କିଲୋ ପିଛା ୫୦ ଟଙ୍କାରେ ବିକ୍ରି ହେବ ନେପାଳରୁ ଆମଦାନୀ ହୋଇଥିବା ୫ ଟନ ଟମାଟୋ – Utkal Mail
ନୂଆଦିଲ୍ଲୀ: ନେପାଳରୁ ଆମଦାନୀ ହୋଇଥିବା ପ୍ରାୟ ପାଞ୍ଚ ଟନ୍ ଟମାଟୋ ଉତ୍ତରପ୍ରଦେଶରେ କିଲୋଗ୍ରାମ ପିଛା ୫୦ ଟଙ୍କାରେ ବିକ୍ରି ହେବ। ନ୍ୟାସନାଲ କଞ୍ଜ୍ୟୁମର କୋଅପରେଟିଭ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ଏନସିସିଏଫ୍) ବୁଧବାର ଏହି ସୂଚନା ଦେଇଛି। ନେପାଳରୁ ୧୦ ଟନ୍ ଟମାଟୋ ଆମଦାନୀ କରିବାକୁ ଏନସିସିଏଫ୍ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି। ଆମଦାନୀ ସହିତ ଏନସିସିଏଫ୍ ମଧ୍ୟ କେନ୍ଦ୍ର ସରକାରଙ୍କ ତରଫରୁ ଟମାଟୋ କ୍ରୟ କରୁଛି ଏବଂ ସବସିଡି ହାରରେ ଗ୍ରାହକଙ୍କୁ ବିକ୍ରି କରୁଛି। ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଏନସିସିଏଫ୍ ପକ୍ଷରୁ ମଙ୍ଗଳବାର ଉତ୍ତରପ୍ରଦେଶରେ ୩-୪ ଟନ୍ ଟମାଟୋ ଖୁଚୁରା ବିକ୍ରେତାଙ୍କୁ ଦିଆଯାଇଛି | ଏନେଇ ଏନସିସିଏଫ୍ ନିର୍ଦ୍ଦେଶକ ଜୋସେଫ ଚନ୍ଦ୍ରା କହିଛନ୍ତି ଯେ ଏବେ ପ୍ରାୟ ପାଞ୍ଚ ଟନ୍ ଟମାଟୋ ଆସୁଛି ଏବଂ ଗୁରୁବାର ଉତ୍ତରପ୍ରଦେଶରେ ଏହା ବିକ୍ରି ହେବ |
ଯେହେତୁ ଟମାଟୋ ଶୀଘ୍ର ନଷ୍ଟ ହୋଇଯାଏ, ଏହି କାରଣରୁ ଏହାକୁ ଦେଶର ଅନ୍ୟାନ୍ୟ ସ୍ଥାନରେ ବିକ୍ରି କରାଯାଇପାରିବ ନାହିଁ | ଉତ୍ତରପ୍ରଦେଶରେ ଉଭୟ ଆମଦାନୀ ତଥା ସ୍ଥାନୀୟ ଭାବରେ କ୍ରୟ ହୋଇଥିବା ଟମାଟୋକୁ ଖୁଚୁରା ଆଉଟଲେଟ୍ ମାଧ୍ୟମରେ ତଥା ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ କେତେକ ସ୍ଥାନରେ ବିକ୍ରି ହେଉଛି। ସେ କହିଛନ୍ତି ଯେ ଦିଲ୍ଲୀ-ଏନସିଆର ଏବଂ ରାଜସ୍ଥାନରେ ଦେଶର ପ୍ରମୁଖ ଉତ୍ପାଦନକାରୀ ରାଜ୍ୟରୁ କିଣାଯାଇଥିବା ଟମାଟୋକୁ କିଲୋଗ୍ରାମ ପିଛା ୫୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି। ନେପାଳରୁ ଟମାଟୋ ଆମଦାନୀ ବିଷୟରେ ପଚରାଯିବାରୁ ଜୋସେଫ କହିଛନ୍ତି ଯେ ମଧ୍ୟପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରେ ଏବେ ଟମାଟୋ ଉତ୍ପାଦନ ହେଉଥିବାବେଳେ ମୂଲ୍ୟ ମଧ୍ୟ ହ୍ରାସ ପାଇଛି | ସରକାରୀ ତଥ୍ୟ ଅନୁଯାୟୀ ଟମାଟୋର ହାରାହାରି ହୋଲସେଲ ମୂଲ୍ୟ ଅଗଷ୍ଟ ୧୫ ରେ କିଲୋଗ୍ରାମ ପିଛା ୮୮.୨୨ ଟଙ୍କାକୁ ହ୍ରାସ ପାଇଛି।
ସେହିଭଳି ଟମାଟୋର ସର୍ବ-ଭାରତର ହାରାହାରି ଖୁଚୁରା ମୂଲ୍ୟ ୧୦୭.୮୭ ଟଙ୍କା ହୋଇଛି। ଉଲ୍ଲେଖ ଥାଉ କି ନେପାଳର ୩ଟି ଜିଲ୍ଲା କାଠମାଣ୍ଡୁ, ଲଳିତପୁର ଓ ଭକ୍ତପୁରରେ ପ୍ରଚୁର ପରିମାଣରେ ଟମାଟୋ ଉତ୍ପାଦନ ହୁଏ, ଯାହାକି ନେପାଳର ଚାହିଦାଠାରୁ ଢେର୍ ଅଧିକ । ଗତ ମାସରେ ନେପାଳର ଚାଷୀମାନେ ୬୦ରୁ ୭୦ ହଜାର ଟନ ଟମାଟୋ ଫିଙ୍ଗିଦେଇଥିଲେ । ଟମାଟୋର ଉପଯୁକ୍ତ ଦର ନ ମିଳିବାରୁ ସେମାନେ ଏହା କରିଥିଲେ। ଏହି କାରଣରୁ ଭାରତକୁ ନିଜର ବଳକା ଟମାଟୋ ରପ୍ତାନି କରିବାକୁ ଇଚ୍ଛା ପ୍ରକାଶ କରିଥିଲା ନେପାଳ । ଆଉ ଭାରତ ସରକାର ସବୁଜ ସଂକେତ ଦେବା ପରେ ଏବେ ଏହି ଟମାଟୋ ଭାରତକୁ ଆସିଛି |