କ୍ରୀଡା

ଏକକ ମ୍ୟାଚ୍‌ ଜିତିବାରେ ୱାରିଙ୍କା ବୟସ୍କ – Utkal Mail


ଅଲ୍‌କାରାଜ, ସାବାଲେଙ୍କା ଆଗେଇଲେ: ଭେନସ, ଗାର୍ସିଆ ବିଦା

ନ୍ୟୁୟର୍କ: ପୂର୍ବତନ ବିଜେତା ଷ୍ଟାନ ୱାରିଙ୍କା ବୁଧବାର ଚଳିତ ୟୁଏସ୍‌ ଓପନ୍‌ ପ୍ରଥମ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି। ଏଥିସହ ଏହି ୩୮ ବର୍ଷୀୟ ସ୍ବିଜରଲାଣ୍ଡ ଭେଟେରାନ ୟୁଏସ୍‌ ଓପନ୍‌ରେ ଏକକ ମ୍ୟାଚ୍‌ ଜିତିବାରେ ୧୯୯୨ ପରେ ବୟସ୍କ ପୁରୁଷ ଖେଳାଳି ହୋଇଛନ୍ତି। ଜିମି କନର୍ସ ୧୯୯୨ରେ ୪୦ ବର୍ଷ ବୟସରେ ୟୁଏସ୍‌ ଓପନ୍‌ରେ ଏକକ ମ୍ୟାଚ୍‌ ଜିତିଥିଲେ। ତାଙ୍କ ପରେ ୱାରିଙ୍କା ବୟସ୍କ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ୨୦୧୬ରେ ଏଠାରେ ଟ୍ରଫି ଜିତିଥିବା ୱାରିଙ୍କା ପ୍ରଥମ ରାଉଣ୍ଡ ମୁକାବିଲାରେ ଜାପାନର ୟୋସିହିତୋ ନିସିଓକାଙ୍କୁ ୭-୬, ୬-୨, ୬-୪ ସେଟ୍‌ରେ ପରାସ୍ତ କରିଥିଲେ। ଅନ୍ୟ ତାରକା ଖେଳାଳିଙ୍କ ମଧ୍ୟରେ ବିଶ୍ବର ଏକ ନମ୍ବର କାର୍ଲସ ଅଲ୍‌କାରାଜ ଗାର୍ଫିଆ, ଦ୍ବିତୀୟ ମାନ୍ୟତାପ୍ରାପ୍ତ ‌ଡାନିଲ ମେଦଭେଦେଭ, ଷଷ୍ଠ ମାନ୍ୟତାପ୍ରାପ୍ତ ଜାନିକ ସିନ୍ନର ଓ ୩ ଗ୍ରାଣ୍ଡ ସ୍ଲାମ ବିଜେତା ଆଣ୍ଡି ମରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଗତ ଥରର ବିଜେତା ଅଲ୍‌କାରାଜଙ୍କ ପ୍ରତିନ୍ଦ୍ବନ୍ଦ୍ବୀ ଜର୍ମାନିର ଡୋମିନିକି କୋଏଫର ୨-୬, ୨-୩ରେ ପଛୁଆ ଥିଲା ବେଳେ ଆହତ ଯୋଗୁଁ ଓହରି ଯାଇଥିଲେ। ଫଳରେ ଏହି ସ୍ପେନ୍‌ ଯୁବ ତାରକା ୱାକ୍‌ଓଭର ପାଇ ଦ୍ବିତୀୟ ରାଉଣ୍ଡ ସ୍ଥାନ ନିଶ୍ଚିତ କରିଥିଲେ। ରୁଷିଆର ମେଦଭେଦେଭ ୬-୧, ୬-୧, ୬-୦ ସେଟ୍‌ରେ ହଙ୍ଗେରିର ଅତିଲା ବାଲାସ୍‌ଙ୍କୁ, ଇଟାଲିର ସିନ୍ନର ୬-୩, ୬-୧, ୬-୧ ସେଟ୍‌ରେ ଜର୍ମାନିର ୟାନିକ ହାନ୍‌ମାନଙ୍କୁ ଏବଂ ବ୍ରିଟିସ ତାରକା ମରେ ୬-୨, ୭-୫, ୬-୩ ସେଟ୍‌ରେ ‌ଫ୍ରାନ୍ସର କୋରେଣ୍ଟିନ ମୌତେତଙ୍କୁ ହରାଇଥିଲେ।

ବୁଧବାର ମହିଳା ଏକକରେ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଦୁଇ ଥରର ୟୁଏସ୍‌ ଓପନ୍‌ ବିଜୟିନୀ ଭେନସ ୱିଲିୟମ୍ସ, ସପ୍ତମ ମାନ୍ୟତାପ୍ରାପ୍ତ କାରୋଲିନ ଗାର୍ସିଆ ଓ ୨୦୨୧ ଫ୍ରେଞ୍ଚ ଓପନ୍‌ ବିଜୟିନୀ ବାର୍ବୋରା କ୍ରେସିକୋଭାଙ୍କ ଅଭିଯାନ ପ୍ରଥମ ରାଉଣ୍ଡରେ ଶେଷ ହୋଇଛି। ଏମାନଙ୍କୁ କ୍ବାଲିଫାୟାର ଖେଳାଳି ବିଦାୟ ରାସ୍ତା ଦେଖାଇଥିଲେ। ଆମେରିକାର ଭେନସ୍‌ଙ୍କୁ ୧-୬, ୧-୬ ସେଟ୍‌ରେ ଜର୍ମାନିର ଗ୍ରିଟ୍‌ ମିନେନ, ଫ୍ରାନ୍ସର ଗାର୍ସିଆଙ୍କୁ ୪-୬, ୧-୬ ସେଟ୍‌ରେ ଚୀନ୍‌ର ୟାଫାନ ୱାଙ୍ଗ ଏବଂ ଚେକ୍‌ଗଣରାଜ୍ୟର କ୍ରେସିକୋଭାଙ୍କୁ ୪-୬, ୬-୭ ସେଟ୍‌ରେ ଇଟାଲିର ଲୁସିଆ ବ୍ରୋଞ୍ଜଟି ହରାଇଥିଲେ। ତେବେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଆରିନା ସାବାଲେଙ୍କା ସହଜରେ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅଷ୍ଟ୍ରେଲିଆନ୍‌ ଓପନ୍‌ ବିଜୟିନୀ ବେଲାରୁଷର ସାବାଲେଙ୍କା ସିଧାସଳଖ ୬-୩, ୬-୨ ସେଟ୍‌ରେ ବେଲ୍‌ଜିୟମ ଖେଳାଳି ମାରିନା ଜାନେସ୍କାଙ୍କୁ ପରାସ୍ତ କରିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button