ରାଜନୀତି

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୪ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୨୯ – କୋରାପୁଟରେ ଜୈବିକ ପ୍ରଣାଳୀରେ ଉତ୍ପାଦନ ହେଉଥିବା ସୁପର ଫୁଡକୁ ଅନ୍ତରାଷ୍ଟ୍ରୀୟ ସ୍ତରକୁ ନେବାକୁ ହେବ । ଏଥିପାଇଁ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ରର ସାହାଯ୍ୟ ନେଉ ଏବଂ ଗବେଷଣା ଦ୍ୱାରା ଜିଲ୍ଲାର ସୁପର ଫୁଡକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ପହଞ୍ଚାଇବା ଦିଗରେ ସହଯୋଗୀ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୪ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଭିସି ମାଧ୍ୟମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ କୋରାପୁଟରେ ଜୈବିକ ଚାଷ ପ୍ରଣାଳୀରେ ଉତ୍ପାଦିତ ହେଉଥିବା ଧାନ, ଆମ୍ବ, ମାଣ୍ଡିଆ, ପନିପରିବା ଓ କୋରାପୁଟ କଫି ସ୍ୱତନ୍ତ୍ର । ପ୍ରଧାନମନ୍ତ୍ରୀ ମନ୍ କି ବାତରେ ମିଲେଟ୍ ବା ମାଣ୍ଡିଆକୁ ପ୍ରୋତ୍ସାହନ ଦେବା ଉପରେ କହିଛନ୍ତି । ତେଣୁ ଏ ଦିଗରେ ଆମକୁ ପ୍ରାଥମିକତା ଦେବାକୁ ହେବ । କୋରାପୁଟର ମାଣ୍ଡିଆରୁ ପ୍ରସ୍ତୁତ ବିସ୍କୁଟକୁ ବିଶ୍ୱ ବଜାରରେ ପହଞ୍ଚାଇବାକୁ ହେବ ।

ପ୍ରଧାନମନ୍ତ୍ରୀ ମୋଦି ୭୬ତମ ସ୍ୱାଧୀନତା ଦିବସ ଅବସରରେ ବିକଶିତ ଭାରତ ସହ ପାଞ୍ଚଟି ସଂକଳ୍ପ ନେବା ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଅପାର ସମ୍ଭାବନାର ଅଞ୍ଚଳର କୋରାପୁଟକୁ ବିନିର୍ମାଣ କ୍ଷେତ୍ରର ପେଣ୍ଠସ୍ଥଳୀ କରିବା । ବକ୍ସସାଇଟର ରପ୍ତାନୀ କଲେ ହେବ ନାହିଁ ବରଂ କୋରାପୁଟରେ ଉଚ୍ଚମାନର ଆଲୁମିନିୟମ ବିନିର୍ମାଣ କେନ୍ଦ୍ର ସ୍ଥାପନା କରିବାକୁ ହେବ । ଓଡ଼ିଶାକୁ ନୂଆ ଉଚ୍ଚତାକୁ ନେବା ପାଇଁ ସହଯୋଗୀ ହେବା ଓ ଦେଶର ଅର୍ଥନୀତିକୁ ମଜବୁତ୍ କରିବା ପାଇଁ ସାମୂହିକ ଉଦ୍ୟମ କରିବା ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦାରିଦ୍ର୍ୟତାକୁ ଦୂର କରିବାର ଏକମାତ୍ର ଚାବିକାଠି ହେଉଛି ଶିକ୍ଷା । ଏହି ଶିକ୍ଷାର ସଦୁପଯୋଗ କରିବା ପାଇଁ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦି ଜାତୀୟ ଶିକ୍ଷା ନୀତିର କଳ୍ପନା କରିଛନ୍ତି । ଏହି ଶିକ୍ଷା ନୀତି ମାଧ୍ୟମରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ଆଗକୁ ନେବା ପାଇଁ ଆମେ ସମସ୍ତେ ମିଶି ସଂକଳ୍ପ ନେବା ଦରକାର । ସେହିପରି ନୂଆ ଶିକ୍ଷା ନୀତିରେ ମାତୃଭାଷାକୁ ପ୍ରାଧାନ୍ୟ ଦିଆଯାଉଛି । ଜନଜାତିଙ୍କ ସଶକ୍ତୀକରଣ ମଧ୍ୟ ସେମାନଙ୍କ ଭାଷାରେ ହିଁ ଅନ୍ତର୍ନିହିତ । ଜନଜାତିଙ୍କୁ ସେମାନଙ୍କ ସ୍ଥାନୀୟ ଭାଷାରେ ଶିକ୍ଷା ପ୍ରଦାନ କରାଗଲେ ଜନଜାତିଙ୍କ ପ୍ରାଥମିକ ଶିକ୍ଷାର ବିକାଶରେ ଅଭିବୃଦ୍ଧି ହେବ ଏବଂ କ୍ରିଟିକାଲ ଥିଙ୍କିଂର ପରିପ୍ରକାଶ ହେବ ।

ସାମାନ୍ୟ ଲୋକଙ୍କ ଟିକସରେ ଆମ ରାଜ୍ୟ ଓ ଦେଶର ଶିକ୍ଷାନୁଷ୍ଠାନ ଚାଲୁଅଛି । ପ୍ରତିବଦଳରେ ଆମର ଦାୟିତ୍ୱ ହେଉଛି ଶିକ୍ଷା ମାଧ୍ୟମରେ ସାଧାରଣ ଲୋକଙ୍କୁ ତାଙ୍କ ଟିକସର ଉଚିତ୍ ପ୍ରାପ୍ୟ ଦେବା । ଭାରତକୁ ଶିକ୍ଷିତ ସମାଜ ଭାବେ ପ୍ରତିଷ୍ଠା କରିବା ଏବଂ ପରିଶ୍ରମ, ପରାକାଷ୍ଠା ଓ ପୁରୁଷାର୍ଥ ବଳରେ ନିଷ୍ପେସିତ ଲୋକଙ୍କ ଦାୟିତ୍ୱ ନେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।
ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଛି । ଦେଶକୁ ସ୍ୱାଧୀନତା ଦେବା ଓ ଆଧୁନିକ ଓଡ଼ିଶା ନିର୍ମାଣ କରିବା ଓ ନାଗରିକଙ୍କୁ ଗଣତନ୍ତ୍ରର ଅଧିକାର ଦେବାରେ ଆକାଂକ୍ଷୀ ଜିଲ୍ଲା କୋରାପୁଟ ତଥା ଜନଜାତି ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାଏକ, ଚକରା ବିଶୋଇ, ବୀର ସୁରେନ୍ଦ୍ର ସାଏ, ମାଧୋ ସିଂଙ୍କ ଭଳି ଅନେକ ନେତୃତ୍ୱଙ୍କ ଅବଦାନ ଅତୁଳନୀୟ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button