ଦେଶ ବିଦେଶ

ଜାତି, ଧର୍ମ ଆଧାରରେ ଭୋଟ୍ ନ ମାଗିବାକୁ ନିର୍ବାଚନ କମିଶନଙ୍କ ଚେତାବନୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ ଆୟୋଗ ଶୁକ୍ରବାର ସମସ୍ତ ରାଜନୈତିକ ଦଳଙ୍କୁ ଆଦର୍ଶ ଆଚରଣ ବିଧିର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି । ଏହାଛଡ଼ା ଭିତ୍ତିହୀନ ବୟାନ ଦେଇ ଭୋଟରଙ୍କୁ ବିଭ୍ରାନ୍ତ ନକରିବାକୁ କହିଛନ୍ତି କମିଶନ ।

ନିର୍ବାଚନ କମିଶନ ଏକ ଆଡଭାଇଜରିରେ ରାଜନୈତିକ ଦଳ, ପ୍ରାର୍ଥୀ ଓ ଷ୍ଟାର ପ୍ରଚାରକଙ୍କୁ ଜାତି, ଧର୍ମ ଅବା ଭାଷା ଆଧାରରେ ଭୋଟ୍ ନ ମାଗିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି। ନିର୍ବାଚନ ପ୍ରଚାର ପାଇଁ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାର କିମ୍ବା ଅନ୍ୟାନ୍ୟ ଧାର୍ମିକ ସ୍ଥଳ ବ୍ୟବହାର ନ କରିବାକୁ କୁହାଯାଇଛି ।

ଆଡଭାଇଜରିରେ କୁହାଯାଇଛି, ପୂର୍ବରୁ ନୋଟିସ୍ ପାଇଥିବା ଷ୍ଟାର ପ୍ରଚାରକ ଏବଂ ପ୍ରାର୍ଥୀମାନେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ।

ପ୍ରତିଦ୍ୱନ୍ଦ୍ୱୀଙ୍କୁ ବଦନାମ କିମ୍ବା ଅପମାନ କଲା ଭଳି ପ୍ରାର୍ଥୀମାନେ ସୋସିଆଲ ମିଡ଼ିଆ ପୋଷ୍ଟରୁ ଦୂରେଇ ରହିବେ। ଏହାଛଡ଼ା ଭକ୍ତ-ଦେବତା ସମ୍ପର୍କକୁ ଉପହାସ ଏବଂ ଦେବଦେବୀଙ୍କୁ ନିନ୍ଦା କରି କୌଣସି ମନ୍ତବ୍ୟ ନ ଦେବାକୁ ସବୁ ରାଜନୈତିକ ଦଳ ଗୁଡ଼ିକୁ କୁହାଯାଇଛି ।

ସବୁ ରାଜନୈତିକ ଦଳମାନଙ୍କୁ ପଠାଯାଇଥିବା ଆଡଭାଇଜରିରେ ନିର୍ବାଚନ କମିଶନ ଶାଳୀନତା ଓ ଅତ୍ୟଧିକ ସଂଯମ ବଜାୟ ରଖିବା ସହ ପ୍ରସଙ୍ଗ ଆଧାରିତ ନିର୍ବାଚନ ପ୍ରଚାର ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button