କ୍ରାଇମ

ଏନ୍‌ଆଇଟି କନିଷ୍ଠ ସହାୟକ ନିଯୁକ୍ତି ପରୀକ୍ଷା: ୪ ନକଲି ପରୀକ୍ଷାର୍ଥୀ ଥାନାରେ ଅଟକ – Utkal Mail


ରାଉରକେଲା: ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି) ରାଉରକେଲାରେ ନକଲି ଆଡ୍‌ମିଟ୍‌ କାର୍ଡ ଦେଖାଇ ପରୀକ୍ଷା ଦେବାବେଳେ ୪ ଜଣ ପରୀକ୍ଷାର୍ଥୀ ଧରା ପଡ଼ିଛନ୍ତି। ଏନ୍‌ଆଇଟି ପକ୍ଷରୁ କନିଷ୍ଠ ସହାୟକ ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷାରେ ସେମାନେ ଚଞ୍ଚକତା କରି ପ୍ରବେଶ କରିଥିଲେ ବି ଯାଞ୍ଚବେଳେ ନିରୀକ୍ଷକଙ୍କ ହାତରେ ଧରା ପଡ଼ିଥିଲେ। ଏହି ନକଲି ପରୀକ୍ଷାର୍ଥୀମାନେ ଦିଲ୍ଲୀ ଓ ହରିଆଣାର ବୋଲି ଜଣା ପଡ଼ିଛି। ଏ ସଂପର୍କରେ ଏନ୍ଆଇଟି କର୍ତ୍ତୃପକ୍ଷ ସେକ୍ଟର-୩ ଥାନାକୁ ସୂଚନା ଦେବାପରେ ପୁଲିସ ଘଟଣାସ୍ଥଳକୁ ଯାଇ ୪ ଜଣ ଯୁବକଙ୍କୁ ଥାନାକୁ ଆଣିଥିଲା। ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏହାଛଡ଼ା ୩ ଜଣ ପରୀକ୍ଷାର୍ଥୀ ପରୀକ୍ଷାବେଳେ ବ୍ଲୁ’ଟୁଥ୍‌ ବ୍ୟବହାର କରି ଧରାପଡ଼ିଥିଲେ। ସେମାନଙ୍କୁ ପରୀକ୍ଷା ଦେବାରୁ ନିବୃତ ରଖାଯାଇଛି।

ସୂଚନା ଅନୁଯାୟୀ, ସଂପ୍ରତି ଏନ୍‌ଆଇଟିରେ ସହକାରୀ କୁଳସଚିବ, କନିଷ୍ଠ ସହାୟକ ଆଦି ବିଭିନ୍ନ ପଦ ପାଇଁ ପରୀକ୍ଷା ଚାଲିଛି। ଏହି କ୍ରମରେ ଗତ ଶୁକ୍ରବାର କନିଷ୍ଠ ସହାୟକ ପଦ ପାଇଁ ଆଶାୟୀ ଶାରୀରିକ ପରୀକ୍ଷା ଦେଇଥିଲେ। ଅଟକ ଥିବା ଯୁବକମାନେ ନକଲି ପ୍ରବେଶପତ୍ର ବଳରେ ଅନୁଷ୍ଠାନ ଭିତରେ ପ୍ରବେଶ କରି ଶାରୀରିକ ପରୀକ୍ଷା ଦେଇଥିଲେ। ଅନୁଷ୍ଠାନର ଏଲ୍‌ଏ-୧ରେ ଶନିବାର ଦିନ ଅଢ଼େଇଟାରୁ ସାଢ଼େ ୫ଟା ଯାଏ ଏହାର ଲିଖିତ ପରୀକ୍ଷା ଥିବାବେଳେ ସବୁ ପରିକ୍ଷାର୍ଥୀ ନିଜ ନିଜର ଆଡ୍‌ମିଟ୍‌ କାର୍ଡ ଦେଖାଇ ଭିତରକୁ ପ୍ରବେଶ କରୁଥିଲେ। ଉକ୍ତ ୪ ଜଣ ମଧ୍ୟ ନକଲି ଆଡ୍‌ମିଟ୍‌ କାର୍ଡ ବଳରେ ପରୀକ୍ଷା ହଲ୍‌ରେ ପ୍ରବେଶ କରିଥିଲେ। ହେଲେ ପରୀକ୍ଷା ନିରୀକ୍ଷକ ହଲ୍‌ ଭିତରେ ଆଡମିଟ୍‌ କାର୍ଡ ଯାଞ୍ଚ କରିବାବେଳେ ସନ୍ଦେହ ହେବାରୁ ସେମାନଙ୍କୁ ଅଧିକ ପଚରାଉଚରା କରିଥିଲେ। ଫଳରେ ଯୁବକମାନେ ନକଲି ପରୀକ୍ଷାର୍ଥୀ ବୋଲି ଜଣା ପଡ଼ିଥିଲା।




Related Articles

Leave a Reply

Your email address will not be published. Required fields are marked *

Back to top button