ଦେଶ ବିଦେଶ

ରୋହତକରେ ମହିଳା କଂଗ୍ରେସ କର୍ମୀଙ୍କୁ ହତ୍ୟା ନେଇ ଆଲୋଡ଼ନ: ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋ‌ଡ଼ୋ ଯାତ୍ରା’ରେ ସକ୍ରିୟ ଥିଲେ

ରୋହତକ: ହରିୟାଣାର ରୋହତକ ଜିଲ୍ଲାର ଏକ ବସ୍‌ଷ୍ଟାଣ୍ଡ ନିକଟରୁ ଗତକାଲି ଜଣେ ମହିଳା କଂଗ୍ରେସ କର୍ମୀଙ୍କ ମୃତଦେହ ଏକ ସୁଟକେସ୍‌ରୁ ପୁଲିସ ଉଦ୍ଧାର କରିଛି। ଆଜି ରାଜ୍ୟରେ  ପୌର ନିର୍ବାଚନ ଥିବା ବେଳେ ଏହାର ଦିନକ ପୂର୍ବରୁ ଏହି ଚାଞ୍ଚଲ୍ୟକର ହତ୍ୟା ଆଲୋଡ଼ନ ସୃଷ୍ଟି କରିଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ’ ଯାତ୍ରା ସମୟରେ ବେଶ୍‌ ସକ୍ରିୟ ରହିଥିବା ହିମାନୀ ନରୱାଲ (୨୨)ଙ୍କ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଥିବା ବେଳେ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ରାଜ୍ୟ କଂ‌ଗ୍ରେସ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଗତକାଲି ସାମ୍ପଲା ବସ୍‌ଷ୍ଟାଣ୍ଡ ନିକଟରେ କିଛି ଲୋକ ଏକ ପରିତ୍ୟକ୍ତ ସୁଟକେସ୍ ଦେଖି ପୁଲିସକୁ ଖବର ଦେଇଥିଲେ।  ପୁଲିସ ଓ ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସୁଟକେସ୍ ଭିତରୁ ନରୱାଲଙ୍କ ମୃତଦେହ ଉଦ୍ଧାର କରିଥିଲେ। ପୁଲିସ କହିଛି ଯେ ପୀଡ଼ିତାଙ୍କ ବେକକୁ ଦୁପଟାରେ ଗୁଡ଼ାଇ ଦିଆଯାଇଥିଲା। ତାଙ୍କୁ ଗଳାକାଟି ହତ୍ୟା କରାଯାଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ଶବ ବ୍ୟବଚ୍ଛେଦ ପାଇଁ ପିଜିଆଇଏମ୍ଏସ୍ ରୋହତକ ନିଆଯାଇଛି। କଂଗ୍ରେସ ଏକ୍ସରେ ଏକ ପୋଷ୍ଟରେ ଦଳୀୟ କର୍ମୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି।

ହିମାନୀ କଂଗ୍ରେସର ଜଣେ ସକ୍ରିୟ କର୍ମୀ ଏବଂ କଂଗ୍ରେସ ସାଂସଦ ଦୀପେନ୍ଦ୍ର ସିଂ ହୁଦା ଏବଂ ଦଳର ବିଧାୟକ ବିବି ବାତ୍ରାଙ୍କ ସହ ନିଜର ଅନେକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଭାରତ ଯୋଡ଼ୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ସହ ତାଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଥିଲା। ଏହି ହତ୍ୟା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ବାତ୍ରା  ଏସ୍‌ଆଇଟି ତଦନ୍ତ ଦାବି କରିବା ସହ ହିମାନୀ କଂଗ୍ରେସ ଦଳର ପ୍ରତ୍ୟେକ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ ବୋଲି କହିଛନ୍ତି। କଂଗ୍ରେସ ସାଂସଦ ହୁଦା  ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି।

‘ନିର୍ବାଚନ ଓ ଦଳ ମୋ ଝିଅର ଜୀବନ ନେଲା’
ରୋହତକରେ ହତ୍ୟାର ଶିକାର ହୋଇଥିବା  କଂଗ୍ରେସ କର୍ମୀ ହିମାନୀ ନରୱାଲଙ୍କ ମା’ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ଏବଂ  ଦଳ  ହିଁ  ମୋ ଝିଅର ଜୀବନ  ନେଇଛି। ଦଳରେ ମୋର ଝିଅର ଲୋକପ୍ରିୟତାକୁ ଦେଖି ଅନେକ ଶତ୍ରୁ ସୃଷ୍ଟି  ହୋଇଥିଲେ। ଦୋଷୀମାନେ ଦଳର ହିଁ ହୋଇପାରନ୍ତି  ଏବଂ କୌଣସି ସହକର୍ମୀ ମଧ୍ୟ ହୋଇପାରନ୍ତି ବୋଲି  ହିମାନୀଙ୍କ ମା’ ସବିତା କହିଛନ୍ତି। ଫେବ୍ରୁଆରି ୨୮ ତାରିଖରେ ସେ ଘରେ ଥିଲେ ବୋଲି ସବିତା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଝିଅ ହିମାନୀଙ୍କ ସାଂଗଠନିକ ଦକ୍ଷତା ଯୋଗୁଁ ସେ ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହୋଇଥିଲେ । ସେ ସାଂସଦ ଦୀପେନ୍ଦ୍ର ହୁଦାଙ୍କ ପରିବାରର ମଧ୍ୟ ନିକଟତର ଥିଲେ, ସେଥିପାଇଁ ଦଳ ଭିତରେ ମୋ ଝିଅକୁ ଅନେକ ପ୍ରବଳ ଈର୍ଷା କରୁଥିଲେ ବୋଲି ସବିତା କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button