ଓଡିଶା

ପଦ୍ମକେଶରୀପୁର ହିଂସାକାଣ୍ଡ: ରାଜ୍ଯ ସରକାରଙ୍କ ଉପରେ ବର୍ଷିଲେ ସାଂସଦ ଅପରାଜିତା – Utkal Mail



ଭୁବନେଶ୍ୱର: ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ପୁଲିସ ହିଂସାଗ୍ରସ୍ତ ପଦ୍ମକେଶରୀପୁରରେ ଏକ ବୈଠକ କରିବାର ଗୋଟିଏ ଦିନ ପରେ ଆଜି ପୁଣି ହିଂସାକାଣ୍ଡକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସୋମବାର ଦିନ ସହର ଉପକଣ୍ଠରେ ଥିବା ଗାଁରେ ଗୋଷ୍ଠୀ ସଙ୍ଘର୍ଷକୁ ନେଇ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି।

ସ୍ଥାନୀୟ ଅଞ୍ଚଳରେ ‘ଭୟର ବାତାବରଣ’ ସୃଷ୍ଟି କରିଥିବା ଏହି ସଙ୍ଘର୍ଷ ବେଆଇନ ସୁଧ କାରବାରର ପରିଣତି ବୋଲି ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି। ଏହି ସଂଘର୍ଷ ଯୋଗୁଁ ବହୁ ପରିବାର ଠକେଇରେ ସର୍ବସ୍ୱ ହରାଇଥିବା ବେଳେ ଶାସକ ବିଜୁ ଜନତା ଦଳର ନେତାଙ୍କ ଛତ୍ରଛାୟା ତଳେ ସେହିସବୁ ଅଞ୍ଚଳରେ ବେଆଇନ ସୁଧ ବ୍ୟବସାୟୀମାନେ ଚଳପ୍ରଚଳ କରୁଛନ୍ତି ବୋଲି ଅପରାଜିତା ଦାବି କରିଛନ୍ତି।

ବିଜେପି ସାଂସଦ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ଓଡିଶା ମନି ଲେଣ୍ଡର୍ସ ଆକ୍ଟ 1939ର ଉଲ୍ଲଙ୍ଘନ କରି ରାଜଧାନୀ ପଦ୍ମକେଶରୀପୁର ସମେତ ରାଜ୍ୟର ଅନେକ ସ୍ଥାନରେ ବେଆଇନ ଟଙ୍କା ଉଧାର କାରବାର ଚାଲିଛି।

ସେ ଦର୍ଶାଇଛନ୍ତି ଯେ, ଗତ ତିନି ମାସ ମଧ୍ୟରେ ପଦ୍ମକେଶରୀପୁର ଅଞ୍ଚଳରୁ ପୁଲିସ 54 ଜଣ ମହିଳାଙ୍କ ସମେତ 155 ଜଣଙ୍କୁ ଗିରଫ କରିଛି। ହେଲେ ଏବେ ବି ସାହୁକାରମାନେ ଆଇନକୁ ଉଲଙ୍ଘନ କରି ଭୁବନେଶ୍ୱର ରାଜରାସ୍ତାରେ ଫ୍ରିରେ ବୁଲୁଛନ୍ତି ବୋଲି ଅପରାଜିତା ଅଭିଯୋଗ କରିଛନ୍ତି।

ପୂର୍ବରୁ ପଦ୍ମକେଶରୀପୁର ଗାଁରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ଅପରାଜିତା ଷଡ଼ଙ୍ଗୀ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ଏହି ସଙ୍ଘର୍ଷର କାରଣ ଖୋଜି ଅତିଶୀଘ୍ର ଏକ ଶାନ୍ତି କମିଟି ଗଠନ କରି ଗାଁରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ ସେ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସାଂସଦ ଏହା ମଧ୍ୟ ଦାବି କରିଥିଲେ ଯେ ବର୍ତ୍ତମାନ ପୁରୁଷ ଶୂନ୍ୟ ହୋଇପଡିଥିବା ଗାଁରେ କେବଳ କିଛି ମହିଳା ଏବଂ ଶିଶୁ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।

ବିଜେପି ସାଂସଦଙ୍କ ଚିଠି ପରେ କମିସନରେଟ୍ ପୁଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ଓ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ରବିବାର ସ୍ଥାନୀୟ ଅଞ୍ଚଳରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଡିସିପି ପ୍ରତୀକ ସିଂହ ଓ ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲଙ୍କ ସମେତ ଏସିପି, ଜୋନ୍-5, ଭୁବନେଶ୍ୱର ଓ ମଞ୍ଚେଶ୍ୱର ଥାନା ଆଇଆଇସି ପଦ୍ମକେଶରୀପୁରର ମାଝିସାହି ଓ ତଳସାହି ଅଞ୍ଚଳର ଲୋକଙ୍କ ସହ ଆଲୋଚନା କରି ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ବଜାୟ ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ। ସ୍ଥାନୀୟ ପ୍ରତିନିଧି, କର୍ପୋରେଟରଙ୍କ ସମେତ ଶାନ୍ତି କମିଟି ସଦସ୍ୟ ଥିବା ପଡ଼ୋଶୀ ସରପଞ୍ଚମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।




Related Articles

Leave a Reply

Your email address will not be published. Required fields are marked *

Back to top button