ଦେଶ ବିଦେଶ

ଛାତ୍ର ଆତ୍ମହତ୍ୟାର ସମାଧାନ ପାଇଁ ଟାସ୍କଫୋର୍ସ: ୪ ମାସରେ ଅନ୍ତରୀଣ, ୮ ମାସରେ ଆସିବ ଚୂଡ଼ାନ୍ତ ରିପୋର୍ଟ

ନୂଆଦିଲ୍ଲୀ: ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ବାରମ୍ବାର ଛାତ୍ର ଆତ୍ମହତ୍ୟା ଘଟୁଛି। ଏହି ଘଟଣାକୁ ନେଇ ସୁପ୍ରିମ୍‌କୋର୍ଟ ଉଦ୍‌ବେଗ ପ୍ରକାଶ କରିବା ସହ ଛାତ୍ରଛାତ୍ରୀଙ୍କ ମାନସିକ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ଓ ଏଭଳି ଘଟଣାକୁ ରୋକିବା ପାଇଁ ଏକ ଜାତୀୟ ଟାସ୍କଫୋର୍ସ (ଏନ୍‌ଟିଏଫ୍‌) ଗଠନ କରିଛନ୍ତି। ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ଆର୍ ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୩ରେ ଦିଲ୍ଲୀ ଆଇଆଇଟିରେ ପଢୁଥିବା ବେଳେ ଆତ୍ମହତ୍ୟା କରିଥିବା ଦୁଇ ଛାତ୍ରଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଉପରେ ଏକ ଏତଲା ରୁଜୁ କରିବାକୁ ମଧ୍ୟ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ର ଆତ୍ମହତ୍ୟାର ଏକ ଚିନ୍ତାଜନକ ଧାରା ସାମନାକୁ ଆସୁଛି ବୋଲି ଉଲ୍ଲେଖ କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଏହି ଦୁଃଖଦ ଘଟଣାଗୁଡ଼ିକୁ ରୋକିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଥିବା ବିଭିନ୍ନ କାରଣର ସମାଧାନ ପାଇଁ ଏକ ଅଧିକ ସୁଦୃଢ଼, ବ୍ୟାପକ ଓ ଉତ୍ତରଦାୟୀ ବ୍ୟବସ୍ଥା ଜରୁରି। ଏହି ସମସ୍ୟାର ସମାଧାନ ପାଇଁ ଗଠିତ ଟାସ୍କଫୋର୍ସରେ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଏସ୍ ରବୀନ୍ଦ୍ର ଭଟ୍ଟ ଅଧ୍ୟକ୍ଷ ରହିବେ ବୋଲି ଆଦେଶନାମାରେ ଦର୍ଶାଯାଇଥିବା ବେଳେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅଧୀନରେ ଥିବା ବିଭାଗ, ରାଜ୍ୟର ଉଚ୍ଚଶିକ୍ଷା ବିଭାଗ, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ଓ ଆଇନ ବ୍ୟାପାର ବିଭାଗର ସଚିବମାନେ ଏହାର କାର୍ଯ୍ୟନିର୍ବାହୀ ସଦସ୍ୟ ରହିବେ। ଖଣ୍ଡପୀଠ କହିଛନ୍ତି ଯେ ଏନ୍‌ଟିଏଫ୍ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବ, ଯେଉଁଥିରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟାର ମୁଖ୍ୟ କାରଣ ଚିହ୍ନଟ, ପ୍ରଚଳିତ ନିୟମାବଳୀର ବିଶ୍ଳେଷଣ ଏବଂ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ସୁପାରିସ ଅନ୍ତର୍ଭୁକ୍ତ ରହିବ। ରିପୋର୍ଟ ପ୍ରସ୍ତୁତି ପ୍ରକ୍ରିୟାରେ ଏନ୍‌ଟିଏଫ୍ କୌଣସି ଉଚ୍ଚ ଶିକ୍ଷାନୁଷ୍ଠାନର ଅଚାନକ ଯାଞ୍ଚ କରିପାରିବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ଏନ୍‌ଟିଏଫ୍ ୪ ମାସ ମଧ୍ୟରେ ଅନ୍ତରୀଣ ରିପୋର୍ଟ ଓ ୮ ମାସ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବ।

ଦୁଇ ଛାତ୍ରଙ୍କ ଆତ୍ମହତ୍ୟା ମାମଲାରେ ଏଫ୍‌ଆଇଆର୍ ରୁଜୁ ପାଇଁ ପୁଲିସକୁ ଆଦେଶ ଦେବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଥିଲେ। ଯାହା ବିରୋଧରେ ଦୁଇ ମୃତ ଛାତ୍ରଙ୍କ ପିତାମାତା ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟ ପୁଲିସକୁ ଏଫ୍‌ଆଇଆର୍ ରୁଜୁ କରିବାକୁ ଆଦେଶ ଦେଇଛନ୍ତି। ୨୦୨୩ ଜୁଲାଇ ୮ ତାରିଖରେ ଆୟୁଷ ଆସନାଙ୍କ ମୃତଦେହ ତାଙ୍କ ହଷ୍ଟେଲ ରୁମ୍‌ରୁ ମିଳିଥିବା ବେଳେ ଅନୀଲ କୁମାରଙ୍କ ମୃତଦେହ ୨୦୨୩ ସେପ୍ଟେମ୍ବର ୧ ତାରିଖରେ ଆଇଆଇଟି ଦିଲ୍ଲୀସ୍ଥିତ ହଷ୍ଟେଲ ରୁମ୍‌ରୁ ଉଦ୍ଧାର କରାଯାଇଥିଲା। ଅନୁସୂଚିତ ଜାତିର ଏହି ଦୁଇ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ଏବଂ ଦୁହେଁ ପୂର୍ବରୁ ସେମାନଙ୍କ ପିତାମାତାଙ୍କୁ ଜାତିଗତ ଭେଦଭାବର ଶିକାର ହୋଇଥିବା କହିଥିଲେ। ଖଣ୍ଡପୀଠ କହିଛନ୍ତି ଯେ ଏଭଳି ଘଟଣା ବାରମ୍ବାର ଘଟୁଛି। ରୢାଗିଂ, ଶୈକ୍ଷିକ ଚାପ, ଜାତିଗତ ଭେଦଭାବ, ଯୌନ ନିର୍ଯାତନା ଇତ୍ୟାଦି କାରଣରୁ ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା କରୁଛନ୍ତି। ତେଣୁ ଅଭିଯୋଗ ଆସିଲେ ପୁଲିସ ତୁରନ୍ତ ଏଫ୍‌ଆଇଆର୍ ରୁଜୁ କରିବା ଉଚିତ। ଖଣ୍ଡପୀଠ ଡିସିପି (ଦକ୍ଷିଣ-ପଶ୍ଚିମ ଜିଲ୍ଲା)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଛାତ୍ରଙ୍କ ପରିବାର ସଦସ୍ୟ ଲିଖିତ ଭାବେ ଦାଖଲ କରିଥିବା ଦୁଇଟି ଅଭିଯୋଗ ଅନୁଯାୟୀ ଏଫ୍‌ଆଇଆର୍‌ ରୁଜୁ କରନ୍ତୁ ଏବଂ ଏସିପି ପାହ୍ୟାରୁ କମ୍ ନ ଥିବା କୌଣସି ଦାୟିତ୍ୱବାନ ଅଧିକାରୀଙ୍କୁ ତଦନ୍ତ ପାଇଁ ନିୟୋଜିତ କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button