ଦିବ୍ୟାଙ୍ଗଙ୍କ କଥା ଶୁଣିଲାନି ବ୍ଲକ ପ୍ରଶାସନ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଯୁବକ

ପାଟଣାଗଡ଼: ମହେନ୍ଦ୍ର ମେହେର । ଜନ୍ମରୁ ଭିନ୍ନକ୍ଷମ । ଘର ବଲାଙ୍ଗିର ଜିଲ୍ଲା ବେଲପଡା ଗାଁରେ । ସରକାର ୮୦% ଭିନ୍ନକ୍ଷମ ସାର୍ଟିଫିକେଟ ମଧ୍ୟ ଦେଇଛନ୍ତି । ଅବହେଳିତ ଗରିବ ଭିନ୍ନକ୍ଷମଙ୍କ ଜୀବନ ଜୀବିକା ର୍ନିବାହରେ କିଛି ମାତ୍ରାରେ ସାହାଯ୍ୟ କରିବାକୁ ଯାଇ ସରକାର ଭତ୍ତା ଦେଇଥାନ୍ତି । କିନ୍ତୁ କିଛି ପ୍ରଶାସନିକ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ହଇରାଣ ହେଉଛନ୍ତି ଅନେକ ହିତାଧିକାରୀ । ଏବେ ସମାନ ଘଟଣା ମହେନ୍ଦ୍ରଙ୍କ ସହ ବି ଘଟିଛି । ତେବେ ନିକଟରେ ସରକାର ଭିନ୍ନକ୍ଷମମାନଙ୍କ ଭତ୍ତା ୧୨୦୦ ରୁ ୩୫୦୦ ଟଙ୍କାକୁ ବୃଦ୍ଧି କରିଥିଲେ ।
ତେଣୁ ଜାନୁଆରୀ ମାସରେ ମହେନ୍ଦ୍ରଙ୍କୁ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ବେଲପଡା ବିଡ଼ିଓଙ୍କ ଉପସ୍ଥିତିରେ ୩୫୦୦ ଟଙ୍କା ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯାଇଥିଲା । କିନ୍ତୁ ପର ମାସରେ ଆରମ୍ଭ ହୋଇଥିଲା ବାଟମାରଣା । ମହେନ୍ଦ୍ର ଜାନୁଆରୀ ମାସରେ ୩୫୦୦ ଟଙ୍କା ପାଇଥିବା ବେଳେ ଫେବୃଆରୀ ମାସରେ ଯେତେବେଳେ ଭତ୍ତା ନେବାକୁ ଆସିଥିଲେ, ପଞ୍ଚାୟତର ଯୋଗାଣ ସହାୟକ ହେମନ୍ତ ସିଂ କହିଥିଲେ ତୁମକୁ ଭୁଲରେ ୩୫୦୦ ଟଙ୍କା ଭତ୍ତା ଦିଆଯାଇଛି । ତେଣୁ ୧୨୦୦ ରଖି ବାକି ୨୩୦୦ ଟଙ୍କା ଫେରାଅ ।
ଏହା ଶୁଣିବା ପରେ ମହେନ୍ଦ୍ର ଏ ବିଷୟରେ ତୁରନ୍ତ ଯାଇ ବିଡ଼ିଓଙ୍କୁ ଜଣାଇଥିଲେ । କିନ୍ତୁ ବିଡ଼ିଓ ମଧ୍ୟ ଭୁଲରେ ଅଧିକ ଟଙ୍କା ଦିଆଯାଇଛି ବୋଲି କହିଥିଲେ । ବେଲପଡା ବ୍ଲକକୁ ଆସି ବିଡ଼ିଓଙ୍କ ପାଖରୁ ନ୍ୟାୟ ନପାଇ ବେଶ ଭାଙ୍ଗି ପଡ଼ିଥିଲେ ମହେନ୍ଦ୍ର । କିନ୍ତୁ ଏଥିରେ ହାର ମାନିନଥିଲେ ମହେନ୍ଦ୍ର । ଲୋକଙ୍କ ପାଖରୁ ୧୦ ତାରିଖ ଦିନ ଜନଶୁଣାଣୀ କଥା ଶୁଣି ଜଣେ ସମ୍ପର୍କୀୟଙ୍କ ସହାୟତାରେ ଘୁଷୁରୀ ଘୁଷୁରୀ ଆସି ଜିଲ୍ଲାପାଳଙ୍କୁ ତାଙ୍କ ଦୁଃଖ ଜଣାଇଥିଲେ । ଜିଲ୍ଲାପାଳ ମହେନ୍ଦ୍ରଙ୍କ ସମସ୍ତ କଥା ଶୁଣିବା ପରେ ଏବେ ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ଭିନ୍ନକ୍ଷମଙ୍କୁ ସର୍ବସମ୍ମୁଖରେ ୩୫୦୦ ଟଙ୍କା ବର୍ଦ୍ଧିତ ଭତ୍ତା ଦିଆଗଲା । କିନ୍ତୁ ଏହାପରେ କାହାସ୍ୱାର୍ଥରେ ଭିନ୍ନକ୍ଷମଙ୍କ ପାଖରୁ ୨୩୦୦ ଟଙ୍କା ଫେରାଇ ଆଣିବାକୁ ମସୁଧା ଚାଲିଥିଲା । ଏନେଇ ତୁରନ୍ତ ତଦନ୍ତ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଥିବା ବେଳେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଅନ୍ୟପଟେ ବେଲପଡା BSSO ସଫେଇ ଦେଇ ତାଙ୍କ ନାମ ଲିଷ୍ଟ ଆସିନଥିଲା ତାଙ୍କୁ ଭୁଲରେ ଟଙ୍କା ଦିଆଯାଇଛି ଏବଂ ଏହାର ତଦନ୍ତ ଚାଲିଛି ବୋଲି କହିଛନ୍ତି ।
୮୦% ରୁ ଅଧିକ ଭିନ୍ନକ୍ଷମ ମାନଙ୍କୁ ଅନେକ ଯାଗାରେ ଏପରି ୩୫୦୦ ଟଙ୍କା ଦିଆଯାଇ କିଛି ଲୋକଙ୍କ ପାଖରୁ ୨୩୦୦ ଟଙ୍କା ଫେରାଇ ଅଣାଯାଇଛି । ତେଣୁ ଜିଲ୍ଲାପାଳ ଏ ବିଷୟରେ ଅଧିକ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ।