୪୨ ଡିଗ୍ରୀ ଛୁଇଁପାରେ ତାପମାତ୍ରା, ସକାଳ ସାଢେ ୮ଟା ସୁଦ୍ଧା ୩୪.୪ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ପୁରୀ

ଭୁବନେଶ୍ୱର : ଅସମ୍ଭାଳ ତାତିରୁ ମିଳିବନି ନିସ୍ତାର । ୨ରୁ ୩ ଡିଗ୍ରୀ ବଢିପାରେ ପାରଦ । ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛି ଜନଜୀବନ। ଆଜିଠୁ ଆହୁରି ଜାଳିବ । ୪୨ ଡିଗ୍ରୀ ଛୁଇଁପାରେ ତାପମାତ୍ରା । ଆଜି ସକାଳ ସାଢେ ୮ଟା ସୁଦ୍ଧା ୩୪.୪ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ପୁରୀ । ବାଲେଶ୍ବରରେ ୩୩, ଚାନ୍ଦବାଲିରେ ୩୨.୮, ଭୁବନେଶ୍ବରରେ ୩୨, ଗୋପାଳପୁରରେ ୩୧.୮ ଓ ପାରାଦ୍ବୀପରେ ୩୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆଗାମୀ ତିନି ଦିନ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ବିଶେଷକରି ଉପକୂଳ ଓଡ଼ିଶାରେ ଗରମ ଓ ଆର୍ଦ୍ରତା ପାଇଁ ୱାର୍ଣ୍ଣିଂ ଜାରି ହୋଇଛି ।
ଆଜି ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ । ରାଜ୍ୟର ଅନ୍ୟ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ବାଲେଶ୍ବର, ଭଦ୍ରକ, ଗଜପତି, ଜଗତସିଂହପୁର, ପୁରୀ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ପାଇ ୱେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଗରମ ଓ ଆର୍ଦ୍ରତା ପାଇଁ ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି ହୋଇଛି । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାକୁ ଅଗ୍ରସର ହେବା ପରେ ନିଷ୍କ୍ରିୟ ରହିଛି ।