ଏସିଆ କପ୍: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ, ବ୍ୟାଟିଂ କରିବ ନେପାଳ – Utkal Mail
ନୂଆଦିଲ୍ଲୀ: ଆଜି ଏସିଆ କପ୍ ୨୦୨୩ମ୍ୟାଚରେ ନେପାଳ ବିପକ୍ଷରେ ଖେଳିବା ଆରମ୍ଭ କରିଛି ଭାରତ। ଖେଳ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ଟସ୍ ଜିତିଥିବା ବେଳେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମ୍ୟାଚ୍ ଆରମ୍ଭ ହେବାର ଠିକ ପୂର୍ବରୁ ଜସପ୍ରୀତ୍ ବୁମରାହ ଦଳରୁ ବାହାରିଥିବାରୁ ତାଙ୍କ ସ୍ଥାନ ନେଇଛନ୍ତି ମହମ୍ମଦ ଶାମି। ପତ୍ନୀଙ୍କ ପ୍ରସବ ହେବାକୁ ଥିବାରୁ ବୁମରା ଘରକୁ ଫେରିଥିଲେ।
ତେବେ ଏହି ମ୍ୟାଚ୍ ଭାରତ ପାଇଁ ଜିତିବା ଅତ୍ୟନ୍ତ ଜରୁରୀ ହୋଇଯାଇଛି। ପାକିସ୍ତାନ ବିପକ୍ଷ ବାତିଲ ମ୍ୟାଚ୍ରୁ ଭାରତ ମାତ୍ର ଗୋଟିଏ ପଏଣ୍ଟ ପାଇଥିବାରୁ ଏହି ମ୍ୟାଚ୍ ରୋହିତ ଶର୍ମାଙ୍କ ଦଳ ପାଇଁ କର ବା ମର ଭଳି ହୋଇଛି। ନବାଗତ ନେପାଳ ବିପର୍ଯ୍ୟୟ ସୃଷ୍ଟି କରିବାର ସାମର୍ଥ୍ୟ ରଖିନଥିଲେ ମଧ୍ୟ କ୍ରିକେଟ୍ରେ କିଛି ଅସମ୍ଭବ ନଥିବାରୁ ଏହି ମ୍ୟାଚ୍ ନକ୍ ଆଉଟ୍ ଭଳି ହୋଇଛି। ବିଜୟୀ ଦଳ ହିଁ ସୁପର୍ ଫୋର୍ ପର୍ଯ୍ୟାୟକୁ ଉନ୍ନୀତ ହେବ।
ଆଜିର ଏହି ମ୍ୟାଚ୍ ଉପରେ ମଧ୍ୟ ବର୍ଷାର ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ମ୍ୟାଚ୍ ବାତିଲ ହେଲେ ଭାରତ ବିନା ଫଳାଫଳରେ ସୁପର୍ ଫୋର୍ ପହଞ୍ଚିଯିବ। କିନ୍ତୁ ରୋହିତ ଶର୍ମାଙ୍କ ଦଳ କିଛି ଅଭ୍ୟାସ ସହିତ ଆଗକୁ ବଢ଼ିବାକୁ ଆଗ୍ରହୀ ରହିଛି। ପାକିସ୍ତାନ ବିପକ୍ଷରେ ଭାରତର ଶୀର୍ଷକ୍ରମ ବିଫଳ ହୋଇଥିବାରୁ ଏହି ମ୍ୟାଚ୍ରେ ସେମାନଙ୍କୁ ଆତ୍ମବିଶ୍ବାସ ପାଇଁ ବ୍ୟାଟିଂ ସୁଯୋଗର ଆବଶ୍ୟକତା ରହିଛି। ଏପରିକି ଭାରତୀୟ ବୋଲର ଅଦ୍ୟାବଧି ଗୋଟିଏ ବି ବଲ୍ ବୋଲିଂର ସୁଯୋଗ ପାଇନଥିବାରୁ ସେମାନେ ମଧ୍ୟ ମ୍ୟାଚ୍ ପ୍ରାକ୍ଟିସ୍ ସହ ସୁପର୍ ଫୋର୍ ଯିବା ଆଶା ରଖିଛନ୍ତି। ପାକିସ୍ତାନ ନିଜର ଗ୍ରୁପ୍ ଅଭିଯାନ ଶେଷ କରି ସୁପର୍ ଫୋର ପହଞ୍ଚିସାରିଛି। ପ୍ରଥମ ମ୍ୟାଚ୍ରେ ବାବର ଆଜମଙ୍କ ଦଳ ନେପାଳକୁ ୨୩୮ ରନ୍ରେ ପରାସ୍ତ କରିଥିଲା।