ଶିବକୁମାରଙ୍କ ଟିପ୍ପଣୀକୁ ନେଇ ସଂସଦରେ ହୋହଲ୍ଲା: ଦାବି ପ୍ରତ୍ୟାଖ୍ୟାନ କଲା କଂଗ୍ରେସ

ନୂଆଦିଲ୍ଲୀ: କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ଡିକେ ଶିବକୁମାରଙ୍କ ‘ସମ୍ବିଧାନ ପରିବର୍ତ୍ତନ’ ଟିପ୍ପଣୀକୁ ନେଇ ଆଜି ବିରୋଧୀ ଏବଂ ବିଜେପି ସଦସ୍ୟମାନେ ରାଜ୍ୟସଭାରେ ମୁହାଁମୁହିଁ ହୋଇଛନ୍ତି। କର୍ଣ୍ଣାଟକରେ କଂଗ୍ରେସ ସରକାର ମୁସଲମାନଙ୍କୁ ସଂରକ୍ଷଣ ପ୍ରଦାନ କରୁଛି ଏବଂ କଂଗ୍ରେସ ନେତାମାନେ ମଧ୍ୟ ସମ୍ବିଧାନକୁ ସଂଶୋଧନ କରିବାପାଇଁ ଆଗ୍ରହୀ ବୋଲି ବିଜେପି ଅଭିଯୋଗ କରିଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଏହି ଅଭିଯୋଗ କରିଥିବାବେଳେ କଂଗ୍ରେସ ସଭାପତି ଏବଂ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏହାକୁ ଖଣ୍ଡନ କରିଛନ୍ତି।
ଆଜି ଗୃହ କାର୍ଯ୍ୟ ଆରମ୍ଭ ହେଉହେଉ ସଂସଦୀୟ ବ୍ୟାପାର ମନ୍ତ୍ରୀ ରିଜିଜୁ ନିକଟରେ କର୍ଣ୍ଣାଟକରେ ଜଣେ ବରିଷ୍ଠ କଂଗ୍ରେସ ନେତା ଦେଇଥିବା ଟିପ୍ପଣୀକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଥିଲେ। ସେ କହିଥିଲେ ଅତି ସାଂଘାତିକ କଥା ଏବେ ଆମ ନଜରକୁ ଆସିଛି। ସାମ୍ବିଧାନିକ ପଦବିରେ ଥିବା ଜଣେ ବରିଷ୍ଠ କଂଗ୍ରେସ ନେତା ମୁସଲମାନ ସମ୍ପ୍ରଦାୟକୁ ସଂରକ୍ଷଣ ଦେବାପାଇଁ ସମ୍ବିଧାନ ପରିବର୍ତ୍ତନ କରିବାକୁ ଚାହାନ୍ତି ବୋଲି ରିଜିଜୁ ଅଭିଯୋଗ କରିଛନ୍ତି। ରିଜିଜୁ କହିଛନ୍ତି, ଯଦି ଜଣେ ସାଧାରଣ ଲୋକ ଏଭଳି ଟିପ୍ପଣୀ ଦେବେ ତେବେ ଆମେ ତାଙ୍କୁ ଅଣଦେଖା କରିଦେବା। କିନ୍ତୁ ଯଦି ସାମ୍ବିଧାନିକ ପଦବିରେ ଥିବା ଜଣେ ବ୍ୟକ୍ତି ଏଭଳି ଟିପ୍ପଣୀ ଦିଅନ୍ତି ତେବେ ଆମେ ତାହାକୁ ସହଜରେ ଗ୍ରହଣ କରିପାରିବାନି। ରିଜିଜୁ ସିଧାସଳଖ ଖଡ଼ଗେଙ୍କୁ ପ୍ରଶ୍ନ କରିଛନ୍ତି। ମୁସଲମାନ ସଂରକ୍ଷଣ ଲାଗି କଂଗ୍ରେସ ସମ୍ବିଧାନ ସଂଶୋଧନ ପାଇଁ କିଭଳି ଯୋଜନା କଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସେ କହିଥିଲେ। ରାଜ୍ୟସଭାରେ ଗୃହର ନେତା ଜେପି ନଡ୍ଡା ମଧ୍ୟ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ସମ୍ବିଧାନର ଅପମାନ କରୁଛି।
ନଡ୍ଡା ମଧ୍ୟ ଦାବି କରିଛନ୍ତି ଯେ ଶିବକୁମାର ସର୍ବସାଧାରଣ ସ୍ଥଳରେ ଖୋଲାଖୋଲି ଭାବେ କହିଥିଲେ ଯେ ମୁସଲମାନ ସଂରକ୍ଷଣ ପାଇଁ ଆବଶ୍ୟକ ପଡ଼ିଲେ ସମ୍ବିଧାନ ସଂଶୋଧନ ହେବ। ନଡ୍ଡା ମଧ୍ୟ ଖଡ଼ଗେଙ୍କଠାରୁ ଉକ୍ତ ପ୍ରସଙ୍ଗରେ ସ୍ପଷ୍ଟୀକରଣ ମାଗିଛନ୍ତି। ତେବେ ଖଡ଼ଗେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। କଂଗ୍ରେସ ସମ୍ବିଧାନକୁ ସୁରକ୍ଷା ଦେବାପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ଆଜି ଉଭୟ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଏହି ପ୍ରସଙ୍ଗ ଉଠାଇଛନ୍ତି।