ରାଜନୀତି
କୋଲକାତା ଲଜ୍ଜା ଘଟଣାରେ ମୋଦିଙ୍କୁ ମମତାଙ୍କ ୨ୟ ଚିଠି

ଆରଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ଆଧାର କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଆଉ ଏକ ଚିଠି ଲେଖିଛନ୍ତି। ଅଗଷ୍ଟ ୨୨ରେ ଲେଖିଥିବା ଚିଠିର ଉତ୍ତର ନ ପାଇବା କାରଣରୁ ସେ ଦ୍ବିତୀୟ ଚିଠି ଲେଖିଛନ୍ତି ବୋଲି ମମତା କହିଛନ୍ତି। ଏହି ଚିଠିରେ ସେ ମହିଳା ବିରୋଧୀ ହିଂସା ବିଶେଷକରି ବଳାତ୍କାର ଘଟଣାରେ ଦୋଷୀଙ୍କୁ କଠୋର ଦଣ୍ଡବିଧାନ ଲାଗି ଆବଶ୍ୟକ ଆଇନ ପ୍ରଣୟନ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ। ମମତା କହିଛନ୍ତି ଯେ ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିର ଉତ୍ତର ପାଇନାହାନ୍ତି। ପ୍ରଥମ ଚିଠି ଉପରେ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଉତ୍ତର ଦେଇଥିବା ମମତା କହିଛନ୍ତି। ମାତ୍ର ଏହି ଚିଠିରେ ଆଇନ ପ୍ରଣୟନ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗର ଜବାବ ଦିଆଯାଇ ନାହିଁ।



