ଆଜି ଦୋଳ ପୂର୍ଣ୍ଣିମା, ସୁସଜ୍ଜିତ ବିମାନରେ ଘରକୁ ଘର ବୁଲି ଭୋଗ ଖାଉଛନ୍ତି ଦୋଳଗୋବିନ୍ଦ

ଭୁବନେଶ୍ୱର : ଆଜି ଦୋଳ ପୂର୍ଣ୍ଣିମା । କାଲି ରଙ୍ଗର ପର୍ବ ହୋଲି । ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ମେଳଣ । ସୁସଜ୍ଜିତ ବିମାନରେ ଆସୁଛନ୍ତି ପ୍ରଭୁ ରାଧାକୃଷ୍ଣ । ମେଳଣ ପଡ଼ିଆରେ ଜମୁଛି ଭିଡ଼ । ଫଗୁ ଖେଳୁଛନ୍ତି ରାଧାକୃଷ୍ଣ । ବିଶ୍ବାସ ରହିଛି ଦୋଳରେ ଦୋଳଗୋବିନ୍ଦଙ୍କୁ ଦର୍ଶନ କଲେ ପୁନର୍ଜନ୍ମ ହୁଏ ନାହିଁ । ବିମାନ ଗାଁ ପରିକ୍ରମା କରିବା ସହ ଘରକୁ ଘର ବୁଲି ଭୋଗ ଖାଉଛନ୍ତି ଦୋଳଗୋବିନ୍ଦ । ଏଥିପାଇଁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।
ଭାରତୀୟ ପରମ୍ପରାରେ ଦୋଳପୂର୍ଣ୍ଣିମାକୁ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ, ଯଥା-ରାଜଦୋଳ ଓ ପଞ୍ଚୁଦୋଳ । ଫାଲ୍ଗୁନ ଶୁକ୍ଳ ଦଶମୀଠାରୁ ଅନୁଷ୍ଠିତ ହୋଇ ପୂର୍ଣ୍ଣିମା ଦିନ ସମାପ୍ତ ପର୍ବକୁ ବା ଦୋଳକୁ ରାଜଦୋଳ କୁହାଯାଉଥିବା ବେଳେ, ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ କୃଷ୍ଣପଞ୍ଚମୀ ପର୍ଯ୍ୟନ୍ତ ପାଳିତ ଦୋଳକୁ ପଞ୍ଚୁଦୋଳ କୁହାଯାଇଥାଏ । ପଞ୍ଚୁଦୋଳକୁ ପାଞ୍ଚଦିନିଆ ମହୋତ୍ସବ ବୋଲି କେହି କେହି କହିଥାନ୍ତି । ଦୋଳପୂର୍ଣ୍ଣିମାର ପର ଦିନ ‘ହୋଲି’ ପର୍ବ ଅନୁଷ୍ଠିତ ହୋଇଥାଏ । ରଙ୍ଗ ହିଁ ସୌନ୍ଦର୍ଯ୍ୟର ପ୍ରତୀକ । ଆଧ୍ୟାମିକ ଚିନ୍ତା ଚେତନାର ପରିପ୍ରକାଶ, କ୍ଷଣିକ ପାଇଁ ହେଉ ପଛେ ପ୍ରକୃତିର ଅନନ୍ତ ଅପୂର୍ବ ରୂପ ଛିଟାର ଅନୁଭବ, ସୁଖଦୁଃଖ ଭରା ଜୀବନର କିଛି ରଙ୍ଗ ସହିତ ନିଜେ ନିଜ ଭିତରେ ଟିକେ ହଜିଯିବା ପାଇଁ ଆସିଥାଏ ରଙ୍ଗର ପର୍ବ ହୋଲି । ହର୍ଷ ଉଲ୍ଲାସର ଏହି ପର୍ବରେ ଚାରିଆଡ଼େ ଥାଏ କେବଳ ରଙ୍ଗ ରଙ୍ଗ ଆଉ ରଙ୍ଗ । ଅବିରର ମନମତାଣିଆ ସୁଗନ୍ଧ । ହୋଲି ପର୍ବ ପାଳନ ନେଇ ଅନେକ ପୌରାଣିକ କାହାଣୀ ମଧ୍ୟ ରହିଛି ।