ବ୍ୟବସାୟ

ଜନଧନ ଖାତା ସଂଖ୍ୟା ୫୦ କୋଟି ଟପିଲା: ମୋଟ ୨.୦୩ ଲକ୍ଷ କୋଟି ଟଙ୍କା ଜମା – Utkal Mail


ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ବ୍ୟାଙ୍କ ଆକାଉଣ୍ଟ ସଂଖ୍ୟା ୫୦ କୋଟି ଟପିଛି। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ମୋଟ ଜନଧନ ଖାତାରେ ମହିଳା ହିତାଧିକାରୀଙ୍କ ସଂଖ୍ୟା ୫୬ ପ୍ରତିଶତରେ ପହଞ୍ଚିଛି। ଏଥିସହିତ ୬୭ ପ୍ରତିଶତ ଜନଧନ ଖାତା ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳରେ ଖୋଲିଛି। ଏଭଳି ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସ (ପୂର୍ବର ଟ୍ବିଟର)ରେ ଏକ ପୋଷ୍ଟ୍ କରିଛନ୍ତି। ଅଧାରୁ ଅଧିକ ମହିଳା ଉକ୍ତ ଖାତା ଖୋଲିଥିବାରୁ ଏହା ଆମ ନାରୀଶକ୍ତିକୁ ଦର୍ଶାଉଛି। ସେହିଭଳି ୬୭% ଖାତା ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳରେ ଖୋଲିଥିବାରୁ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ଲାଭ ଦେଶର କୋଣ ଅନୁକୋଣରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏହା ମଧ୍ୟ ସୂଚନା ଦିଆଯାଇଛି ଯେ ଜନଧନ ଖାତାରେ ମୋଟ ୨.୦୩ ଲକ୍ଷ କୋଟି ଟଙ୍କା ଜମା ରହିଛି। ଏଥିସହିତ ୩୪ କୋଟି ରୁପେ କାର୍ଡ ମାଗଣାରେ ବଣ୍ଟନ କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୧୪ରେ ମୋଦୀ ସରକାର ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆରମ୍ଭ କରିଥିଲେ। ଲୋକଙ୍କ ନିକଟରେ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ସିଧାସଳଖ ପହଞ୍ଚାଇବା ସହିତ ଗରିବ ଲୋକଙ୍କୁ ଅନ୍ୟାନ୍ୟ ଆର୍ଥିକ ସେବା ପହଞ୍ଚାଇବା ଏହାର ଲକ୍ଷ୍ୟ ରହିଥିଲା।

ଜେଏଏମ୍‌ ( ଜନଧନ, ଆଧାର ଏବଂ ମୋବାଇଲ) ମଧ୍ୟରେ ଜନଧନ ହେଉଛି ଅନ୍ୟତମ ମୂଳାଧାରା ଯାହା ଜରିଆରେ ଲୋକଙ୍କୁ ସରକାରଙ୍କ ସବ୍‌ସିଡି ରାଶିର ସଂପୂର୍ଣ୍ଣ ଲାଭ ପହଞ୍ଚା ଯାଇପାରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ଅଗଷ୍ଟ ୨୮ରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଚଳିତମାସ ୯ ତାରିଖ ସୁଦ୍ଧା ଦେଶରେ ଜନଧନ ଆକାଉଣ୍ଟ ସଂଖ୍ୟା ୫୦ କୋଟି ଟପିଛି ବୋଲି ଅର୍ଥ ମନ୍ତ୍ରାଳୟ କହିଛି। ଏସବୁ ଆକାଉଣ୍ଟରେ ୨.୦୩ ଲକ୍ଷ କୋଟି ଟଙ୍କା ଜମା ହୋଇଛି ଏବଂ ପ୍ରାୟ ୩୪ କୋଟି ରୁପେ କାର୍ଡ ଏସବୁ ଆକାଉଣ୍ଟଧାରୀଙ୍କୁ ବିନା ମୂଲ୍ୟରେ ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଜନଧନ ଖାତାପିଛା ହାରାହାରି ଜମାରାଶି ୪୦୭୬ ଟଙ୍କା ରହିଛି। ଆକାଉଣ୍ଟଧାରୀଙ୍କୁ ଏହି ଯୋଜନାରେ ଏକାଧିକ ସୁବିଧା ମିଳୁଛି। ଏହି ଖାତାରେ ସର୍ବନିମ୍ନ ଜମାରାଶି ରଖିବା ନେଇ କୌଣସି ବ୍ୟବସ୍ଥା ନାହିଁ। ଏଥିସହିତ ମାଗଣାରେ ଦିଆଯାଉଥିବା ରୁପେ ଡେବିଟ୍ କାର୍ଡରେ ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ଏବଂ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ସୁବିଧା ରହିଛି। ପ୍ରଧାନମନ୍ତ୍ରୀ ଜନଧନ ଖାତା ସଂପର୍କରେ ସରକାର ଲୋକଙ୍କୁ ଆରମ୍ଭରୁ ସଚେତନ କରାଇ ଆସୁଛନ୍ତି। ଏହା ଜରିଆରେ ସମାଜର ତଳସ୍ତରର ଲୋକମାନେ ଅଧିକ ଲାଭବାନ ହେଉଛନ୍ତି। ତେବେ କିଛି ଲୋକ ଏହି ଖାତାର ଦୁରୁପଯୋଗ କରିବା ନେଇ ଅଭିଯୋଗ ମଧ୍ୟ ହୋଇଆସୁଛି।




Related Articles

Leave a Reply

Your email address will not be published. Required fields are marked *

Back to top button