ଓଡିଶା

ବୋମକେଇ ଓଢ଼ଣୀରେ ସ୍ବଚ୍ଛତା ବାର୍ତ୍ତା: ରାଜ୍ୟ ହସ୍ତତନ୍ତ ପୁରସ୍କାର ଦୌଡ଼ରେ ସାମିଲ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ହସ୍ତତନ୍ତ ଶିଳ୍ପକୁ ପୁଣି ଏକ ଉଲ୍ଲେଖନୀୟ ସ୍ବୀକୃତି ମିଳିବାକୁ ଯାଉଛି। ଗଞ୍ଜାମର ଅନ୍ୟତମ ହାତ ତିଆରି କାରିଗରୀ ତଥା ବୋମକେଇ ପାଟ ଶାଢ଼ୀ ସହ ସମ୍ପୃକ୍ତ ଓଢ଼ଣୀରେ ନିଆରା ଡିଜାଇନ୍ ରାଜ୍ୟ ହସ୍ତତନ୍ତ ପୁରସ୍କାର ଦୌଡ଼ରେ ସାମିଲ୍ ହୋଇପାରିଛି। ଆଉ ଏହା ପଛରେ ରହିଛନ୍ତି ଜଣେ ଯୁବ ବୁଣାକାର ୟୁ.ନୀଳକଣ୍ଠ। ନିଜ ହାତବୁଣା ଓଢ଼ଣୀରେ ସ୍ୱଚ୍ଛତାର ଚିତ୍ର ଆଙ୍କି ଏକ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି ସେ। ଆଉ ସେଥିପାଇଁ ଓଢ଼ଣୀ ଦେହରେ ବୁଣା ଯାଇଥିବା ସ୍ୱଚ୍ଛତାର ଚିତ୍ର ରାଜ୍ୟ ହସ୍ତତନ୍ତ ପୁରସ୍କାର ପ୍ରତିଯୋଗିତା ଦୌଡ଼ରେ ସାମିଲ ହୋଇପାରିଛି।

ହାତତିଆରି ଉତ୍ପାଦନ ପ୍ରସ୍ତୁତ କରୁଥିବା ପାରମ୍ପରିକ ବୁଣାକାରଙ୍କ ଗ୍ରାମ ଭାବେ ନାଁ କମାଇଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ପଦ୍ମନାଭପୁର। ଏଠାରେ ବୁଣାକାରଙ୍କ ଦ୍ଵାରା ତିଆରି କରାଯାଉଥିବା ଶାଢ଼ୀ ବୋମକେଇ ଶାଢ଼ୀ ଭାବେ ପରିଚିତ। ଏହି ଗ୍ରାମର ବାସିନ୍ଦା ୟୁ.ନୀଳକଣ୍ଠ ଏବଂ ତାଙ୍କର ୮ ଜଣିଆ ପରିବାର ପୂର୍ବରୁ କଟନ୍‌ ଲୁଗା ତିଆରି କରୁଥିଲେ। ଗତ କିଛି ମାସ ହେବ ନୀଳକଣ୍ଠ ବୋମକେଇ ଡିଜାଇନ୍‌କୁ ନିଜ ହାତ ତିଆରି ଶାଢ଼ୀ ବୁଣାରେ ପ୍ରୟୋଗ କରିବାରେ ଲାଗିଛନ୍ତି। ବୟନ ବିଭାଗ ତତ୍ତ୍ଵାବଧାନରେ ବୋମକେଇ ଡିଜାଇନ୍‌ରେ ନୀଳକଣ୍ଠ ବୁଣିଛନ୍ତି ଏକ ଓଢ଼ଣୀ ଯାହାର ଥିମ୍ ରହିଛି ସ୍ୱଚ୍ଛ ଭାରତ ଅଭିଯାନ।

ଆଧୁନିକତାର ତାଡ଼ନାରେ ଧିରେ ଧିରେ ନିଜ ସତ୍ତା ସଂରକ୍ଷଣ ସକାଶେ ସଂଘର୍ଷରତ ପ୍ରସିଦ୍ଧ ବୋମକେଇର ପୁନରୁଦ୍ଧାର ଦିଗରେ ଏକ ପ୍ରୟାସ ସ୍ୱରୂପ ସାମ୍ପ୍ରତିକ ସମୟର ଏକ ଥିମ୍‌କୁ ଗ୍ରହଣ କରିଛନ୍ତି ନୀଳକଣ୍ଠ। ୨.୫ ମିଟର ଲମ୍ବ ଓ ୦.୯୫ ମିଟର ଓସାରର ବୋମକେଇ କଟନ୍ ଓଢ଼ଣୀ ବୁଣିବାକୁ ତିନି ମାସ ସମୟ ନେଇଥିଲେ ନୀଳକଣ୍ଠ। ପ୍ରଥମେ ଏହାର ଗ୍ରାଫ୍ ଆଙ୍କିଥିଲେ ଓ ସେହି ଅନୁସାରେ ଡିଜାଇନ୍ ପ୍ରସ୍ତୁତି କରି ଏହାକୁ ପ୍ରାୟ ଦୁଇ ସପ୍ତାହ ମଧ୍ୟରେ ବୁଣି ତିଆରି କରିଥିଲେ ସେ। ଓଢ଼ଣୀର ଗୋଟିଏ ପାର୍ଶ୍ବରେ ବୋମକେଇ ଡିଜାଇନ୍ ଚିତ୍ରିତ ହୋଇଛି ତ ଅପର ପାର୍ଶ୍ଵରେ ରହିଛି ଗାନ୍ଧିଜୀଙ୍କ ଚିତ୍ର, ଚଷମା ଓ ଚରଖା। ସେଥିରେ ଲେଖାଯାଇଥିବା ‘ଏକ୍ କଦମ୍ ସ୍ୱଚ୍ଛତା କୀ ଔର୍’ ସ୍ୱଚ୍ଛତା ଅଭିଯାନର ସଚେତନତାମୂଳକ ବାର୍ତ୍ତା ପରିବେଷଣ କରୁଛି। ଏହି ଓଢ଼ଣୀ ରାଜ୍ୟ ହସ୍ତତନ୍ତ ପୁରସ୍କାର ଦୌଡ଼ରେ ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button