ଓଡିଶା

ଏବେ ମଶାଙ୍କ ଅଭୟାରଣ୍ୟ ପାଲଟିଛି କଟକ ସହର, ଚିନ୍ତାରେ ସ୍ଥାନୀୟ ବାସିନ୍ଦା

କଟକ: ଦିନ ରାତି କିଛି ଦେଖୁ ନାହାନ୍ତି । ମଣିଷ ପଶୁ କାହାରିକୁ ଛାଡ଼ୁ ନାହାନ୍ତି । ଯେତେ ପିଇଲେବି ଏମାନଙ୍କର ପେଟ ପୁରୁ ନାହିଁ । ଯେତେ ମାରିଲେ ବି ଏମାନଙ୍କ ସଂଖ୍ୟା କମୁନାହିଁ । ଦିନ ଦୁଇଟା ବେଳୁ ଝରକା କବାଟ ବନ୍ଦ୍ କରିବାକୁ ପଡୁଛି । କାଳେ ଭିତରକୁ ପଶି ଆସିବେ କି । ଗୋଟେ ଦୁଇଟା ନୁହେଁ ଘରେ ଘରେ ଏବେ ଶହ ଶହ ହଜାର ହଜାର ସଂଖ୍ୟାରେ ଦେଖିବାକୁ ମିଳୁଛି ଏମାନଙ୍କ ଉପସ୍ଥିତି । ଦର୍ଶକବନ୍ଧୁ ଆମେ କାହା କଥା କହୁଛୁ ଆପଣ ଅଳ୍ପ ବହୁତ୍ ବୁଝି ସାରିଥିବେ । ଆମେ କହୁଛୁ କଟକି ମଶାଙ୍କ କଥା ।

ମଝିରେ ମଝିରେ ସହରରେ ଚୋରୀ, ଛିନ୍ ତାଇ କମିଯାଉଛି ହେଲେ ଏମାନଙ୍କ ଉପଦ୍ରବ ବର୍ଷ ତମାମ କମୁ ନାହିଁ । ଏବେ ମଶାମାନଙ୍କ ଅଭୟାରଣ୍ୟ ପାଲଟିଛି କଟକ ସହର । ଘର ଭିତରେ ମଶା ମରା କଏଲ୍, ଧୂପ କାଠି ଧୂଆଁ କାମ ଦଉଛି ନା ଘର ବାହାରେ କାମ ଦେଉଛି ମଶା ତେଲ ଆଉ ଧୂଆଁ । ଯିଏ ମଶାରୀ ଭିତରେ ରହିଲା ସିଏ ଏମାନଙ୍କ କବଳରୁ ରକ୍ଷା ପାଇଲା ଭିତରେ ଥିବା ପର୍ଯ୍ୟନ୍ତ । ଦୁଇ ତିନି ସେକେଣ୍ଡ ପାଇଁ ଶରୀରକୁ ସ୍ଥିର କରି ରଖିଲେ ସରିଗଲା କଥା । ମହାକାଶଚାରିଙ୍କ ଭଳି ସମ୍ପୂର୍ଣ ଦେହକୁ ଘୋଡାଇ ରଖିବାକୁ ପଡୁଛି ।

ମଶା ଉପଦ୍ରବ କଥା, ଚାହା ଖଟିଠାରୁ ନେଇ ସି ଏମ ସି କାଉନସିଲ୍ ବୈଠକ ପର୍ଯ୍ୟନ୍ତ ସବୁ ଠାରେ ଆଲୋଚନା ହେଉଛି ସତ କିନ୍ତୁ ବାହାରି ପାରୁ ନାହିଁ ସମାଧାନର ବାଟ । ଚଳିତ ବର୍ଷ କିନ୍ତୁ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି ମଶାଙ୍କ ଉତ୍ପାତ । ଏତେ ମଶା ପୂର୍ବରୁ କୌଣସି ବର୍ଷ ଦେଖିବାକୁ ମିଳି ନ ଥିଲା ବୋଲି କହିଛନ୍ତି ସହରବାସୀ । କେବଳ ସହରବାସୀ ନୁହନ୍ତି ନିର୍ବାଚିତ ପ୍ରତିନିଧି ଯଥା ବିଭିନ୍ନ ୱାର୍ଡର କର୍ପୋରେଟର ମଧ୍ୟ ଏହି ସମସ୍ୟାକୁ ନେଇ ଚିନ୍ତିତ । କାରଣ ସେମାନେ ଉତ୍ତରଦାୟୀ ସ୍ଥାନୀୟ ବାସିନ୍ଦାଙ୍କ ପାଖରେ ।

ଏପଟେ କଟକ ମହାନଗର ନିଗମ ମେୟର କହୁଛନ୍ତି ଯେ କିଛି ଲୋକ ଅପପ୍ରଚାର କରୁଛନ୍ତି । ସହରରେ ସେଭଳି ମଶାଙ୍କର ଉପଦ୍ରବ ନାହିଁ । ସହର ଭିତରେ ଥିବା ୧୫୦ ପୋଖରୀର ପୁନରୁଦ୍ଧାର ତଥା ନବୀକରଣ ପାଇଁ ସିଏମସି ପକ୍ଷରୁ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଛି । ପୋଖରୀ ଗୁଡ଼ିକର ସଠିକ୍ ଢ଼ଙ୍ଗରେ ରକ୍ଷଣା ବେକ୍ଷଣ ହେଲେ ମଶା କମି ଯିବେ ବୋଲି କହିଛନ୍ତି ମେୟର । ସହର ଭିତରେ ଘର ନ କରି ଖାଲି ଜମି ପକାଇଥିବା ଲୋକମାନେ ମଧ୍ୟ ମଶାଙ୍କ ସଂଖ୍ୟା ବୃଦ୍ଧି ପାଇଁ ଦାୟୀ, ଏମାନଙ୍କ ସମ୍ପତ୍ତି ବ୍ୟାଜାପ୍ତି କରି ଦିଆଯିବା ଉଚିତ୍ ବୋଲି କହିଛନ୍ତି ମେୟର ।

ସମସ୍ତ ୱାର୍ଡରେ ଟିଫା ମେସିନ ଦିଆଯାଇଛି । ନାଳ ନର୍ଦ୍ଦମାରେ ମଶା ତେଲ ପକା ଯାଉଛି କିନ୍ତୁ ମଶା ତେଲର ମାନ ଆହୁରି ବୃଦ୍ଧି କରିବା ଦରକାର ବୋଲି କହି ସରକାରଙ୍କ ଉପରେ ଦୋଷ ଲଦିଛନ୍ତି କଟକ ମେୟର । ମ୍ୟାଲେରିଆ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗରେ କର୍ମଚାରିଙ୍କ ସଂଖ୍ୟା ବୃଦ୍ଧି କାହିଁକି କରାଯାଉ ନାହିଁ ବୋଲି ମେୟର ପ୍ରଶ୍ନ ଉଠାଇଛନ୍ତି । କଟକ ସହର ସହିତ ଦହିବରା, ଭାଇଚାରା ଭଳି ଶବ୍ଦ ଯୋଡ଼ି ହୋଇ ଥିବାରୁ ବହୁତ୍ ଖୁସି ଲାଗେ ସତ, କିନ୍ତୁ, ମଶା ଶବ୍ଦଟି ମଧ୍ୟ ଦଶନ୍ଧୀ ଦଶନ୍ଧୀ ଧରି ଏହି ସହରର ପରିଚୟ ସହିତ ଯୋଡି ହୋଇ ଯାଇଛି । ଯାହା ସହରବାସୀଙ୍କ ପାଇଁ ସତରେ କଷ୍ଟଦାୟକ ।

Related Articles

Leave a Reply

Your email address will not be published. Required fields are marked *

Back to top button