ଆଜି ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ, ହୋଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର : ଆଜି ନବୀନ ନିବାସରେ ବସିବ ବିଜେଡିର ରାଜନୈତିକ ବ୍ୟାପାର କମିଟିର ପ୍ରଥମ ବୈଠକ । ନିକଟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜନୈତିକ ବ୍ୟାପାର କମିଟି ଗଠନ କରିଥିଲେ । ରାଜନୈତିକ ବ୍ୟାପାର କମିଟି ହେଉଛି ବିଜେଡିର ଉଚ୍ଚସ୍ତରୀୟ କମିଟି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି କମିଟିରେ ମୋଟ ୧୦ ଜଣ ସଦସ୍ୟ ରହିଛନ୍ତି ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କମିଟିରେ ଅନେକ ବରିଷ୍ଠ ନେତାଙ୍କୁ ସାମିଲ କରାଯାଇନାହିଁ । ରାଜା ସ୍ୱାଇଁ, ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂହଦେଓ, ଦେବୀ ମିଶ୍ର, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକଙ୍କ ଭଳି ପୁରୁଖା ନେତାଙ୍କୁ କମିଟିରେ ସ୍ଥାନ ମିଳିନାହିଁ ।
ଆଗାମୀ ଦିନରେ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମ ଓ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । ଏହି କମିଟି ନିର୍ବାଚନୀ ରଣନୀତି, ପ୍ରାର୍ଥୀ ଚୟନ ଏବଂ ନୀତି ପ୍ରଣୟନ ସହିତ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ନିଷ୍ପତ୍ତି ନେବ । କମିଟିର ପ୍ରଥମ ବୈଠକ ବସୁଥିବାରୁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଲାଗିପାରେ । ରାଜନୈତିକ ବ୍ୟାପାର କମିଟି ହେଉଛି ବିଜେଡିର ଶୀର୍ଷ ସ୍ତରୀୟ ନିଷ୍ପତ୍ତି ଗ୍ରହଣକାରୀ କମିଟି । ନବୀନ ପଟ୍ଟନାୟକ ଏହାର ଅଧ୍ୟକ୍ଷ ଅଛନ୍ତି ।