ଦେଶ ବିଦେଶ

କାୟା ବିସ୍ତାର କରୁଛି ରହସ୍ୟମୟୀ ରୋଗ, ଦିନକୁ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ୭ହଜାରରୁ ଅଧିକ ଲୋକେ – Utkal Mail



ନୂଆଦିଲ୍ଲୀ: ଚୀନରେ ବ୍ୟାପିବାରେ ଲାଗିଛି ରହସ୍ୟମୟୀ ରୋଗ । ତେବେ ଏହି ନିମୋନିଆ ଭାରତ ସମେତ ସମଗ୍ର ବିଶ୍ୱକୁ ପୁଣିଥରେ ଚିନ୍ତାରେ ପକାଇଛି। ଚୀନରେ ହଠାତ୍ ଶ୍ୱାସ ଜନିତ ସମସ୍ୟା ବଢ଼ୁଥିବା ଦେଖିବା ପରେ ସମଗ୍ର ବିଶ୍ୱ ଆଶଙ୍କା ମଧ୍ୟରେ ରହିଛି। ବର୍ତ୍ତମାନ ଏହା ଦାବି କରାଯାଉଛି ଯେ ଏହା କରୋନା ଅପେକ୍ଷା ଏକ ବଡ଼ ମହାମାରୀ ଆଣିପାରେ। ଏଭଳି ପରିସ୍ଥିତିରେ ଚୀନରେ ଏହି ରହସ୍ୟମୟ ରୋଗ ବ୍ୟାପିବାର କାରଣ ଜଣା ପଡ଼ିନାହିଁ । ତେବେ ଏପରି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ- ପ୍ରକୃତରେ ଏହା କରୋନା ଅପେକ୍ଷା ଅଧିକ ବିପଜ୍ଜନକ କି?

ତେବେ ଏହି ରୋଗରେ ଶିଶୁ ମାନେ ଅଧିକ ମାତ୍ରାରେ ପୀଡିତ ହେଉଛନ୍ତି । ଏଥିରେ ପୀଡିତ ଶିଶୁ ମାନେ ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । କୁହାଯାଉଛି ଯେ ଏହି ରୋଗରେ ପୀଡିତ ଥିବା ଲୋକମାନଙ୍କ ମଧ୍ୟରୁ ଦିନକୁ ପ୍ରାୟତଃ ୭ହଜାର ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । କିନ୍ତୁ ଏଥିରେ ଭୟଭୀତ ହବାର ନାହିଁ ବୋଲି କହି ଚାଇନା ଏହାକୁ ଏଡାଇବାରେ ଲାଗିଛି ।

ଚୀନ୍‌ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଦେଶରେ ବଢୁଥିବା ଶ୍ଵାସକ୍ରିୟା ସମ୍ବନ୍ଧିତ ରୋଗର ବୃଦ୍ଧି ଫ୍ଲୁ ଏବଂ ଅନ୍ୟାନ୍ୟ ଜଣାଶୁଣା ରୋଗ ଦ୍ଵାରା ହୋଇଛି, ଏହା କୌଣସି ନୂତନ ଜୀବାଣୁ ନୁହେଁ । ଚାଇନା ବ୍ୟାପୁଥିବା ଶ୍ଵାସ ସମ୍ବନ୍ଧିୟ ରୋଗ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦୃଷ୍ଟି ଆକର୍ଷଣ କରିଛି । କରୋନା ପରେ ଚାଇନାରେ କୌଣସି ବି ରୋଗର ବୃଦ୍ଧି ବିଶ୍ଵକୁ ଭୟଭୀତ କରୁଛି । ୨୦୧୯ରେ, କୋଭିଡ୍ -୧୯ ମଧ୍ୟ ଏଠାରୁ ଆରମ୍ଭ ହୋଇ ସମଗ୍ର ବିଶ୍ୱରେ ବ୍ୟାପିଥିଲା । ପରେ ଏହା ଏକ ମହାମାରୀର ରୂପ ନେଇଥିଲା । ଏନେଇ ଜାତୀୟ ସ୍ୱାସ୍ଥ୍ୟ ଆୟୋଗର ମୁଖପାତ୍ର କହିଛନ୍ତି ଯେ, ଇନ୍‌ଫ୍ଲୁଏଞ୍ଜା ଜୀବାଣୁ, ରାଇନୋଭାଇରସ୍ କିମ୍ବା ଆରଏସଏଭି, ଆଡେନୋଭାଇରସ୍ ସହ ମାଇକୋପ୍ଲାଜମା ନିମୋନିଆ ଭଳି ସାଧାରଣ ଜୀବାଣୁଙ୍କ କାରଣରୁ ହୋଇଛି ।

ବର୍ତ୍ତମାନ ସ୍ୱାସ୍ଥ୍ୟ ଏଜେନ୍ସି ଚାଇନାକୁ ଏହି ରୋଗ, ଏହାର ସମ୍ବନ୍ଧୀୟ ମାମଲା ଏବଂ ଲକ୍ଷଣ ଉପରେ ତୀକ୍ଷ୍ଣ ନଜର ରଖିବାକୁ କହିଛି । ଏହା ବ୍ୟତୀତ WHO ଏହି ଜୀବାଣୁ ସହ ଜଡିତ କିଛି ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରିଛି । ଯେଉଁଥିରେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । WHO ଗାଇଡଲାଇନରେ ଲୋକଙ୍କୁ ନିଜ ଘର ତଥା ଏହାର ଆଖପାଖ ଅଞ୍ଚଳରେ ପରିଷ୍କାର ପରିଚ୍ଛନ୍ନତାର ଯତ୍ନ ନେବାକୁ କୁହାଯାଇଛି ।

ନିର୍ଦ୍ଦେଶାବଳୀ ଅନୁଯାୟୀ ଯଦି ଶରୀରରେ କୌଣସି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି । ଏହା ବ୍ୟତୀତ ସାମାଜିକ ଦୂରତା ବଜାୟ ରଖିବା ଏବଂ ମାସ୍କ ବ୍ୟବହାର କରିବାକୁ ମଧ୍ୟ କୁହାଯାଇଛି । ନିକଟରେ ଭାରତର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ ଏହି ରୋଗ ବିଷୟରେ ଉଲ୍ଲେଖ କରି କହିଛି ଯେ ଭାରତରେ ଏହି ଜୀବାଣୁ ବିସ୍ତାର ହେବାର ଆଶଙ୍କା ବହୁତ କମ୍ ଅଟେ ଏବଂ ଏନେଇ ଭାରତ ସମସ୍ତ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛି ।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button