ବୈଦିକ ରୀତିନୀତିରେ ହେଲା ଦୁଇ ଗଛର ବାହାଘର, ସଚେତନତାର ବାର୍ତ୍ତା ଦେଲେ ଦମ୍ପତି

ହିନ୍ଦୁଧର୍ମର ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହେଲା ବାହାଘର । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଆମେ କୌଣସି ମଣିଷଙ୍କ ବାହାଘର କଥା କହୁନୁ । ହୋମ ନିଆଁ, ବ୍ରାହ୍ମଣ ମନ୍ତ୍ର ପାଠ ସହ ବୈଦିକ ରୀତିନୀତି ଅନୁଯାୟୀ ଦୁଇ ଗଛର ବାହାଘର ହୋଇଛି । ବରଗଛ ସହିତ ହୋଇଛି ଅଶ୍ବତ୍ଥ ଗଛର ବାହାଘର । ଅନୁଗୁଳ ଜିଲ୍ଲା କଣିଁହା ବ୍ଳକ ବାଉଁଶମାଳିଆ ସାହି ରେଙ୍ଗାଳି ଗାଁରେ ହୋଇଛି ଏମିତି ଏକ ନିଆରା ବାହାଘର । ଦୁଇ ବନ୍ଧୁ ସମୁଦି ହୋଇଛନ୍ତି । ଜଣେ ବର ପକ୍ଷ ଓ ଅନ୍ୟଜଣେ କନ୍ୟା ପକ୍ଷ । ତେବେ କନ୍ୟାପକ୍ଷ ଅର୍ଜୁନ ସାମଲ , ଅସକୀ ସାମଲ ଏବଂ ବରପକ୍ଷ ନିମେଁଇ ମାଝୀ , ସୌଦାମିନି ମାଝୀ ହୋଇଥିଲେ ।
ବ୍ରାହ୍ମଣୀ ନଦୀକୂଳରେ ଅବସ୍ଥିତ ରେଙ୍ଗାଳି ଗାଁ । ୧୯୯୯ ମସିହା ମହାବାତ୍ୟା ସମୟରେ ଗାଁର ନଦୀକୂଳରୁ ବଡ ବଡ ଗଛ ଗୁଡିକ ଉପୁଡି ଯାଇଥିଲା । ସେହି ସମୟରେ ଅର୍ଜୁନ ସାମଲ ଓ ନିମେଁଇ ମାଝୀ ମିଶି ବିଭିନ୍ନ ସ୍ଥାନରେ କିଛି ବୃକ୍ଷରୋପଣ କରିଥିଲେ । ସେ ସମୟରେ ଏହି ସ୍ଥାନରେ ଦୁଇ ସାଙ୍ଗ ମିଶି ବରଗଛ ଓ ଅଶ୍ଵତ୍ଥ ଗଛ ରୋପଣ କରିଥିଲେ । ବର୍ତ୍ତମାନ ସେହି ବୃକ୍ଷ ବଡ ହେବାପରେ ସମସ୍ତ ଗ୍ରାମବାସୀଙ୍କ ସହାୟତାରେ ଏକ ବାହାଘରର ଆୟୋଜନ କରାଯାଇଛି । ତେବେ ଏଭଳି ନିଆରା କାର୍ଯ୍ୟକ୍ରମକୁ ଦେଖିବାପାଇଁ ଅଞ୍ଚଳର ଅନେକ ଲୋକ ଉପସ୍ଥିତ ଥିଲେ । ଭୋଜିଭାତର ଆୟୋଜନ ମଧ୍ୟ ହୋଇଥିଲା ।
ବୃକ୍ଷ ହିଁ ଜୀବନ । ଲୋକମାନଙ୍କୁ ଏହି ସଚେତନତାର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଛି ବରଗଛ ସହିତ ଅଶ୍ବତ୍ଥ ଗଛର ବିବାହ । ତେବେ ସଚେତନତାର ହୃଦୟଙ୍ଗମ କରି ଦେଖଣାହାରୀ ବୃକ୍ଷରୋପଣ ପାଇଁ ଆଗ୍ରହ ବଢାଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ବେଶ୍ ପ୍ରଶଂସା ମଧ୍ୟ କରିଛନ୍ତି ।