ଚାକିରି ପାଇଁ ଜମି ଦୁର୍ନୀତି ମାମଲା: ଲାଲୁଙ୍କ ପରିବାରକୁ ବଡ଼ ଆଶ୍ୱସ୍ତି, ଲାଲୁ ଯାଦବ, ଜେତସ୍ୱୀ ଓ ତେଜପ୍ରତାପଙ୍କୁ କୋର୍ଟରୁ ଜାମିନ୍

ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରକୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରୁ ମିଳିଛି ବଡ଼ ଆଶ୍ୱସ୍ତି । କୋର୍ଟ ଏହି ମାମଲାରେ ଲାଲୁ ଯାଦବ, ତାଙ୍କ ପୁଅ ଜେତସ୍ୱୀ ଓ ତେଜପ୍ରତାପଙ୍କ ସମେତ ସମସ୍ତ ୯ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲାରେ ମୀସା ଭାରତୀଙ୍କୁ ପୂର୍ବରୁ ଜାମିନ ମିଳିସାରିଛି ।
ଅଭିଯୁକ୍ତମାନଙ୍କୁ ଜାମିନ ଦେଇ କୋର୍ଟ କହିଛନ୍ତି ଯେ ସେମାନଙ୍କୁ ଗିରଫ ନ କରି ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଏଥିପାଇଁ କୋର୍ଟ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ଦେଇଛନ୍ତି । ଶୁଣାଣି ସମୟରେ ଇଡି କୋର୍ଟଙ୍କୁ କହିଥିଲା ଯେ ରାବଡି ଦେବୀ, ହେମା ଯାଦବ ଓ ମୀସା ଭାରତୀଙ୍କୁ ଜାମିନ୍ ଦେବାର ପୂର୍ବ ନିର୍ଦ୍ଦେଶ ଭଳି ବର୍ତ୍ତମାନ ନିର୍ଦ୍ଦେଶ ଦିଆଯାଇ ପାରିବ । ଏହାପରେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ପାସ୍ପୋର୍ଟ ସରେଣ୍ଡର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏବେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୫ରେ ହେବ ।
ଲାଲୁ, ଜେତସ୍ୱୀ ଓ ତେଜପ୍ରତାପଙ୍କ ସମେତ ସମସ୍ତ ୯ ଜଣ ଅଭିଯୁକ୍ତଙ୍କୁ ୧-୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ଡରେ କୋର୍ଟ ଜାମିନ୍ ଦେଇଛନ୍ତି ।
ଇଡି ଚାର୍ଜସିଟ୍ରେ ତେଜପ୍ରତାପ ଯାଦବଙ୍କୁ ଅଭିଯୁକ୍ତ ଦର୍ଶାଇ ନ ଥିଲା । କିନ୍ତୁ କୋର୍ଟ ତେଜପ୍ରତାପଙ୍କୁ ସମନ ଜାରି କରି କହିଥିଲେ ଯେ ସେ ବି ଲାଲୁ ଯାଦବଙ୍କ ପରିବାରର ସଦସ୍ୟ । ଅର୍ଥ ହେର୍ଫେରରେ ତାଙ୍କ ଭୂମିକାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ ।
ଅଭିଯୋଗ ରହିଛି ଯେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଅନେକ ଲୋକ ଭାରତୀୟ ରେଳବାଇର ବିଭିନ୍ନ ଜୋନ୍ରେ ଗ୍ରୁପ୍ ଡି ପଦବୀରେ ନିଯୁକ୍ତ ହୋଇଥିଲେ । ଏହାର ପ୍ରତିବଦଳରେ ଏହି ଲୋକମାନେ ତତ୍କାଳୀନ ରେଳମନ୍ତ୍ରୀ ଲାଲୁ ଯାଦବଙ୍କ ପରିବାର ସଦସ୍ୟ ଏବଂ ସେମାନଙ୍କ ସହ ଜଡ଼ିତ କମ୍ପାନୀ ଏକେ ଇନ୍ଫୋସିଷ୍ଟମ୍ସ ପ୍ରାଇଭେଟ୍ ଲିମିଟେଡ୍କୁ ଜମି ହସ୍ତାନ୍ତର କରିଥିଲେ ।