କାଲି ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ବି ଓଡ଼ିଶା ଆସୁଛନ୍ତି। ତେଣୁ ଡିଜିପି ଓ ଆଇଜି ସମ୍ମିଳନୀ ପାଇଁ ସୁରକ୍ଷା ବଳୟରେ ରହିଛି ଭୁବନେଶ୍ୱର।ଆସନ୍ତାକାଲି ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବ। ଏହା ଡିସେମ୍ବର ୧ ପର୍ଯ୍ୟନ୍ତ ଚାଲିବ।ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀ ଭୁବନେଶ୍ୱରରେ ହୋଇଛି କଡ଼ା ସୁରକ୍ଷା ବ୍ୟବସ୍ଥା । ସହରର ସମସ୍ତ ଏଣ୍ଟ୍ରି ପଏଣ୍ଟକୁ ସିଲ୍ କରି କଡ଼ା ଯାଞ୍ଚ କରୁଛନ୍ତି ପୁଲିସ ଓ ବିଏସଏଫ ।
ଭୁବନେଶ୍ୱର ଭିତରକୁ ଆସୁଥିବା ଗାଡ଼ି ଓ ବାହାରକୁ ଯାଉଥିବା ସମସ୍ତ ଗାଡ଼ିର ତନଖି କରାଯାଉଛି । ପିଏମଙ୍କ ଗସ୍ତ ପାଇଁ ରାତିସାରା ଭୁବନେଶ୍ବରର ବିଭିନ୍ନ ଏଣ୍ଟ୍ରି ପଏଣ୍ଟରେ କଡ଼ା ଚେକିଂ କରାଯାଇଛି ।ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ସ୍ଥାନରେ ‘ନୋ ଫ୍ଲାଇଙ୍ଗ ଜୋନ୍’ ଘୋଷଣା କରାଯାଇଛି। କାର୍ଯ୍ୟକ୍ରମ ସମୟରେ ଏହି ସବୁ ସ୍ଥାନରେ କୌଣସି ଡ୍ରୋନ୍ ଉଡ଼ି ପାରିବ ନାହିଁ।
ରାଜଧାନୀରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଚାରିଆଡ଼େ ପଇଁତରା ମାରୁଛନ୍ତି ବିଏସଏଫ୍ ଯବାନ। ରାଜ୍ୟ ଅତିଥି ଭବନରୁ ଆରମ୍ଭ କରି ଆଖପାଖ ଅଞ୍ଚଳରେ ସଶସ୍ତ୍ର ବିଏସଏଫ ଯବାନ ମୁତୟନ କରାଯାଇଛି। ସବୁ ବିଲଡିଂକୁ ତନ୍ନତନ୍ନ କରି ଯାଞ୍ଚ କରିବା ସହ କଡ଼ା ନଜର ରଖାଯାଇଛି।