ବ୍ୟବସାୟ

ସିଏଜି ରିପୋର୍ଟ ନେଇ ରାଜନୀତି: ମୋଦୀ ସରକାରଙ୍କୁ ଘେରିଲେ କଂଗ୍ରେସ, ଆପ୍ – Utkal Mail


ନୂଆଦିଲ୍ଲୀ: ଦ୍ବାରକା ଏକ୍ସପ୍ରେସ୍‌ୱେ ନିର୍ମାଣରେ ବ୍ୟାପକ ହେରଫେର ହୋଇଥିବା ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି)ଙ୍କ ରିପୋର୍ଟରୁ ଜଣାପଡ଼ିଛି। ଭାରତମାଳା କାର୍ଯ୍ରକ୍ରମ ଅଧୀନରେ ଏହି ଏକ୍ସପ୍ରେସ୍‌ୱେ ତିଆରି କରାଯାଇଛି। କିଲୋମିଟର ପିଛା ୧୮.୨ କୋଟି ଟଙ୍କାରେ ଏହାକୁ ନିର୍ମାଣ କରିବା ଲାଗି ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି (ସିସିଇଏ) ଧାର୍ଯ୍ୟ କରିଥିଲେ। କିନ୍ତୁ କିମି ପିଛା ପ୍ରକୃତ ଖର୍ଚ୍ଚ ୨୫୧ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ବିଶେଷ କରି ହରିୟାଣାରେ ନିର୍ମାଣ କରାଯାଇଥିବା ରାସ୍ତାରେ ଖର୍ଚ୍ଚ ବହୁତ ବଢ଼ିଯାଇଥିଲା ବୋଲି ସିଏଜି କହିଛନ୍ତି। କିଛି ଦିନ ତଳେ ସିଏଜି ଆୟୁଷ୍ମାନ ଭାରତ ଅଧୀନସ୍ଥ ଏକ ସ୍ବ‌ାସ୍ଥ୍ୟ ବୀମା ଯୋଜନା ପିଏମ୍‌ଜିଏୱାଇ ଉପରେ ରିପୋର୍ଟ ଜାରି କରି ହଜାର ହଜାର ହିତାଧିକାରୀଙ୍କ ନାମ କିଭଳି ଗୋଟିଏ ମୋବାଇଲ୍‌ ନମ୍ବରରେ ପଞ୍ଜୀକୃତ ହୋଇଥିଲା ତାହା ଜଣାଇଥିଲେ। ଏଥିରେ ଅବାସ୍ତବ ନାମ, ଜନ୍ମ ତାରିଖ, ନକଲି ସ୍ବାସ୍ଥ୍ୟ ପରିଚୟପତ୍ର, ଅବିଶ୍ବସନୀୟ ପରିବାର ସଦସ୍ୟ ସଂଖ୍ୟା ଆଦି ବ୍ୟବହାର କରାଯାଇଥିବା ସିଏଜି ଜଣାଇଛନ୍ତି।

ସିଏଜି ରିପୋର୍ଟ ଆଧାରରେ ମୋଦୀ ସରକାରଙ୍କୁ ବିରୋଧୀ କଂଗ୍ରେସ ଓ ଆପ୍ ଟାର୍ଗେଟ୍ କରିଛନ୍ତି। ବିଭିନ୍ନ କାର୍ଯ୍ୟରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଘେରିବା ସହ ସେ ଦେଶକୁ ନର୍କ ଆଡ଼କୁ ନେଉଛନ୍ତି ବୋଲି କହିଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ସିଏଜି ରିପୋର୍ଟ ମୋଦୀ ସରକାରଙ୍କ ବ୍ୟାପକ ଦୁର୍ନୀତି ଓ ଅପାରଗତାର ପର୍ଦାଫାସ କରିଛି । ଅଯୋଧ୍ୟା ବିକାଶ ପ୍ରକଳ୍ପ ଓ ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ମଧ୍ୟ ସିଏଜି ପ୍ରଶ୍ନ କରିଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ର ମହାଶୟ, ମୌନ ଭଙ୍ଗ କରନ୍ତୁ ବୋଲି ସେ କହିଛନ୍ତି।
ଆପ୍‌ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବାଧୀନ ସରକାର ଗତ ୭୫ ବର୍ଷର ସବୁ ଦୁର୍ନୀତି ରେକର୍ଡ ଭାଙ୍ଗିଛି। ଆପ୍‌ର ଜାତୀୟ ପ୍ରବକ୍ତା ସଞ୍ଜୟ ସିଂହ କହିଛନ୍ତି ଯେ ଭାରତମାଳା ପ୍ରକଳ୍ପରେ ସରକାର ୭.୫ ଲକ୍ଷ କୋଟି ଟଙ୍କାର ଦୁର୍ନୀତି କରିଛନ୍ତି। ଦେଶରୁ ଦୁର୍ନୀତି ଶେଷ କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତା ବିଷୟରେ ପ୍ରଧାନମନ୍ତ୍ରୀ କହିବା ବନ୍ଦ କରନ୍ତୁ ବୋଲି ସେ କହିଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button