କ୍ରାଇମ

ପାର୍କିଂ ବିବାଦକୁ କେନ୍ଦ୍ର କରି ବୈଜ୍ଞାନିକଙ୍କୁ ନିର୍ମମ ହତ୍ୟା

ମୋହାଲି: ମୋହାଲିର ସେକ୍ଟର ୬୬ରେ ପାର୍କିଂକୁ ନେଇ ବିବାଦ ଉପୁଜିବା ପରେ ପଡ଼ୋଶୀଙ୍କ ଆକ୍ରମଣରେ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଆଇଆଇଏସ୍‌ଇଆର୍‌)ର ଜଣେ ୩୯ ବର୍ଷୀୟ ବୈଜ୍ଞାନିକଙ୍କର ମଙ୍ଗଳବାର ରାତିରେ ମୃତ୍ୟୁ ଘଟିଛି। ଝାଡ଼ଖଣ୍ଡର ବାସିନ୍ଦା ଅଭିଷେକ ସ୍ୱର୍ଣ୍ଣକାର ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ବିଦେଶରେ କାମ କରି ଭାରତ ଫେରିଥିଲେ। ନିକଟରେ ଏହି ବୈଜ୍ଞାନିକଙ୍କର କିଡ୍‌ନୀ ପ୍ରତିରୋପଣ କରାଯାଇଥିଲା ଏବଂ ସେ ଡାଏଲିସିସ୍‌ରେ ଥିଲେ। ତାଙ୍କର ଦୁଇ ବିବାହିତ ଭଉଣୀଙ୍କ ମଧ୍ୟରୁ ଜଣେ ତାଙ୍କୁ କିଡ୍‌ନୀ ଦାନ କରିଥିଲେ। ସେ ତାଙ୍କ ବୃଦ୍ଧ ପିତାମାତାଙ୍କ ସହ ମୋହାଲିରେ ଏକ ଭଡ଼ାଘରେ ରହୁଥିଲେ। ପଡ଼ୋଶୀ ମଣ୍ଟି ଜଣେ ଆଇଟି ପ୍ରଫେସନାଲ ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜାଣିବା ସତ୍ତ୍ୱେ ତାଙ୍କୁ ନିର୍ମମ ଭାବେ ଆକ୍ରମଣ କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଗଣ୍ଡଗୋଳ ସିସିଟିଭିରେ ରେକର୍ଡ ହୋଇଛି।

ପୁଲିସ ସୂଚନା ଅନୁଯାୟୀ, ରାତି ପ୍ରାୟ ସାଢ଼େ ୮ଟା ବେଳେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ମଣ୍ଟି ପ୍ରଥମେ ସ୍ୱର୍ଣ୍ଣକାରଙ୍କୁ ଗାଳିଗୁଲଜ କରିବା ପରେ ତାଙ୍କୁ ମାଡ଼ ମାରି ତଳେ ପକାଇ ଦେଇଥିଲେ ଏବଂ ତାଙ୍କ ଛାତିକୁ ବାରମ୍ବାର ମୁଥ ମାରି ଚାଲିଥିଲେ। ଅଭିଷେକ ଚେତା ହରାଇବା ପରେ ମଣ୍ଟି ଭୟଭୀତ ହୋଇ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏକ ଘରୋଇ ହସ୍ପିଟାଲ ଯିବା ବାଟରେ ମଣ୍ଟି ଏକ କାର୍‌କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ହସ୍ପିଟାଲରେ ପହଞ୍ଚିବା ପରେ ସ୍ୱର୍ଣ୍ଣକାରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ପରେ ଏକ ମାମଲା ରୁଜୁ କରାଯାଇଛି। ଆଜି ଶବ ବ୍ୟବଚ୍ଛେଦ କରାଯିବା ସହ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଉଛି। ସ୍ୱର୍ଣ୍ଣକାର ଜଣେ ବିଶିଷ୍ଟ ବୈଜ୍ଞାନିକ ଥିଲେ। ତାଙ୍କ ବିୟୋଗରେ ଆଇଆଇଏସ୍ଇଆର୍ ଗଭୀର ଶୋକ ପ୍ରକାଶ କରିଛି। ଆମେ ଏକ ଉଜ୍ଜ୍ୱଳ ମସ୍ତିଷ୍କଙ୍କୁ ହରାଇଛୁ।  ଏଭଳି ହିଂସାକାଣ୍ଡ ଗ୍ରହଣୀୟ ନୁହେଁ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button