୪ ବର୍ଷର ଶିଶୁ ପୁତ୍ରକୁ ଅପହରଣ କଲା ଧରମ ମାମୁଁ, ତିନି ଘଣ୍ଟା ଭିତରେ ଅଭିଯୁକ୍ତକୁ ଧରିଲା ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱରର ଭୋଇନଗରରୁ ଶିଶୁ ପୁତ୍ର ଅପହରଣ । ଶିଶୁ ପୁତ୍ରକୁ ଅପହରଣ କରିଥିଲା ଧରମ ମାମୁଁ । ବୁଲେଇବା ନାଁରେ ଛୁଆକୁ ନେଇ ମାରିଲା ଚମ୍ପଟ । ତିନି ଘଣ୍ଟା ଭିତରେ ଅଭିଯୁକ୍ତକୁ ଧରିଲା ପୋଲିସ । ହଁ ଆଜ୍ଞା ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ୱରର ଭୋଇ ନଗରରୁ ୪ ବର୍ଷର ଶିଶୁ ପୁତ୍ରକୁ ଅପହରଣ କଲା ଧରମ ମାମୁଁ । ବାପା ମା ଘର ଭିତରେ ଥିବା ସମୟରେ ବାହାରେ ଖେଳୁଥିବା ୪ ବର୍ଷର ଶିଶୁ ପୁତ୍ରକୁ ଅପହରଣ କରି ଫେରାର ହୋଇଯାଇଥିଲା ଅଭିଯୁକ୍ତ ମାମୁଁ ଅଭିଷେକ ଦିଗଲ ଓରଫ ସୋନୁ ।
ତେବେ ବର୍ଷେ ପୂର୍ବରୁ ବାଙ୍ଗାଲୋରରେ ଅଭିଯୁକ୍ତ ସହିତ ଦମ୍ପତ୍ତିଙ୍କ ଦେଖାହୋଇଥିଲା । ପରେ ଅଭିଯୋଗକାରିଣୀ ଗୋରିତା ସିଂଙ୍କ ସହିତ ସୋନୁର ସମ୍ପର୍କ ସ୍ଥାପନ ହୋଇଥିଲା । ସେଠାରେ ମିସ୍ତ୍ରୀ ଭାବେ କାମ କରୁଥିଲା ଅଭିଯୁକ୍ତ । ପରବର୍ତ୍ତୀ ସମୟରେ ଉଭୟଙ୍କ ଭିତରେ ସମ୍ପର୍କ ବଢିବା ସହ ସୋନୁକୁ ଧରମ ଭାଇ ବନାଇଥିଲେ ଗୋରିତା । କିନ୍ତୁ ପରବର୍ତ୍ତୀ ସମୟରେ ଗୋରିତା ଭୁବନେଶ୍ୱର ଫେରି ଆସି ନିଜ ସ୍ୱାମୀ ଓ ପିଲାଙ୍କ ସହ ରହିଥିଲେ । ପାଖାପାଖି ବର୍ଷେ ପରେ ଅଭିଯୁକ୍ତ ଭୁବନେଶ୍ୱର ଆସି ଗୋରୀତାଙ୍କୁ ଦେଖା କରିଥିଲେ ।
ଧରମ ଭାଇ ହିସାବରେ ଗୋରିତା ତାଙ୍କୁ ନିଜ ଘରକୁ ନିମନ୍ତ୍ରଣ କରିଥିଲେ । ତେବେ ଘର ଭିତରେ ସ୍ୱାମୀ ସ୍ତ୍ରୀ ଥିବା ବେଳେ ବାହାରେ ଖେଳୁଥିବା ୪ ବର୍ଷ ଶିଶୁକୁ ନେଇ ଗତକାଲି ସକାଳ ପାଖାପାଖି ସାଢେ ଦଶଟା ସମୟରେ ଫେରାର ହୋଇଯାଇଥିଲେ । ଯାହାପରେ ଗୋରୀତା ତାଙ୍କୁ ବାରମ୍ଵାର କଲ୍ କରିଥିଲେ । କିନ୍ତୁ ଅଭିଯୁକ୍ତ ବାହାନା କରି ଛୁଆକୁ ଫେରାଇନଥିଲା । ପର ସମୟରେ ଅଭିଯୁକ୍ତ ଫୋନ୍ ରିସିଭ କରିନଥିଲା ।
ଯାହାପରେ ପରିବାର ଲୋକେ ଅପରାହ୍ନ ୫ଟା ଯାଏଁ ଅପେକ୍ଷା କରିଥିଲେ ଏବଂ କୁନି ପୁଅକୁ ବହୁତ ଖୋଜା ଖୋଜି ମଧ୍ୟ କରିଥିଲେ । ହେଲେ ପୁଅକୁ ପାଇନଥିଲେ । ଶେଷରେ କିଛି ଉପାୟ ନପାଇ ସନ୍ଧ୍ୟା ବେଳେ ସହିଦନଗର ଥାନାରେ ପୁଅ ଅପହରଣ ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ସ୍ୱତନ୍ତ୍ର ଟିମ ଗଠନ କରିଥିଲା ସହିଦନଗର ଥାନା ପୋଲିସ । ତିନି ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ସାଲିଆ ସାହିରୁ ଶିଶୁ ଓ ଅପହରଣକାରୀ ସୋନୁକୁ ଧରିବାରେ ସକ୍ଷମ ହୋଇଥିଲେ ପୋଲିସ ।
ସୋନୁକୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ତେବେ ଅଭିଯୁକ୍ତ କାହିଁକି ନିଜ ଧରମ ଭଉଣୀର ଛୁଆକୁ ନେଇଥିଲା ତାହାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଅନ୍ୟପଟେ ଛୁଆର ବାପା ମାଆ ଶିଶୁ ଚୋରି ରାକେଟ ଚାଲିଥିବା ନେଇ ସନ୍ଦେହ କରୁଛନ୍ତି । ତେବେ ବର୍ତ୍ତମାନ ସଠିକ ତଦନ୍ତ ପରେ ହିଁ ପ୍ରକୃତ କାରଣ ସାମ୍ନାକୁ ଆସିବ ।