ନ୍ୟୁଜ୍କ୍ଲିକ୍ ମୁଖ୍ୟଙ୍କ ଆବେଦନ ମାମଲା: ଦିଲ୍ଲୀ ପୁଲିସର ଜବାବ ଲୋଡ଼ିଲେ ସୁପ୍ରିମ୍କୋର୍ଟ – Utkal Mail
ନୂଆଦିଲ୍ଲୀ: ନ୍ୟୁଜ୍କ୍ଲିକ୍ ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ ଏବଂ ଏହାର ମାନବ ସମ୍ବଳ ମୁଖ୍ୟ ଅମିତ ଚକ୍ରବର୍ତ୍ତୀ ସେମାନଙ୍କୁ ଲିଖିତ କାରଣ ପ୍ରଦାନ ବିନା ଗିରଫ କରିବା ବେଆଇନ ବୋଲି ଦର୍ଶାଇ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍କୋର୍ଟରେ ଆବେଦନ କରିଥିବା ବେଳେ କୋର୍ଟ ଏ ବାବଦରେ ଗୁରୁବାର ଦିଲ୍ଲୀ ପୁଲିସର ଜବାବ ଲୋଡ଼ିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩୦ରେ ଦଶହରା ଛୁଟି ପରେ ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଚୀନ୍ର ଫାର୍ମ ଜରିଆରେ ଦୁହେଁ ବିଦେଶୀ ପାଣ୍ଠି ଗ୍ରହଣ କରିଥିବା ଅଭିଯୋଗ ହୋଇଛି। ଜଷ୍ଟିସ୍ ବିଆର୍ ଗୱାଇ ଏବଂ ପିକେ ମିଶ୍ରଙ୍କ ବେଞ୍ଚ ପ୍ରଥମେ ତିନି ସପ୍ତାହ ପରେ ଏହି ମାମଲାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ବରିଷ୍ଠ ଓକିଲ କପିଲ ସିବଲ ଶୀଘ୍ର ଶୁଣାଣି ପାଇଁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ଆବେଦନକାରୀ (ପୁରକାୟସ୍ଥ) ଏବେ ଜେଲରେ ଅଛନ୍ତି ଏବଂ ସେ ଜଣେ ୭୨ ବର୍ଷୀୟ ବୃଦ୍ଧ।
ଅକ୍ଟୋବର ୧୩ରେ ଦିଲ୍ଲୀ ହାଇକୋର୍ଟ ପୁରକାୟସ୍ଥ ଏବଂ ଚକ୍ରବର୍ତ୍ତୀଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ହାଇକୋର୍ଟ ହିଲେ ଯେ ଲିଖିତ କାରଣ ଦର୍ଶାଇବା ପିଏମ୍ଏଲ୍ଏ ଅଧୀନରେ ବାଧ୍ୟତାମୂଳକ କିନ୍ତୁ ୟୁଏପିଏ କ୍ଷେତ୍ରରେ ନୁହେଁ। ୟୁଏପିଏ ଅଧୀନରେ ଗିରଫଦାରି ପାଇଁ କେବଳ ମୌଖିକ ଭାବେ ସୂଚନା ଦେବା ଆବଶ୍ୟକ। ସେମାନଙ୍କୁ ଗିରଫ କରିବା ଏବଂ ପରେ ପୁଲିସ ହାଜତରେ ରଖିବା ବେଆଇନ ବୋଲି ଦର୍ଶାଇ ଏବଂ ହାଇକୋର୍ଟଙ୍କ ରାୟ ବିରୋଧରେ ଉଭୟ ପୁରକାୟସ୍ଥ ଓ ଚକ୍ରବର୍ତ୍ତୀ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।