ଦେଶ ବିଦେଶ

ମୁକ୍ତ ଗମନାଗମନ ନେଇ ମଣିପୁରରେ ହିଂସାତ୍ମକ ବିକ୍ଷୋଭ: ଜଣେ ମୃତ, ୨୫ ଆହତ, ବଫର୍‌ ଜୋନ୍‌କୁ କୁକି ସମ୍ପ୍ରଦାୟର ବିରୋଧ

ଇମ୍ଫାଲ: ମଣିପୁରରେ ପାହାଡ଼ ଓ ଉପତ୍ୟକା ଅଞ୍ଚଳ ମଧ୍ୟରେ ମୁକ୍ତ ଗମନାଗମନ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଆଜିଠାରୁ  କାର୍ଯ୍ୟକାରୀ ହୋଇଛି। ତେବେ ମଣିପୁରର ବଫର୍‌ ଜୋନ୍‌ରେ ମୈତେୟୀ ଓ  କୁକି ସମ୍ପ୍ରଦାୟ ପକ୍ଷରୁ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ ଚିନ୍ତାର କାଣର ହୋଇଛି। କୁକି ସମ୍ପ୍ରଦାୟର ହିଂସାତ୍ମକ ବିକ୍ଷୋଭ ଯୋଗୁଁ ଉତ୍ତେଜନା ବଢ଼ିଛି। ଆଜି ସୁରକ୍ଷା ବାହିନୀ ଓ କୁକି ବିକ୍ଷୋଭକାରୀଙ୍କ ସଂଘର୍ଷରେ ଜଣଙ୍କର ମୃତ୍ୟୁ ଘଟିଛି ଓ ୨୫ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। କାଙ୍ଗପୋକପି ନିକଟରେ ରାଜପଥ ଅବରୋଧ କରିବାକୁ ଉଦ୍ୟମ କରୁଥିବା ଚିନ୍-କୁକି ହିଂସାକାରୀଙ୍କୁ ହଟାଇବା ପାଇଁ ସୁରକ୍ଷା ବାହିନୀ ହସ୍ତକ୍ଷେପ କରିବାରୁ ପରିସ୍ଥିତି ଗମ୍ଭୀର ହୋଇଥିଲା। ସୁରକ୍ଷା ବାହିନୀ-କୁକି ବି‌କ୍ଷୋଭକାରୀଙ୍କ ସଂଘର୍ଷ ପରେ ନିଷିଦ୍ଧ ଉଗ୍ରପନ୍ଥୀ ସଂଗଠନର ୭ ଜଣ ସଦସ୍ୟ ଗିରଫ ହୋଇଛନ୍ତି।

ମୈତେୟୀ ସମ୍ପ୍ରଦାୟର ବୟାନ ଅନୁଯାୟୀ, ସଶସ୍ତ୍ର ଗୋଷ୍ଠୀ ‘ଗ୍ରାମ ସ୍ୱେଚ୍ଛାସେବୀ’ ବା ଉଗ୍ରବାଦୀ ପରିଚୟ ଦେଇ ଜାତୀୟ ରାଜପଥ ଅବରୋଧକୁ ବିରୋଧ କରୁଥିବା ସାଧାରଣ ନାଗରିକଙ୍କୁ ଧମକ ଦେଉଛନ୍ତି। ସଶସ୍ତ୍ର ଚିନ୍-କୁକି ସ୍ୱେଚ୍ଛାସେବୀମାନେ ବାସିନ୍ଦାଙ୍କୁ ଭୟଭୀତ କରୁଛନ୍ତି ଏବଂ ଅତ୍ୟାବଶ୍ୟକ ପରିବହନ ମାର୍ଗରେ ବାଧା ସୃଷ୍ଟି କରୁଛନ୍ତି। ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୈତେୟୀ ଗୋଷ୍ଠୀ ଦାବି କରିଛନ୍ତି। ଜାତୀୟ ରାଜପଥ ଉପତ୍ୟକା ଜିଲ୍ଲାର ସମସ୍ତ ସମ୍ପ୍ରଦାୟ ପାଇଁ ଜୀବନରେଖା ଭାବରେ କାର୍ଯ୍ୟ କରେ। ସେମାନେ ଯୁକ୍ତି ବାଢ଼ିଛନ୍ତି ଯେ ବେଆଇନ ଅବରୋଧ ଦ୍ରବ୍ୟ, ଚିକିତ୍ସା ସାମଗ୍ରୀ ଯୋଗାଣ ଓ ଜରୁରିକାଳୀନ ସେବା ପରିବହନକୁ ଗୁରୁତର ଭାବେ ପ୍ରଭାବିତ କରିଥାଏ।  ଏବେ ଏହି ଅଂଚଳରେ ଅଧିକ ସୁରକ୍ଷା କର୍ମୀ  ମୁତୟନ କରାଯିବା ସହ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। କୁକି-ଜୋ କାଉନସିଲ୍ ଗତକାଲି କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ଦିଆଯିବ ବୋଲି କହି କେନ୍ଦ୍ର ସରକାରଙ୍କ ପାହାଡ଼ ଓ ଉପତ୍ୟକା ଅଞ୍ଚଳ ମଧ୍ୟରେ ମୁକ୍ତ ଗମନାଗମନ ନୀତିକୁ ବିରୋଧ କରିଥିଲା।  ଏଭଳି ଆଭିମୁଖ୍ୟ ଯୋଗୁଁ ପୁଣି ହିଂସା ବଢ଼ୁଛି ଏବଂ ସୁରକ୍ଷା ବାହିନୀକୁ କୁକି ଉଗ୍ରପନ୍ଥୀମାନେ ଟାର୍ଗେଟ୍‌ କରୁଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button