ୱ ଦେବ- ଦେବୀ ଭାବେ ଗଣେଶ, କାର୍ତ୍ତିକେୟ ଓ ପାର୍ବତୀଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଥିବାବେଳେ ଗର୍ଭଗୃହରେ କଳା ମୁଗୁନି ପଥରରେ ନିର୍ମିତ ଶିବ ଲିଙ୍ଗ ଏକ ବୃତ୍ତା କାର ଯୋନି ପୀଠରେ ପ୍ରତିଷ୍ଠିତ l ମନ୍ଦିର ଚତୁଃପାର୍ଶ୍ୱ ମଧ୍ୟ ମାଙ୍କଡ଼ା ପଥରର ପ୍ରାଚେରୀ ଦ୍ୱାରା ଆବଦ୍ଧ l

କିମ୍ବଦନ୍ତୀ ଦୃଷ୍ଟିକୋଣରୁ ଦେଖିବାକୁଗଲେ ଏହି ମନ୍ଦିରର ନିର୍ମାଣ ସମୟ ମହାଭାରତ ଯୁଗୀୟ ଅଟେ l କୁହାଯାଏ ଏହି ଅଞ୍ଚଳଟି ବିରାଟ ରାଜାଙ୍କ ରାଜଧାନୀ ଥିଲା ଏବଂ ସେ ତାଙ୍କ ରାଜଧାନୀର ଚତୁଃପାର୍ଶ୍ୱରେ ଆଠ ଗୋଟି ଶିବ ଲିଙ୍ଗ ପ୍ରତିଷ୍ଠା କରିଥିଲେ ଏବଂ ସେହି ଆଠ ଗୋଟି ଶିବ ଲିଙ୍ଗ ମଧ୍ୟରୁ ଏହି ଉତ୍ତରେଶ୍ଵର ମହାଦେବ ହେଉଛନ୍ତି ଅନ୍ୟତମ ଯାହାକି ତାଙ୍କ ଝିଅ ଉତ୍ତରାଙ୍କ ନାମାନୁସାରେ ନାମିତ ହୋଇଛି l

ଏହି ମନ୍ଦିର ଠାରୁ ଅନତି ଦୂରରେ, ବର୍ତ୍ତମାନର ଚୌଦ୍ୱାର ଜେଲ ପରିସରକୁ ଲାଗିକରି ଏକ ରାଜ- ବାଟୀ ବା ଦୁର୍ଗର ଭଗ୍ନାବଶେଷ ରହିଛି; ଯାହାକି “ବିରାଟ ଗାଦି” ନାମରେ ଜନମୁଖରେ ପରିଚିତ l ଏହି ଐତିହାସିକ ଅଞ୍ଚଳଟି ଭାରତୀୟ ପତ୍ନତତ୍ତ୍ୱ ବିଭାଗ ଦ୍ୱାରା ସରକ୍ଷିତ lକୁହାଯାଏ ସେହି ସମୟ ରେ ପାଣ୍ଡବମାନେ କିଛିଦିନ ପାଇଁ ବିରାଟ ରାଜାଙ୍କ ମହଲରେ ଅଜ୍ଞାତବାସ କାଳୀନ ଅବସ୍ଥାନ କରି ଥିଲେ ଯାହାକି ମହାଭାରତରେ ବର୍ଣ୍ଣିତ ଓ ଲୋକ ମୁଖରେ ଆଲୋଚିତ l

ଚୌଦ୍ୱାର ଅଞ୍ଚଳର ଅଷ୍ଟ ଶମ୍ଭୁଙ୍କ ମଧ୍ୟରେ ସର୍ବ ପୁରାତନ ମନ୍ଦିର ହେଉଛି କେଦାରେଶ୍ୱର ବା ବୁଢ଼ାଲିଙ୍ଗ ଯାହାକି କଳାପାହାଡ଼ ଦ୍ୱାରା ଧ୍ୱସ୍ତ ଓ ବିଧ୍ୱସ୍ତ ମାତ୍ର ଭଗ୍ନାବଶେଷ ଏବେ ବି ରହିଛି ଏବଂ ଦ୍ଵିତୀୟ ସର୍ବ ପୁରାତନ ମନ୍ଦିର ହେଉଛି ଏହି ଉତ୍ତରେଶ୍ଵର ମହାଦେବ ମନ୍ଦିର l

ମନ୍ଦିର ପରିସରରେ ଅନେକ ଗୁଡ଼ିଏ ପ୍ରାଚୀନ ଭଗ୍ନ ମୂର୍ତ୍ତି ବିକ୍ଷିପ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳେ l ସୁଖର କଥା ହେଲା ପତ୍ନତତ୍ତ୍ୱ ବିଭାଗ ଦ୍ୱାରା ଅନେକ ଗୁଡ଼ିଏ ଉନ୍ନତି ମୂଳକ କାର୍ଯ୍ୟ ମନ୍ଦିରରେ ଜରାଯାଇଅଛି l ଏହି ମନ୍ଦିରରେ ସୁକ୍ଷ୍ମ କାରୁକାର୍ଯ୍ୟ ଦୃଷ୍ଟିଗୋଚର ନ ହେଲେ ବି ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତିରେ ନିଖୁଣତା ସ୍ପଷ୍ଟ ବାରି ହୋଇପଡ଼େ l
ମାତ୍ର ଦୁଃଖ ଓ ପରିତାପର କଥା ଏହିକିଯେ ମନ୍ଦିରକୁ ଦର୍ଶନ କରିବାକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କ ସଂଖ୍ୟା କିନ୍ତୁ ନଗଣ୍ୟ l ଉପଯୁକ୍ତ ପ୍ରଚାର ପ୍ରସାର ତଥା ଆନୁସଙ୍ଗିକ ସୁବିଧା ସୁଯୋଗର ଆବଶ୍ୟକତା ପୂରଣ ହୋଇ ପାରିଲେ ଏଠାକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଆନ୍ତା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button