ଋତୁସ୍ରାବ ପରିଚ୍ଛନ୍ନତା ସଚେତନତା ଅଭିଯାନ: ‘ଚାଲ ପିରିୟଡ୍ସ ବିଷୟରେ କଥା ହେବା’

ମାସିକ ଋତୁସ୍ରାବ ବା ପିରିୟଡ୍ସ ଜଣେ କିଶୋରୀ ଓ ନାରୀ ଜୀବନର ଏକ ପ୍ରାକୃତିକ ତଥା ସ୍ୱାଭାବିକ ପ୍ରକ୍ରିୟା । କିନ୍ତୁ ଏହାକୁ ନେଇ ଏବେ ବି ମହିଳାଙ୍କ ଭିତରେ ଲାଜ ଓ ସଙ୍କୋଚ ରହିଛି । ଏପରିକି ଅନେକ କ୍ଷେତ୍ରରେ ସେମାନେ ନିଜ ଘରେ ବିଭିନ୍ନ ବାସନ୍ଦର ଶିକାର ହେବା ସହ ସମାଜ ଓ କାର୍ଯ୍ୟକ୍ଷେତ୍ରରେ ନାନା ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି । ତେଣୁ, ଏ ବିଷୟରେ ଡିଜିଟାଲ ମିଡିଆ ମାଧ୍ୟମରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ କରାଯାଉଛି ବିଶେଷ ଅଭିଯାନ – ‘ଚାଲ ପିରିୟଡ୍ସ ବିଷୟରେ କଥା ହେବା’ ।
ପ୍ରତିବର୍ଷ ମେ’ ୨୮ ତାରିଖକୁ ‘ବିଶ୍ୱ ଋତୁସ୍ରାବ ପରିଚ୍ଛନ୍ନତା ଦିବସ’ ଭାବେ ପାଳନ କରାଯାଉଛି । ଏହାର ଥିମ୍ ରହିଛି ‘ଟୁଗେଦର ଫର ଏ ପିରିୟଡ୍ ଫ୍ରେଣ୍ଡଲି ୱାର୍ଲ୍ଡ’। ଏହି ଅବସରରେ ଆଇଏଫଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍ ଏବଂ ଓଡ଼ିଶାଲାଇଭ୍ ପକ୍ଷରୁ ଲଗାତର ତୃତୀୟ ବର୍ଷ ପାଇଁ ‘ଚାଲ ପିରିୟଡ୍ସ ବିଷୟରେ କଥା ହେବା’ ଶୀର୍ଷକରେ ଏକ ମିଳିତ କ୍ୟାମ୍ପେନ କରାଯାଉଛି । ମେ’ ୨୦ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୨୯ ତାରିଖ ଯାଏଁ ଚାଲିବ ।
ଅଭିଯାନ ଅଧୀନରେ ଋତୁସ୍ରାବ ଭଳି ଏକ ସମ୍ବେଦନଶୀଳ ବିଷୟରେ ବିଭିନ୍ନ ଡାକ୍ତରଙ୍କ ସାକ୍ଷାତକାରକୁ ଆଧାରକରି ଭିଡିଓ ସିରିଜ ସୋସିଆଲ ମିଡିଆ ମାଧ୍ୟମରେ ପ୍ରସାରଣ କରାଯାଉଛି । ଅଭିଯାନରେ ପ୍ରସାରିତ ବିଭିନ୍ନ ବିଷୟ ମଧ୍ୟରେ ରହିଛି ଋତୁସ୍ରାବ କ’ଣ ଓ କାହିଁକି, ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା, ଋତୁସ୍ରାବଜନିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଓ ତା’ର ଉପଚାର ସହିତ ବିଭିନ୍ନ ଅନ୍ଧବିଶ୍ୱାସର ମୁକାବିଲା । ସେହିପରି ସାନିଟାରି ପ୍ୟାଡଠାରୁ ଆରମ୍ଭକରି ପରିବେଶ ଉପଯୋଗୀ ପିରିୟଡ୍ କପ୍ ଏବଂ ଟାମ୍ପୁନ୍ ଭଳି ଆଧୁନିକ ପିରିୟଡ୍ ପ୍ରଡକ୍ଟ ସମ୍ପର୍କରେ ଲୋକଙ୍କୁ ସୂଚନା ଦିଆଯାଉଛି ।
“ୠତୁସ୍ରାବ ପରିଚ୍ଛନ୍ନତା ଉପରେ ଆଜି ପୃଥିବୀର ବିଭିନ୍ନ ଦେଶ ଗୁରୁତ୍ୱ ଦେଉଛନ୍ତି । ଏହାକୁ ଅଗ୍ରାଧିକାର ଦେଇ ସ୍ୱତନ୍ତ୍ର ପଲିସି ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉଛି। ୠତୁସ୍ରାବ ଜଣେ ମହିଳାଙ୍କ ସ୍ୱପ୍ନ ଏବଂ ଅଗ୍ରଗତି କ୍ଷେତ୍ରରେ ଯେପରି ବାଧକ ନହୁଏ ସେ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାର ସମୟ ଆସିଛି । ତେଣୁ, ଏଭଳି ଏକ ଜନସ୍ୱାସ୍ଥ୍ୟ ବିଷୟକୁ ନେଇ ଡିଜିଟାଲ ମିଡିଆ ମାଧ୍ୟମରେ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି,” କହିଛନ୍ତି କ୍ୟାମ୍ପେନର ନିର୍ଦ୍ଦେଶକ ତଥା ସ୍ୱାସ୍ଥ୍ୟପ୍ଲସ୍ ନେଟୱର୍କର ସିଇଓ ସିଦ୍ଧାର୍ଥ ରଥ ।
ଗତ କିଛି ଦଶନ୍ଧି ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଭିନ୍ନ ସାମାଜିକ କ୍ଷେତ୍ରରେ ମହିଳାମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହୋଇଛି । କିନ୍ତୁ ଚିନ୍ତାର ବିଷୟ ଯେ, ଆଜି ବି ପୃଥିବୀର ପ୍ରାୟ ୫୦ କୋଟିରୁ ଅଧିକ କିଶୋରୀ ଓ ମହିଳାଙ୍କ ପାଖରେ ଋତୁସ୍ରାବ ସ୍ୱାସ୍ଥ୍ୟ ବାବଦରେ ଆବଶ୍ୟକ ସୂଚନା, ବିଭିନ୍ନ ପିରିୟଡସ୍ ପ୍ରଡକ୍ଟ ଏବଂ ଋତୁସ୍ରାବ ପରିଚ୍ଛନ୍ନତା ପରିଚାଳନା ପାଇଁ ଆବଶ୍ୟକ ସୁବିଧା ନାହିଁ । ବିଶେଷକରି, ଆର୍ଥିକ ସମସ୍ୟା, ପୁରୁଣାକାଳିଆ ସାମାଜିକ ପ୍ରଥାର ପ୍ରଭାବ ସହ ଋତୁସ୍ରାବ ଶିକ୍ଷା ଓ ସଚେତନତାର ଅଭାବ ଏହାର ପ୍ରମୁଖ କାରଣ । ଏ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଆଇଏଫଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସ୍ ପକ୍ଷରୁ ଏହି ମିଳିତ ଡିଜିଟାଲ କ୍ୟାମ୍ପେନ କରାଯାଉଛି ।