କ୍ରୀଡା

ସିଲି ପଏଣ୍ଟ: ‘ସ୍ବାର୍ଥପର’ ପାଣ୍ଡ୍ୟା, ତିଳକଙ୍କୁ ଅର୍ଦ୍ଧଶତକରୁ ବଞ୍ଚିତ କଲେ – Utkal Mail


କୋର୍ଟକୁ ଫେରିଲେ ୱଜନିଆକି, ମନିକାଙ୍କ ହଜିଲା ବ୍ୟାଗ୍‌ ମିଳିଲା

ମଙ୍ଗଳବାର ମ୍ୟାଚ୍‌ରେ ତିଳକ ବର୍ମାଙ୍କୁ ଅର୍ଦ୍ଧଶତକ ପୂରଣ କରିବାକୁ ସୁଯୋଗ ଦେବା ବଦଳରେ ଛକା ମାରି ମ୍ୟାଚ୍‌ ଜିତାଇଥିବା ହାର୍ଦିକ ପାଣ୍ଡ୍ୟା ସାମାଜିକ ଗଣମାଧ୍ୟମରେ ସମାଲୋଚନାର ଶିକାର ହୋଇଛନ୍ତି। ଏପରିକି ପାଣ୍ଡ୍ୟାଙ୍କୁ ଅନେକ ‘ସ୍ବାର୍ଥପର’ ଆଖ୍ୟା ଦେବା ସହ ସାମାଜିକ ଗଣମାଧ୍ୟମରେ ଏହି ବିଷୟ ଏବେ ଅଧିକ ପ୍ରଚଳିତ ବିଷୟ ଭାବେ ରହିଛି। ଏହି ସମୟରେ ତିଳକ ଅର୍ଦ୍ଧଶତକଠୁ ମାତ୍ର ଗୋଟିଏ ରନ୍‌ ଦୂରରେ ଥିଲେ। ହେଲେ ପାଣ୍ଡ୍ୟାଙ୍କ ଛକା ତାଙ୍କୁ ଏହି ସୁଯୋଗରୁ ବଞ୍ଚିତ କରିଥିଲା। ଏଥିପାଇଁ ପ୍ରଶଂସକମାନେ ପାଣ୍ଡ୍ୟାଙ୍କ ସହିତ ମହେନ୍ଦ୍ର ସିଂହ ଧୋନିଙ୍କ ନିସ୍ବାର୍ଥପର ବ୍ୟାଟିଂର କିଛି ଭିଡିଓକୁ ମଧ୍ୟ ପୋଷ୍ଟ କରିଛନ୍ତି। ୨୦୧୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ର ଦୃଶ୍ୟକୁ ଏଠାରେ ଦର୍ଶାଯାଇଛି। ଧୋନି ଓ ବିରାଟ କୋହଲି କ୍ରିଜ୍‌ରେ ଥିଲା ବେଳେ ଭାରତକୁ ଜିତିବା ପାଇଁ ୭ ବଲ୍‌ରୁ ମାତ୍ର ୧ ରନ୍‌ ଆବଶ୍ୟକ ହେଉଥିଲା। କୋହଲି ୪୨ ବଲ୍‌ରୁ ୬୭ ରନ୍‌ କରି ନନ୍‌ଷ୍ଟ୍ରାଇକ୍‌ ପଟରେ ଥିଲେ ଓ ଧୋନି ପ୍ରଥମ ବଲ୍‌କୁ ସାମ୍ନା କରିବାକୁ ଯାଉଥିଲେ। ସର୍ଟ ପିଚ୍‌ ବଲ୍‌କୁ ଧୋନି ପୁଲ୍‌ ମାରିବା ବଦଳରେ ରକ୍ଷଣାତ୍ମକ ଖେଳିଥିଲେ ଏବଂ କୋହଲିଙ୍କୁ ମ୍ୟାଚ୍‌ ଶେଷ କରିବା ପାଇଁ ଇଙ୍ଗିତ କରିଥିଲେ। ମଙ୍ଗଳବାର ମ୍ୟାଚ୍‌ ସମୟରେ ମଧ୍ୟ ସମାନ ଧରଣର ପରିସ୍ଥିତି ଥିଲା। ହେଲେ ପାଣ୍ଡ୍ୟା ସ୍ବାର୍ଥପର ହୋଇ ଖେଳିବାରୁ ତିଳକ ଅର୍ଦ୍ଧଶତକ ଅର୍ଜନ କରିପାରିନଥିଲେ ବୋଲି ପ୍ରଶଂସକମାନେ କ୍ଷୋଭ ପ୍ରକାଶ କରିଛନ୍ତି।

କୋର୍ଟକୁ ଫେରିଲେ ୱଜନିଆକି

ଦୁଇ ସନ୍ତାନଙ୍କ ମା’ ପୂର୍ବତନ ବିଶ୍ବର ଏକ ନମ୍ବର କାରୋଲିନା ୱଜନିଆକି ପୁଣି ଥରେ ଟେନିସ କୋର୍ଟକୁ ଫେରିଛନ୍ତି। ପ୍ରାୟ ୩ ବର୍ଷ ପରେ କୋର୍ଟକୁ ଫେରିଥିବା ଏହି ନେଦରଲାଣ୍ଡ୍ସ ସୁନ୍ଦରୀ ନିଜର ଚମକ ମଧ୍ୟ ଦେଖାଯାଇଛନ୍ତି। ମଙ୍ଗଳବାର କାନିଡିଆନ୍‌ ଓପନ୍‌ରେ ପ୍ରତ୍ୟାବର୍ତ୍ତନର ପ୍ରଥମ ମ୍ୟାଚ୍‌ ଖେଳି ସିଧାସଳଖ ସେଟ୍‌ରେ ପ୍ରତିନ୍ଦ୍ବନ୍ଦ୍ବୀ କିମ୍ବରଲି ବିରେଲଙ୍କୁ ମାତ୍‌ ଦେଇଥିଲେ। ୱଜନିଆକି ୨୦୧୯ ଜୁନ୍‌ ୧୬ରେ ପୂର୍ବତନ ‌ଏନ୍‌ବିଏ ଖେଳାଳି ଡେଭିଡ ‌ଲିଲିଙ୍କୁ ବିବାହ କରିଥିଲେ। ୨୦୨୧ ଜୁନ୍‌ ୧୧ରେ ‌ସେ ପ୍ରଥମ କନ୍ୟା ସନ୍ତାନ ଓଲିଭ୍‌ରଙ୍କ ମା’ ହେବାର ସୌଭାଗ୍ୟ ପାଇଥିଲେ। ଏହା ପରବର୍ଷ ଦ୍ବିତୀୟ ସନ୍ତାନକୁ ଜନ୍ମ ଦେଇଥିଲେ ୩୩ ବର୍ଷୀୟା ୱଜନିଆକି। ୨୪ ଅକ୍ଟୋବର ୨୦୨୨ରେ ସେ ‌ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ପୁଅର ନା’ ଜେମ୍ସ ରଖିଛନ୍ତି। ପତି ଓ ପିଲାମାନଙ୍କ ସମ୍ମୁଖରେ ସେ ଖେଳୁଥିବାରୁ ବହୁତ ଖୁସି ଅଛନ୍ତି।

ମନିକାଙ୍କ ହଜିଲା ବ୍ୟାଗ୍‌ ମିଳିଲା

ଭାରତୀୟ ଟେବୁଲ ଟେନିସ (ଟିଟି) ତାରକା ମନିକା ବାତ୍ରାଙ୍କ ହଜି ଯାଇଥିବା ବ୍ୟାଗ୍‌ ମିଳିଯାଇଛି। ପେରୁ‌ରେ ଗୋଟିଏ ପ୍ରତିଯୋଗିତାରେ ଭାଗ ନେଇ ମଙ୍ଗଳବାର କେଏଲ୍‌ଏମ୍‌ ଏୟାରଲାଇନ୍ସରେ ସ୍ବଦେଶ ଫେରୁଥିଲା ବେଳେ ମନିକାଙ୍କ ଖେଳ ଉପକରଣ ଥିବା ବ୍ୟାଗ୍‌ ହଜିଯାଇଥିଲା। ବହୁତ ଖୋଜା ଖୋଜି କରିବା ପରେ ବ୍ୟାଗ୍‌ଟି ମିଳିନଥିଲା। ଫଳ‌ରେ ସେ ସରକାରଙ୍କୁ ସହୟତା ମାଗିଥିଲେ। ‌ସେ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟ୍ବିଟ୍‌ କରି ଏହି ବିଷୟରେ ଅବଗତ କରାଇଥିଲେ। ମନିକାଙ୍କ ଟ୍ବିଟ୍‌ ପାଇବା ପରେ ସିନ୍ଧିଆଙ୍କ କାର୍ଯ୍ୟାଳୟରୁ ଏହାର ଜବାବରେ ଦିଆଯାଇଥିଲା ଯେ ‘ବ୍ୟାଗ୍‌ ଦିଲ୍ଲୀ ଆସୁଥିବା ବିମାନରେ ରହିଛି। ଆସନ୍ତା କାଲି (ବୁଧବାର) ୧.୫୫ରେ ପହଞ୍ଚିଯିବ’। ବ୍ୟାଗ୍‌ ଦିଲ୍ଲୀରେ ପହଞ୍ଚିବା ପରେ ମନିକାଙ୍କୁ ଏହା ହସ୍ତାନ୍ତର କରାଯାଇଛି। ବ୍ୟାଗ୍‌ ପାଇବା ପରେ ମନିକା ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଲିମାରେ ଡବ୍ଲୁଟିଟି କଣ୍ଟେଣ୍ଡର ପ୍ରତିଯୋଗିତାରେ ଖେଳିବା ପରେ ଭାୟା ଆମଷ୍ଟରଡାମ ଦେଇ ମନିକା ଦିଲ୍ଲୀ ଫେରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button