ଦେଶ ବିଦେଶ

ପାକ୍‌ ବାୟୁସୀମା ଅବରୋଧ: ଶିମ୍‌ଲା ଚୁକ୍ତି ସ୍ଥଗିତ

ଇସଲାମାବାଦ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ଅନେକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ସିସିଏସ୍ ବୈଠକରେ ସିନ୍ଧୁ ଜଳ ଚୁକ୍ତି ଉପରେ ପ୍ରତିବନ୍ଧକ ସମେତ ୫ଟି ବଡ଼ ନିଷ୍ପତ୍ତି ନିଆଯିବା ପରେ ଏହାର ଜବାବରେ ଗୁରୁବାର ପାକିସ୍ତାନର ଜାତୀୟ ସୁରକ୍ଷା କମିଟି (ଏନ୍‌ଏସ୍‌ସି)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଭାରତ ପାଇଁ ପାକିସ୍ତାନର ଆକାଶପଥ  ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଶିମ୍‌ଲା ଚୁକ୍ତିକୁ ମଧ୍ୟ ସ୍ଥଗିତ ରଖାଯାଇଛି। ପାକିସ୍ତାନ ସମସ୍ତ ଭାରତୀୟ ବିମାନ ପାଇଁ ତା’ର ବାୟୁସୀମା ବନ୍ଦ କରିବାକୁ ଘୋଷଣା କରିଛି। ପାକିସ୍ତାନ ଦେଇ ତୃତୀୟ ଦେଶକୁ ଭାରତ ସହ ସମସ୍ତ ବାଣିଜ୍ୟକୁ ମଧ୍ୟ ତୁରନ୍ତ ବନ୍ଦ କରି ଦିଆଯାଇଛି। ସିନ୍ଧୁ ଜଳ ଚୁକ୍ତି ଅନୁଯାୟୀ ପାକିସ୍ତାନ ପାଇଁ ନିର୍ଦ୍ଧାରିତ ଜଳକୁ ଅନ୍ୟତ୍ର ସ୍ଥାନାନ୍ତର କରିବାର କୌଣସି ପଦକ୍ଷେପ ଯୁଦ୍ଧ କାର୍ଯ୍ୟ ବୋଲି ବିବେଚନା କରାଯିବ ବୋଲି ପାକିସ୍ତାନ କହିଛି।   ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକ ପରେ ଏହି ଘୋଷଣା କରାଯାଇଛି।

ଶିମ୍‌ଲା ଚୁକ୍ତି  ସ୍ଥଗିତ
‘ଜଳ ବନ୍ଦ କରିବାକୁ ଯୁଦ୍ଧ-ପଦକ୍ଷେପ ବିବେଚନା କରାଯିବ’

ଏହି ବୈଠକରେ ପାକିସ୍ତାନର ପ୍ରମୁଖ ମନ୍ତ୍ରୀ ଏବଂ ତିନି ସେନା ମୁଖ୍ୟ ଯୋଗ ଦେଇଥିଲେ। ଜାତୀୟ ନିରାପତ୍ତା କମିଟି (ଏନ୍ଏସ୍‌ସି)ର ବୈଠକ ପରେ ଜାରି ଏକ ବିବୃତିରେ କୁହାଯାଇଛି ଯେ ପାକିସ୍ତାନ ଭାରତ ସହ ସମସ୍ତ ଦ୍ୱିପାକ୍ଷିକ ଚୁକ୍ତିକୁ ସ୍ଥଗିତ ରଖିବାର ଅଧିକାର ବ୍ୟବହାର କରିବ, ଯେଉଁଥିରେ ସିମଲା ଚୁକ୍ତି ମଧ୍ୟ ଅନ୍ତର୍ଭୁକ୍ତ।  ପାକିସ୍ତାନ ତୁରନ୍ତ ୱାଘା ସୀମା ପୋଷ୍ଟକୁ  ମଧ ବନ୍ଦ କରିବ ବୋଲି ବିବୃତିରେ କୁହାଯାଇଛି। ତେବେ ଭାରତ ଅଟାରୀ ସୀମା ଚେକ୍‌ପୋଷ୍ଟକୁ ଆଗୁଆ ବନ୍ଦ କରିସାରିଛି। ଏହାବ୍ୟତୀତ ପାକିସ୍ତାନ ମଧ୍ୟ ଭାରତୀୟ ନାଗରିକମାନଙ୍କୁ ଜାରି କରାଯାଇଥିବା ସାର୍କ ଭିସା ଛାଡ଼ ଯୋଜନା   ଅଧୀନରେ ଥିବା ସମସ୍ତ ଭିସାକୁ ସ୍ଥଗିତ ରଖିଛି  ଏବଂ  ଭାରତୀୟ ନାଗରିକମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି। ପାକିସ୍ତାନ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବାପାଇଁ ଭାରତର ଏକତରଫା ନିଷ୍ପତ୍ତିକୁ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛି ଏବଂ ଏହି ଚୁକ୍ତିକୁ ଆଞ୍ଚଳିକ ସ୍ଥିରତା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରି କହିଛି ଯେ ଜଳ ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସ୍ୱାର୍ଥ ଏବଂ ୨୪୦ ନିୟୁତ ପାକିସ୍ତାନୀଙ୍କ ପାଇଁ ଏହା ଜୀବନରେଖା ଅଟେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button