ବିଶ୍ବକପ୍ ଆଉ ୧୯ ଦିନ: ମୁରଲୀ କହିଲେ ଭାରତ ବିଶ୍ବକପ୍ ଦାବିଦାର – Utkal Mail
ନୂଆଦିଲ୍ଲୀ: ଶ୍ରୀଲଙ୍କାର କିଂବଦନ୍ତି ସ୍ପିନର୍ ମୁଥୟା ମୁରଲୀଧରନ ଗୁରୁବାର ଆଶ୍ଚର୍ଯ୍ୟଜନକ ପୂର୍ବାନୁମାନ କରିଛନ୍ତି। ଭାରତୀୟ ଉପମହାଦେଶରେ ବିଶ୍ବକପ୍ ହେଉଥିବାବେଳେ ଶ୍ରୀଲଙ୍କା ସବୁବେଳେ ଦାବିଦାର ରହୁଥିଲା ଏବଂ ୧୯୯୬ରେ ମଧ୍ୟ ବିଜେତା ହୋଇଥିଲା। ଅକ୍ଟୋବର ୫ ତାରିଖରୁ ଭାରତରେ ଆରମ୍ଭ ହେଇଥିବା ସଂସ୍କରଣରେ କିନ୍ତୁ ଭାରତକୁ ସବୁଠାରୁ ବଡ଼ ଦାବିଦାର କହିଛନ୍ତି। ଭାରତ ନିକଟରେ ଫାଇଦା ରହିଛି ବୋଲି ମୁରଲୀ କହିଥିବାବେଳେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ପାକିସ୍ତାନକୁ ଅନ୍ୟତମ ଦାବିଦାର ଭାବେ ବାଛିଛନ୍ତି ସ୍ପିନ୍ ଦୁନିଆର ଏହି ଗୋଟ୍ (ଗ୍ରେଟେଷ୍ଟ୍ ଅଫ୍ ଅଲ୍ ଟାଇମ୍)। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଅକ୍ଟୋବର ୫ ତାରିଖରେ ୨୦୧୯ ସଂସ୍କରଣ ଫାଇନାଲିଷ୍ଟ୍ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ୍ ମୁକାବିଲା କରିବା ସହ ଏଥରର ସଂସ୍କରଣ ଆରମ୍ଭ ହେବ। ସେହି ଷ୍ଟାଡିୟମ୍ରେ ମଧ୍ୟ ନଭେମ୍ବର ୧୯ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଗତ ଥରର ସେମିଫାଇନାଲିଷ୍ଟ୍ ଭାରତ ଅକ୍ଟୋବର ୮ ତାରିଖରେ ଅଷ୍ଟ୍ରେଲିଆ ସହ ଚେନ୍ନାଇରେ ଖେଳି ଅଭିଯାନ ଆରମ୍ଭ କରିବ।
ଭାରତକୁ ଦୃଢ଼ ଦାବିଦାର କହିବାର କିଛି ଯୁକ୍ତି ମଧ୍ୟ ବାଢ଼ିଛନ୍ତି ମୁରଲୀ। ‘ଭାରତ ଏକ ଭଲ ଦଳ, ଘରୋଇ ପରିବେଶରେ ମଧ୍ୟ ଦଳ ଖେଳିବ, କୋଟି କୋଟି ଲୋକଙ୍କ ସକରାତ୍ମକ ଲହର ମଧ୍ୟ ରହିବ, ଭାରତୀୟ ପ୍ରଶଂସକଙ୍କ ଉତ୍ସାହ ଖେଳାଳିଙ୍କ ମନୋବଳକୁ ବଢ଼ାଇବ’। କ୍ରିକେଟ୍ରେ ଭାଗ୍ୟ ମଧ୍ୟ ବେଳେବେଳେ ଆବଶ୍ୟକତା ରଖିଥାଏ। ଗତ ଥର ଫାଇନାଲରେ ଭାଗ୍ୟ ସାଥିରେ ନଥିଲେ ଇଂଲଣ୍ଡ ବିଜେତା ହୋଇପାରିନଥାନ୍ତା। କ୍ରିକେଟ୍ରେ ଅନ୍ଧବିଶ୍ବାସ ସମ୍ପର୍କରେ ମୁରଲୀ କହିଥିଲେ‘ ଅନେକ ଲୋକ ଏଭଳି ବିଶ୍ବାସରେ ବିଶ୍ବାସ କରିଥାନ୍ତି। ଯଦି ଭାଗ୍ୟ ଭଲ ପଡ଼ିଥାଏ କିଛି ଲୋକ ସମାନ ପରିଧାନ ମଧ୍ୟ ପରବର୍ତୀ ମ୍ୟାଚ୍ରେ ବ୍ୟବହାର କରିଥାନ୍ତି। ଭଲ ରନ୍ ମିଳୁଥିଲେ ମଧ୍ୟ କେହି କେହି ସିଟ୍ରୁ ଉଠନ୍ତି ନାହିଁ। ଓଭର ଶେଷ ହେବାମାତ୍ରେ କେହି ଯଦି ୱାସରୁମ୍ ଯାଏ ଆମେ ମଧ୍ୟ ଗାଳି ଦେଇଥାଉ। ପ୍ରଶଂସକମାନେ ଏହାକୁ ବିଶ୍ବାସ କରିଥାନ୍ତି, କିନ୍ତୁ ଆମେ ଅଧିକ ଗମ୍ଭୀର ଥାଉ। ଆମ କ୍ୟାରିୟର୍ କଥା ଯୋଡ଼ି ହୋଇଥାଏ ଏବଂ ଦେଶ ପାଇଁ ଖେଳୁଥିବାବେଳେ ଆମେ ସବୁବେଳେ ଜିତିବାକୁ ହିଁ ଆଶା ରଖିଥାଉ’ ବୋଲି ମୁରଲୀ ପ୍ରକାଶ କରିଥିଲେ।