ଦେଶ ବିଦେଶ

ମହାକାଶରେ ୯ମାସ ରହିଥିବା ସୁନୀତା ଓ ବୁଚ୍‌ଙ୍କୁ ନିଜ ପକେଟରୁ ଟଙ୍କା ଦେବେ ଟ୍ରମ୍ପ !

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୯ ମାସରୁ ଅଧିକ ସମୟ ଧରି ଫସି ରହିଥିବା ଭାରତୀୟ-ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍‌ ୱିଲ୍‌ମୋର ବୁଧବାର ଭାରତୀୟ ସମୟ ଭୋର ୩ଟା ୨୭ ମିନିଟ୍‌ରେ ଫ୍ଲୋରିଡା ନିକଟ ସମୁଦ୍ରରେ ସୁରକ୍ଷିତ ଭାବେ ଅବତରଣ କରିଥିଲେ। ସେମାନଙ୍କ ସହିତ ଆଉ ଦୁଇ ମହାକାଶଚାରୀ ନିକ୍‌ ହେଗ୍‌ ଓ ଆଲେକଜାଣ୍ଡର ଗ୍ରିବୟୋଙ୍କି ମଧ୍ୟ ପୃଥିବୀକୁ ‌ଫେରିଥିଲେ। ସେମାନଙ୍କର ଅବତରଣ ବେଳର ଦୃଶ୍ୟ ବିଜ୍ଞାନପ୍ରେମୀଙ୍କ ମଧ୍ୟରେ ରୋମାଞ୍ଚ ସୃଷ୍ଟି କରିଥିଲେ।

ତେବେ ୯ମାସ ଧରି ମହାକାଶରେ ଫସିବା ପରେ ଏବେ ସୁନୀତା ଓ ବୁଚ୍‌ଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି ଯେ, ମହାକାଶରେ ଅଧିକ ମାସ ରହିଥିବାରୁ ନାସାର ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କୁ ନିଜ ପକେଟରୁ ଟଙ୍କା ଦେବେ। ଏହା ସହ ଫସି ରହିଥିବା ମହାକାଶଚାରୀଙ୍କୁ ଘରକୁ ଫେରାଇ ଆଣିବା ପାଇଁ ସ୍ପେସଏକ୍ସ ଡ୍ରାଗନ ଫ୍ରିଡମ ସ୍ପେସକ୍ରାଫ୍ଟ ବ୍ୟବହାର କରିଥିବାରୁ ଟ୍ରମ୍ପ ଏଲନ୍ ମସ୍କଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ସ୍ପେସ୍‌ଏକ୍ସର ଡ୍ରାଗନ୍‌ କ୍ୟାପ୍‌ସୁଲ ଜଳଭାଗରେ ଆକାଶଛତା ଜରିଆରେ ବେଗକୁ ନିୟନ୍ତ୍ରଣ କରି ଓହ୍ଲାଇବା ବେଳର ବିରଳ ମୁହୂର୍ତ୍ତକୁ ଦେଖିବା ପରେ ଲୋକମାନେ ଆନନ୍ଦରେ ନାଚି ଉଠିଥିଲେ। ଡ୍ରାଗନ୍‌ କ୍ୟାପ୍‌ସୁଲ ସମୁଦ୍ରରେ ଓହ୍ଲାଇବାର କିଛି ସମୟ ଯାଏ ତାହା ଭାସିଥିଲା। ‌ସେହି ସମୟ ମଧ୍ୟରେ ସମୁଦ୍ରରେ ପୂର୍ବରୁ ମୁତୟନ ଥିବା ଜାହାଜ କ୍ୟାପ୍‌ସୁଲକୁ ଟାଣି ଟାଣି କିଛି ବାଟ ଆଣିଥିଲା। ଏହା ପରେ ଜାହାଜରେ ଥିବା ଦୁଇଟି ଲିଫ୍ଟ ଜରିଆରେ କ୍ୟାପ୍‌ସୁଲକୁ ଜାହାଜର ଉପରଭାଗକୁ ନିଆଯାଇଥିଲା। ଅଧଘଣ୍ଟା ପରେ କ୍ୟାପ୍‌ସୁଲର ଦ୍ବାରକୁ ସ୍ପେସ୍‌ଏକ୍ସର କର୍ମଚାରୀମାନେ ଖୋଲି ମହାକାଶଚାରୀମାନଙ୍କ ଫଟୋ ଉତ୍ତୋଳନ କରିବା ସହିତ ସେମାନେ ସୁରକ୍ଷିତ ବାହାରିବାର ବ୍ୟବସ୍ଥା କରିଥିଲେ। ଏହା ପରେ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଜଣଙ୍କ ପରେ ଜଣେ ମହାକାଶଚାରୀଙ୍କୁ ସ୍ପେସଏକ୍ସର କର୍ମଚାରୀମାନେ ମେଡିକାଲ୍‌ ଷ୍ଟ୍ରେଚର୍‌ ଜରିଆରେ ବାହାର କରିଥିଲେ। ମହାକାଶଚାରୀମାନେ ଏହି ସମୟରେ ଲୋକଙ୍କୁ ହାତ ହଲାଇ ଅଭିନନ୍ଦନ ଜଣାଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button