ନଡ୍ଡାଙ୍କ ପରେ ବିଜେପିର ମଙ୍ଗ ସମ୍ଭାଳିବେ ମହିଳା ! ଚର୍ଚ୍ଚାରେ 2 ମହିଳାଙ୍କ ନାଁ…

ନୂଆଦିଲ୍ଲୀ: ନଡ୍ଡାଙ୍କ ପରେ କିଏ ? କିଏ ସମ୍ଭାଳିକ ବିଜେପିର ରାଷ୍ଟ୍ରୀୟ ସଭାପତି ଭାର ? ନଡ୍ଡାଙ୍କ ପରେ ଧର୍ମେନ୍ଦ୍ରଙ୍କ ନାଁ ସବୁଠୁ ବେଶି ଚର୍ଚ୍ଚା ହେଉଥିବା ବେଳେ ଏବେ କିନ୍ତୁ ଦୁଇ ମହିଳାଙ୍କ ନାଁ ଚର୍ଚ୍ଚାକୁ ଆସିଛି ।
ସବୁବେଳେ ମହିଳା ଚେହେରାଙ୍କୁ ପ୍ରାଧାନ୍ୟ ଦେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ରାଷ୍ଟ୍ରୀୟ ସଭାପତି ପାଇଁ ଉକ୍ତ ବର୍ଗରୁ ଜଣଙ୍କୁ ବାଛିପାରନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଦକ୍ଷିଣ କୋଏମ୍ବାଟୁର ଦଳୀୟ ବିଧାୟିକା ବର୍ଣ୍ଣତି ଶ୍ରୀନିବାସନ । ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାନେତ୍ରୀ ବର୍ଣ୍ଣତି । ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନରେ କମଳ ହାସନଙ୍କୁ ହରାଇ ଚର୍ଚ୍ଚାରେ ଥିଲେ । ଆଗାମୀ ଦିନରେ ତାମିଲନାଡୁ ଓ କେରଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ ହେବ । ଏହି ଦୃଷ୍ଟିରୁ ବର୍ଣ୍ଣତି ରାଷ୍ଟ୍ରୀୟ ସଭାପତି ପଦବୀ ପାଇଁ ଭଲ ବ୍ୟକ୍ତିତ୍ବ ହୋଇପାରନ୍ତି ।
ସେହିଭଳି ରାଷ୍ଟ୍ରୀୟ ସଭାନେତ୍ରୀ ପଦ ପାଇଁ ଦକ୍ଷିଣର ଆଉ ଏକ ମହିଳା ଚେହେରା ହେଲେ ଆନ୍ଧ୍ର ପ୍ରଦେଶର ବିଜେପି ସଭାପତି ଡି.ପୁରନ୍ଦେଶ୍ବରୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମାରାଓଙ୍କ ଝିଅ । ପୂର୍ବରୁ ୟୁପିଏ ସରକାର ସମୟରେ କଂଗ୍ରେସର କେନ୍ଦ୍ର ମନ୍ତ୍ରୀ । ୨୦୧୪ରେ ସେ ବିଜେପିରେ ଯୋଗ ଦେଇଥିଲେ । ୨୦୨୪ ଲୋକସଭା ନିର୍ବାଚନରେ ପୁରନ୍ଦେଶ୍ବରୀ ରାଜମହେନ୍ଦ୍ରି ଆସନରୁ ନିର୍ବାଚିତ ହୋଇଛନ୍ତି । ଆନ୍ଧ୍ରମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଖୁବ ନିକଟ ସର୍ମ୍ପକୀୟ ପୁରନ୍ଦେଶ୍ବରୀ ସଭାନେତ୍ରୀ ନିଯୁକ୍ତ ହେଲେ ଉଭୟ ଦକ୍ଷିଣ ଓ ମହିଳା ଭୋଟ ବ୍ୟାଙ୍କ ପ୍ରଭାବିତ କରିବାର ଆଶା ଅଛି ।
ମହିଳା ସଂରକ୍ଷଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଶ ସଚେତନ । ଗତ କିଛି ରାଜ୍ୟର ବିଧାନସଭା ନିର୍ବାଚନରେ ମହିଳା ଭୋଟକୁ ନେଇ ପ୍ରଧାନମନ୍ତ୍ରୀ ବେଶ ଉଦ୍ୟମ କରିଛନ୍ତି । ଏହାଛଡା ମହିଳା ଭୋଟରଙ୍କୁ ହାତେଇବା ପାଇଁ ବିଭିନ୍ନ ରାଜ୍ୟର ବିଜେପି ସରକାର ବିଭିନ୍ନ ଯୋଜନମାନ କରିଛନ୍ତି । ଏଭଳି ସ୍ଥଳେ ମହିଳା ଭୋଟର ଓ ଦକ୍ଷିଣରେ ବିଜେପି ଉଥାନ ପାଇଁ ସେହି ଅଞ୍ଚଳର ମହିଳାଙ୍କୁ ରାଷ୍ଟ୍ରୀୟ ସଭାନେତ୍ରୀ କରିବାକୁ ଦଳୀୟ ତୁଙ୍ଗ ନେତୃତ୍ବ ଚାହିଁବା ସ୍ବାଭାବିକ ।