ଲେକ୍ସ ଫ୍ରିଡ୍ମେନ୍ ପଡ୍କାଷ୍ଟ: ୨୦୦୨ ଦଙ୍ଗା ଘଟଣାରେ ନିରବତା ଭାଙ୍ଗିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଆଇ ଗବେଷକ ତଥା ପଡକାଷ୍ଟର ଲେକ୍ସ ଫ୍ରିଡ୍ମେନ୍ଙ୍କ ସହ ନେତୃତ୍ୱ, ଶାସନ, ଭାରତର ପ୍ରଗତି ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି। ଆଜି ପ୍ରସାରଣ ହୋଇଥିବା ପଡକାଷ୍ଟରେ ପ୍ରାୟ ତିନି ଘଣ୍ଟାର ଆଲୋଚନାର ସବୁଠାରୁ ପ୍ରତୀକ୍ଷିତ ମୁହୂର୍ତ୍ତ ଥିଲା ଯେତେବେଳେ ଫ୍ରିଡ୍ମେନ୍ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୨୦୦୨ ଗୁଜରାଟ ଦଙ୍ଗା ବିଷୟରେ ପ୍ରଶ୍ନ କରିଥିଲେ। ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଦୁଇ ଥର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହିଂସାରେ ସମ୍ପୃକ୍ତି ମାମଲାରେ କ୍ଲିନ୍ଚିଟ୍ ଦେଇଥିବା କଥା ଉଲ୍ଲେଖ କରି ଫ୍ରିଡ୍ମେନ୍ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ ସେ ନିଜେ ସେହି ସମୟର ପ୍ରସଙ୍ଗକୁ କିପରି ଦେଖୁଛନ୍ତି।
ଏହି ପ୍ରଶ୍ନର ଜବାବରେ ପ୍ରଧାନମନ୍ତ୍ରୀ କହିଥିଲେ, ୨୦୦୨ ଗୁଜରାଟ ଦଙ୍ଗାକୁ ନେଇ ଅନେକ ମିଥ୍ୟା କାହାଣୀ ସୃଷ୍ଟି କରିବାକୁ ଉଦ୍ଦେଶ୍ୟମୂଳକ ପ୍ରୟାସ ହୋଇଥିଲା। ୨୦୦୨ ପୂର୍ବରୁ ଗୁଜରାଟରେ ୨୫୦ରୁ ଅଧିକ ଦଙ୍ଗା ହୋଇଥିଲା ଏବଂ ସାମ୍ପ୍ରଦାୟିକ ହିଂସା ବାରମ୍ବାର ଘଟୁଥିଲା। ବିଶ୍ୱରେ ସେହି ସମୟରେ ଆତଙ୍କବାଦୀ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇଥିଲା। ୧୯୯୯ରେ କାନ୍ଦାହାର ଅପହରଣ, ୨୦୦୦ରେ ଲାଲକିଲ୍ଲା ଉପରେ ଆକ୍ରମଣ ଏବଂ ୨୦୦୧ରେ ଆମ ସଂସଦ ଉପରେ ଆକ୍ରମଣ ହୋଇଥିଲା। ଏହା ଏକ ବିରାଟ ନିରାପତ୍ତା ଆହ୍ୱାନର ସମୟ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ୨୦୦୨ ପରଠାରୁ ଗୁଜରାଟରେ ଗୋଟିଏ ବି ବଡ଼ ଦଙ୍ଗା ହୋଇନାହିଁ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିବା ସହ କହିଛନ୍ତି ଯେ ଦୀର୍ଘକାଳୀନ ଶାନ୍ତି ସୁନିଶ୍ଚିତ କରିବା ପାଇଁ ସେତେବେଳେ ପ୍ରୟାସ ହୋଇଥିଲା ଏବଂ ତାଙ୍କର ଶାସନ ମଡେଲକୁ ଏହାର ଶ୍ରେୟ ଯିବ।
ଗୁଜରାଟରେ ଘଟିଥିବା ୨୦୦୨ ଦଙ୍ଗାକୁ ସବୁଠାରୁ ବଡ଼ ଦଙ୍ଗା ବୋଲି ଧାରଣା ବାସ୍ତବରେ ଭୁଲ ସୂଚନା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାସ୍ତବତା ହେଉଛି ଗୁଜରାଟରେ ଏହା ପୂର୍ବରୁ ସବୁଠାରୁ ଭୟଙ୍କର ସାମ୍ପ୍ରଦାୟିକ ସଂଘର୍ଷ ଦେଖିବାକୁ ମିଳିଥିଲା। ତଥାପି ୨୦୦୨ ଭଳି ଏହା କେବେ ବି ଅନ୍ତର୍ଜାତୀୟ ସ୍ତରରେ ଏଭଳି ଚର୍ଚ୍ଚାର ପ୍ରସଙ୍ଗ ହୋଇନଥିଲା। ସ୍ଥିରତା ଆଣିବା ପାଇଁ ତାଙ୍କ ସରକାରଙ୍କ ପ୍ରୟାସ କରିବା ସତ୍ତ୍ୱେ ରାଜନୈତିକ ବିରୋଧୀ ଏବଂ ଗଣମାଧ୍ୟମର କିଛି ବର୍ଗ ଲଗାତାର ତାଙ୍କ ଭାବମୂର୍ତ୍ତିକୁ ଖରାପ କରୁଥିଲେ ବୋଲି ମୋଦୀ କହିଛନ୍ତି। ଦଙ୍ଗାକୁ ନେଇ ମିଥ୍ୟା ପ୍ରଚାର ପାଇଁ ଯୋଜନାବଦ୍ଧ ଉଦ୍ୟମ ହୋଇଥିଲା। କିନ୍ତୁ ଶେଷରେ ନ୍ୟାୟ ମିଳିଲା ଏବଂ ଅଦାଲତ ମୋ ନାମକୁ ଏଥିରୁ ହଟାଇଲେ।
‘ସମାଲୋଚନାରେ ବିଚଳିତ ନୁହେଁ, କେବଳ ସତ୍ୟ ହିଁ ଗୁରୁତ୍ୱପୂର୍ଣ୍ଣ’
ରୁଷ୍-ୟୁକ୍ରେନ ଯୁଦ୍ଧ, ଟ୍ରମ୍ପଙ୍କ ସହ ସମ୍ପର୍କ ନେଇ ମତ ରଖିଲେ
ଏହି ସାକ୍ଷାତକାରରେ ଫ୍ରିଡ୍ମେନ୍ ମୋଦୀଙ୍କୁ ପଚାରିଥିଲେ ଯେ ସେ ସମାଲୋଚନାକୁ କିପରି ଦେଖନ୍ତ, ବିଶେଷକରି ଗୁଜୁରାଟ ଦଙ୍ଗା ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ। ଏହାର ଜବାବରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମାଲୋଚନା ହେଉଛି ଗଣତନ୍ତ୍ରର ଆତ୍ମା। ଆମ ଶାସ୍ତ୍ରରେ କୁହାଯାଇଛି, ‘ତୁମର ସମାଲୋଚକମାନଙ୍କୁ ସର୍ବଦା ନିକଟତର ରଖିବାକୁ ହେବ, କାରଣ ସେମାନେ ତୁମର ଉନ୍ନତି କରିବାରେ ସହାୟକ ହେବେ।’ ତେବେ ଆଧୁନିକ ରାଜନୈତିକ ଆଲୋଚନାରେ ଗଠନମୂଳକ ସମାଲୋଚନା ଏବଂ ‘ଚାଞ୍ଚଲ୍ୟବାଦ’ ମଧ୍ୟରେ ବହୁତ ଫରକ ଅଛି। ପ୍ରକୃତ ସମାଲୋଚନା ଗବେଷଣା ଓ ବିଶ୍ଳେଷଣ ଉପରେ ଆଧାରିତ ଥିବା ବେଳେ ଦୁର୍ଭାଗ୍ୟବଶତଃ ଆଜିର ଗଣମାଧ୍ୟମ ଓ ରାଜନୈତିକ ବିରୋଧୀମାନେ ଅନେକ ସମୟରେ ସମାଲୋଚନା କରିବା ପରିବର୍ତ୍ତେ ଭିତ୍ତିହୀନ ଅଭିଯୋଗ ଆଣି ସହଜ ରାସ୍ତା ଆପଣାଉଛନ୍ତି। ପରବର୍ତ୍ତୀ ସମୟରେ ଘଟିଥିବା ପରିବର୍ତ୍ତନ ପ୍ରତି ବିରୋଧୀମାନେ ଆଗ୍ରହୀ ନଥିଲେ। ସେମାନେ କେବଳ ସେମାନଙ୍କ ଏଜେଣ୍ଡା ଅନୁଯାୟୀ ଏକ କାହାଣୀ ସୃଷ୍ଟି କରିବାକୁ ଚାହୁଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଶାସନ ପ୍ରସଙ୍ଗରେ ଏକ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ, ଭାରତର ରାଜନୈତିକ ସଂସ୍କୃତିକୁ ‘ତୁଷ୍ଟୀକରଣ ରାଜନୀତି’ରୁ ‘ଆକାଂକ୍ଷୀ ରାଜନୀତି’କୁ ପରିବର୍ତ୍ତନ କରିବା ଏକ ବଡ଼ ଉପଲବ୍ଧି।
ଅନେକ ଦଶନ୍ଧି ଧରି ରାଜନୀତି ତୁଷ୍ଟୀକରଣକୁ ନେଇ କେନ୍ଦ୍ରିତ ହେଉଥିଲା ଏବଂ ଭୋଟ୍ ପାଇଁ କିଛି ଗୋଷ୍ଠୀକୁ ଖୁସି ରଖିବା ହିଁ ଅନେକଙ୍କ ରାଜନୀତିର ଉଦ୍ଦେଶ୍ୟ ଥିଲା। ଆମେ ଏହି ଧାରଣାକୁ ବଦଳାଇ ଦେଇଥିଲୁ। ଆମେ ଆକାଂକ୍ଷୀ ରାଜନୀତି ଉପରେ ଧ୍ୟାନ ଦେଇଥିଲୁ, ଯେଉଁଠାରେ ଶାସନ କୌଣସି ଭେଦଭାବ ନରଖି ସମସ୍ତଙ୍କର ସମାନ ବିକାଶ କରିପାରୁଛି। ନେତୃତ୍ୱ ଏବଂ ଭାରତର ଭବିଷ୍ୟତ ଉପରେ ଲେକ୍ସ ଫ୍ରିଡ୍ମେନ୍ ମୋଦୀଙ୍କୁ ପଚାରିଥିଲେ ଯେ ଜଣେ ନେତାଙ୍କ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୁଣ କ’ଣ ବୋଲି ସେ ବିଶ୍ୱାସ କରନ୍ତି। ଏହାର ଜବାବରେ ମୋଦୀ କହିଥିଲେ, ଜଣେ ନେତାଙ୍କର ଦୂରଦୃଷ୍ଟି ଏବଂ ଏହାକୁ କାର୍ଯ୍ୟକାରୀ କରିବାକୁ ସାହସ ରହିବା ଆବଶ୍ୟକ। ଭାରତ ଓ ବିଶ୍ୱ ଶାନ୍ତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ସର୍ବଦା ବିଶ୍ୱ ଶାନ୍ତି ଏବଂ ଭାଇଚାରାର ଚିନ୍ତାଧାରାକୁ ସମର୍ଥନ କରୁଛି। ପାକିସ୍ତାନ ସହ ସଂପର୍କ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ, ମୁଁ ବିଶ୍ୱାସ କରେ ଯେ ପାକିସ୍ତାନର ଲୋକମାନେ ମଧ୍ୟ ଶାନ୍ତି ଚାହୁଛନ୍ତି। ରୁଷ୍ ୟୁକ୍ରେନ ଯୁଦ୍ଧକୁ ନେଇ ପଚରାଯାଇଥିବା ପ୍ରଶ୍ନରେ ପ୍ରଧାନମନ୍ତ୍ରୀ କହିଥିଲେ, ଉଭୟ ରାଷ୍ଟ୍ର ସହିତ ତାଙ୍କର ଘନିଷ୍ଠ ସମ୍ପର୍କ ରହିଛି। ‘ମୁଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ବସି କହିପାରିବି ଯେ ଏହା ଯୁଦ୍ଧର ସମୟ ନୁହେଁ ଏବଂ ମୁଁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ କହିପାରିବି ଯେ ଭାଇ, ଦୁନିଆରେ ଯେତେ ଲୋକ ଆପଣଙ୍କ ସହିତ ଠିଆ ହୁଅନ୍ତୁ ନା କାହିଁକି ଯୁଦ୍ଧ କ୍ଷେତ୍ରରେ କୌଣସି ସମାଧାନ ହେବନାହିଁ। ଉଭୟ ୟୁକ୍ରେନ ଓ ରୁଷିଆ ଆଲୋଚନା ଟେବୁଲକୁ ଆସିଲେ ହିଁ ଶାନ୍ତି ଆସିବ’ ବୋଲି ମୋଦୀ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବାବଦରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଟ୍ରମ୍ପଙ୍କୁ ତାଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ଏବଂ ବର୍ତ୍ତମାନ ତାଙ୍କର ଦ୍ୱିତୀୟ ପାଳିରେ ଦେଖିଛନ୍ତି। ଏଥର ସେ ପୂର୍ବ ଅପେକ୍ଷା ଅଧିକ ପ୍ରସ୍ତୁତ ଥିବା ଜଣାପଡ଼ୁଛି ଏବଂ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଅଗ୍ରସର ହେଉଛନ୍ତି।