ଶେଷରେ ଚୀନ୍ର ଅସଲ ମାନଚିତ୍ର ମିଳିଲା: ପୂର୍ବତନ ସେନାମୁଖ୍ୟ – Utkal Mail
ନୂଆଦିଲ୍ଲୀ: ପୂର୍ବତନ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ମଙ୍ଗଳବାର ଚୀନ୍ର ଅସଲ ମାନଚିତ୍ର ଏକ୍ସ (ଟ୍ବିଟର)ରେ ସେୟାର କରି ଲେଖିଛନ୍ତି- ‘ଶେଷରେ ଜଣେ କିଏ ଚୀନ୍ର ଅସଲ ମାନଚିତ୍ର ପାଇଛନ୍ତି’। ବହୁରଙ୍ଗରେ ରଞ୍ଜିତ ମାନଚିତ୍ରରେ ଲଦାଖ ଓ ତିବ୍ବତ ସମେତ କେତେକ ଅଞ୍ଚଳକୁ ଚୀନ୍ର ‘ଅକୁପାଏଡ୍’ ଅଞ୍ଚଳ ବୋଲି ଲେଖା ହୋଇଛି। ଅଳ୍ପଦିନ ତଳେ ଅଗଷ୍ଟ ୨୮ ତାରିଖରେ ବେଜିଂ ‘ଚୀନ୍ର ମାନକ ମାନଚିତ୍ର’ର ୨୦୨୩ ସଂସ୍କରଣ ପ୍ରକାଶ କରିଥିଲା, ଯେଉଁଥିରେ ତାଇୱାନ, ଦକ୍ଷିଣ ଚୀନ୍ ସାଗର, ଅରୁଣାଚଳ ପ୍ରଦେଶ ଓ ଅକ୍ସାଇ ଚୀନ୍ ସମେତ ଅଞ୍ଚଳକୁ ଚୀନ୍ର ଅଞ୍ଚଳ ବୋଲି ଦର୍ଶାଯାଇଥିଲା। ଭାରତ ଏହାରର ଦୃଢ଼ ପ୍ରତିବାଦ କରିଥିଲା। ଭାରତ କହିଥିଲା ଯେ ଏହାଦ୍ବାରା ସୀମା ବିବାଦ ପ୍ରଶ୍ନ ଅଧିକ ଜଟିଳ ହୋଇପଡ଼ିବ। ଜାପାନ, ମାଲେସିଆ, ଭିଏତନାମ ଓ ଫିଲିପିନ୍ସ ପ୍ରଭୃତି ଅନେକ ଏସୀୟ ଦେଶ ମଧ୍ୟ ଏହା ବିରୋଧରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ।
ଅଗଷ୍ଟ ୮ ତାରିଖରେ ଭାରତର ପୂର୍ବତନ ନୌସେନା ମୁଖ୍ୟ କରମବୀର ସିଂହ ଓ ପୂର୍ବତନ ଏୟାର ଚିଫ୍ ମାର୍ଶାଲ ଆର୍କେଏସ୍ ଭାଦୁରିଆଙ୍କ ସହ ଜେନେରାଲ ନରବଣେ ତାଇୱାନର ତାଇପେଇ ଗସ୍ତ କରି ଦ୍ବିପାକ୍ଷିକ ଆଲୋଚନା କରିଥିଲେ, ଯାହାକୁ ଚୀନ୍ ନିଜର ବିଚ୍ଛିନ୍ନ ଅଞ୍ଚଳ ବୋଲି ଦାବି କରୁଛି। ତିନି ସପ୍ତାହ ପରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ସିଧାସଳଖ ଭାରତର ନାମ ଉଲ୍ଲେଖ ନ କରି ଏହି ଗସ୍ତକୁ ବିରୋଧ କରିଥିଲା।