କଳା ଡାଏରିରେ କଳା କାରନାମା: ରିମାଣ୍ଡ୍ରେ ଦୁହ୍ଲେ ରାଜା

ଭୁବନେଶ୍ବର: ଦୁଇ ଦିନିଆ ରିମାଣ୍ଡରେ ଆସିଛି ପାଞ୍ଚ ପାଞ୍ଚ ମହିଳାଙ୍କ ଦୁହ୍ଲେ ରାଜା ସତ୍ୟଜିତ୍ ସାମଲ। ରିମାଣ୍ଡ୍ର ପ୍ରଥମ ଦିନରେ ପୁଲିସ ହାତରେ ଲାଗିଛି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ। ଭଡ଼ାଘରୁ ମିଳିଛି ଏକ କଳାରଙ୍ଗର ଡାଏରି। ଏଥିସହିତ ସେଠାରୁ ଏକ ଲାପଟପ୍, ୨ଟି ପେନ୍ ଡ୍ରାଇଭ୍, ପାସ୍ପୋର୍ଟ ଓ ବ୍ୟାଙ୍କ ପାସ୍ବୁକ୍ ମିଳିଛି।
କଳା ଡାଏରିରେ ଧୂର୍ତ୍ତ ସତ୍ୟଜିତ୍ର କଳା କାରନାମା କଏଦ ହୋଇରହିଥିବା ଜଣାପଡ଼ିଛି। ସେହିଭଳି ଲାପ୍ଟପ୍ରେ ମଧ୍ୟ ତା’ ସମ୍ପର୍କରେ ଆସିଥିବା ମହିଳାମାନଙ୍କ ବିଷୟରେ ବହୁତ କିଛି ସୂଚନା ଥିବା ଅନୁମାନ କରାଯାଉଛି। ତେଣୁ ତାକୁ ମାରାଥନ ଜେରା କରାଯାଉଛି ଏବଂ ଏଥିସହିତ ତା’ର ଲାପ୍ଟପ୍ ଓ ପେନ୍ ଡ୍ରାଇଭ୍ରେ ଥିବା ଗୋପନ ପେଟରାକୁ ଖୋଳତାଡ଼ କରାଯାଉଛି। ବୁଧବାର ତା’ର ରିମାଣ୍ଡ ଅବଧି ସରୁଥିବାରୁ ପୁଲିସ ତା’କୁ ଘନଘନ ଜେରା କରୁଛି।
ଆଜି ପୁଲିସ ସତ୍ୟଜିତ୍କୁ ନେଇ ତା’ର ପଟିଆସ୍ଥିତ ଭଡ଼ା ଘରେ ଛାନ୍ଭିନ କରିଥିଲା। ସେଠାରୁ କଳାରଙ୍ଗର ଡାଏରି ସହ ଉପରୋକ୍ତ ସବୁ ଜିନିଷପତ୍ର ଜବତ କରିଥିଲା। ଡାଏରିରେ ତା’ର ବ୍ୟବସାୟିକ ହିସାବ କିତାବ ରହିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କିନ୍ତୁ ଏହାବାଦ ସେଥିରେ ସେ କେତେ ନମ୍ବର ସ୍ତ୍ରୀଠାରୁ କେତେ ଟଙ୍କା ନେଇଛି, କେତେ ନମ୍ବର ପ୍ରେମିକାଠାରୁ କେତେ ଟଙ୍କା ପାଇଛି, ସେସବୁ ମଧ୍ୟ ରହିଛି। ସେହିଭଳି କେଉଁ କେଉଁ ସଂସ୍ଥାରେ ସେ ଟଙ୍କା ବିନିଯୋଗ କରିଛି, ସେସବୁ ହିସାବ ମଧ୍ୟ ଡାଏରିରେ ରହିଛି। ତେଣୁ ଅଧିକ ଖୋଳତାଡ଼ ହେବା ପରେ ତା’ର କଳା ସାମ୍ରାଜ୍ୟର କାରନାମା ପଦାକୁ ଆସିବ। କିନ୍ତୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବ ଲାପ୍ଟପ୍ ଓ ପେନ୍ ଡ୍ରାଇଭ୍ରୁ। ସେଥିରେ କିଛି ସମ୍ବେଦନଶୀଳ ତଥ୍ୟ ଥିବା ଅନୁମାନ କରାଯାଉଛି। ବ୍ଲାକ୍ମେଲ୍ ପାଇଁ ସେ ବ୍ୟବହାର କରୁଥିବା କିଛି ଅଶ୍ଳୀଳ ଭିଡିଓ ଥିବା ସନ୍ଦେହ କରାଯାଉଛି। ଜଣାପଡ଼ିଛି ଯେ ବିଭିନ୍ନ ବାହାନାରେ ସ୍ତ୍ରୀ ବା ପ୍ରେମିକାଙ୍କଠାରୁ ଟଙ୍କା ନେଇଥାଏ ଏବଂ ପରେ ଫେରାଇବ ବୋଲି ପ୍ରତିଶ୍ରୁତି ଦେଇଥାଏ। ମହିଳାମାନେ ଟଙ୍କା ମାଗିବା ସମୟ ହେଲେ ସେ ବିଦେଶ ଉଡ଼ିଯାଏ। ସରକାରୀ ତଦନ୍ତ କାମରେ ସେ ଦୁବାଇ ବା ସାଉଦି ଆରବ ଯାଇଛି ବୋଲି କହିଦିଏ। ସେ ନିଜକୁ କ୍ରାଇମ୍ବ୍ରାଞ୍ଚ ଅଧିକାରୀ, ଗୁଇନ୍ଦା ଅଧିକାରୀ ବୋଲି କହିଥିବାରୁ ମହିଳାମାନେ ବିଶ୍ବାସ କରନ୍ତି। ସେହିଭଳି ସେ ନିଜକୁ ରିଆଦ୍ରେ କାମ କରୁଥିବା ପାଇଲଟ୍ ବୋଲି କହିଥାଏ। ତେଣୁ ଟଙ୍କା ମାଗୁଥିବା ମହିଳାମାନେ ରିଆଦ୍ରୁ ତା’ର ଫେରିବା ବାଟକୁ ଚାହିଁ ବସନ୍ତି। ସେ କେତେଥର ବିଦେଶ ଯାଇଛି, ପାସ୍ପୋର୍ଟ ତଦନ୍ତରୁ ଜଣାପଡ଼ିବ। ସେଥିପାଇଁ ପୁଲିସ ପ୍ରସ୍ତୁତି ଚଳାଇଛି।
ମାଟ୍ରିମୋନି ସାଇଟ୍ରେ କମ୍ ବୟସର ବିଧବା, ସ୍ବାମୀ ପରିତ୍ୟକ୍ତାଙ୍କୁ ଟାର୍ଗେଟ୍ କରି ବିବାହ କରିବାର ପ୍ରସ୍ତାବ ଦେଉଥିଲା ବିବିଏ ପଢ଼ା ଧୂର୍ତ୍ତ ସତ୍ୟଜିତ୍। ନିଜକୁ ଗୁଇନ୍ଦା ଅଧିକାରୀ, ଦିଲ୍ଲୀ କ୍ରାଇମ୍ବ୍ରାଞ୍ଚ ଅଫିସର, ସିବିଆଇ ଅଫିସର ଭଳି ପଦବିରେ ଥିବା ଦର୍ଶାଇବା ସହ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇସାରିଛି ବୋଲି କହିଥାଏ। ଏମିତିରେ ସେ ଓଡ଼ିଆ ଓ ଅଣଓଡ଼ିଆ ୫ଜଣ ମହିଳାଙ୍କୁ ବିବାହ କରିସାରିଥିଲା। ଏହାପରେ ବି ଆହୁରି ୪୯ ମହିଳାଙ୍କ ସହ ସେ ଯୋଗାଯୋଗରେ ଥିଲା। ହୁଏତ ପୁଲିସ ହାବୁଡ଼ରେ ପଡ଼ିବା ଆଉ କିଛି ଦିନ ବିଳମ୍ବ ହୋଇଥିଲେ, ଅର୍ଦ୍ଧଶତକ ସଂଖ୍ୟକ ମହିଳା ତା’ର ଶିକାର ହୋଇଥାଆନ୍ତେ। କୌଣସି ସୂତ୍ରରୁ ଧୂର୍ତ୍ତ ସତ୍ୟଜିତ୍ର କାରନାମା ୨ ମହିଳାଙ୍କ ନଜରକୁ ଆସିଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ବାଲେନୋ କାର୍ ସହିତ ୨୮ ଲକ୍ଷ ଟଙ୍କା ଦେଇଥିଲେ। ଅନ୍ୟଜଣକ ବୁଲେଟ୍ ସହିତ ୮ ଲକ୍ଷ ୬୦ ହଜାର ଟଙ୍କା ଗଣିଦେଇଥିଲେ। ସେମାନେ ଅଭିଯୋଗ କରିବା ପରେ ତାକୁ ଗିରଫ କରାଯାଇଛି।