‘କରାଚି ଟୁ ନୋଇଡା’ର ଅଡିସନ ଦେବାକୁ ପହଞ୍ଚିଲେ ସୀମାଙ୍କ ଅବିକଳ – Utkal Mail
ନୂଆଦିଲ୍ଲୀ: ପାକିସ୍ତାନ ନାଗରିକ ସୀମା ହାଇଦର ଓ ଭାରତୀୟ ନାଗରିକ ସଚିନଙ୍କ ପ୍ରେମକାହାଣୀ ଚର୍ଚ୍ଚାରେ ରହିଛି। ଏବେ ବି ସୀମା ଓ ସଚିନଙ୍କୁ ବିଭିନ୍ନ ଏଜେନ୍ସି ପଚରାଉଚରା ଜାରି ରଖିଛନ୍ତି। ଦୁହିଁଙ୍କୁ ନେଇ ଏଯାବତ କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ।
ଏହି କ୍ରମରେ ସୀମା ଓ ସଚିନଙ୍କୁ ସିନେମା କରିବାର ଅଫର ମିଳିଥିବା ଶୁଣିବାକୁ ମିଳିଥିଲା। ଏହି ଅଫର ଫିଲ୍ମ ନିର୍ମାତା ଅମିତ ଜାନି ଦେଇଥିଲେ। ସୀମା ବି ସିନେମାରେ ଅଭିନୟ କରିବାକୁ ରାଜି ହୋଇଯାଇଛନ୍ତି। କିନ୍ତୁ ଯେପର୍ଯ୍ୟନ୍ତ ଏଜେନ୍ସିଙ୍କ ଦ୍ବାରା ତାଙ୍କର ଯାଞ୍ଚ ପୂରା ହୋଇନାହିଁ ସେ ପର୍ଯ୍ୟନ୍ତ ସେ ଅଭିନୟ କରି ପାରିବେ ନାହିଁ ବୋଲି ଫିଲ୍ମ ନିର୍ମାତା ଅମିତ ଜାନିଙ୍କୁ କହିଥିଲେ।
ସଚିନ ଓ ସୀମାଙ୍କ ପ୍ରେମ କାହାଣୀକୁ ନେଇ ଅମିତ ଜାନି ଏକ ସିନେମା ନିର୍ମାଣ କରିବେ। ଯାହାର ଶୀର୍ଷକ ରହିଛି ‘କରାଚି ଟୁ ନୋଇଡା’। ତେବେ କୁହାଯାଉଥିଲା କି ‘କରାଚି ଟୁ ନୋଇଡା’ ସିନେମାରେ ମୁଖ୍ୟ ଭୂମିକାରେ ସୀମା ଓ ସଚିନ ଅଭିନୟ କରିବେ କିନ୍ତୁ ଗୁରୁବାର ଜାନି ଫାୟାରଫକ୍ସ ପ୍ରଡକ୍ସନ୍ ଦ୍ୱାରା ଏକ ଭିଡିଓ ସେୟାର କରାଯାଇଛି।
ଏଥିରେ ସୀମା ଓ ସଚିନଙ୍କ ଚରିତ୍ର ପାଇଁ ଅଡିସନ ଦେବାକୁ ବିଭିନ୍ନ ସ୍ଥାନରୁ କଳାକାରମାନେ ଆସି ପହଞ୍ଚିଥିବା ଦେଖିବାକୁ ମିଳୁଛି। ତେବେ ସାମ୍ନାକୁ ଆସିଥିବା ଅଡିସନ ଭିଡିଓରେ ଯେଉଁ ଯୁବତୀ ଜଣକ ସୀମାଙ୍କ ଭୂମିକାରେ ଅଭିନୟ କରୁଛନ୍ତି ସେ ଅବିକଳ ପାକିସ୍ତାନ ନାଗରିକ ସୀମା ହାଇଦରଙ୍କ ଭଳି ଦେଖା ଯାଉଛନ୍ତି ବୋଲି କୁହାଯାଉଛି।
କେବଳ ଏତିକି ନୁହେଁ ତାଙ୍କର କଥା କହିବା ଶୈଳୀ, ବେଶଭୂଷା ସବୁ ସୀମାଙ୍କ ପରି ରହିଥିବା ଚର୍ଚ୍ଚା ହେଉଛି। ତେବେ ଏହି ଯୁବତୀ ଜଣକ ସୀମାଙ୍କ ଭୂମିକାରେ ଅଭିନୟ କରିବେ କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ।