ଶ୍ରମିକ କର୍ମଚାରୀଙ୍କ ବିଭିନ୍ନ ଦାବି ନେଇ HMS ଆନ୍ଦୋଳନ ପ୍ରସ୍ତୁତି
କଟକ: କଟକ ଜିଲ୍ଲାର ଉଭୟ ସଂଗଠିିତ ଏବଂ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ, ଶ୍ରମିକମାନଙ୍କର ବିଭିନ୍ନ ନ୍ୟାୟୋଚିତ ଦାବି ପ୍ରତି ସରକାରଙ୍କ ଚରମ ଉଦାସୀନତା ବିରୋଧରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆସନ୍ତା ଦିନରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ବିଡି, କେନ୍ଦୁପତ୍ର, ଶିଳ୍ପ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଅଫିସ୍, ଦପ୍ତର ସର୍ବୋପରି ନିର୍ମାଣ ଏବଂ କୃଷି ଶ୍ରମିକ ଓ କର୍ମଚାରୀ ସଂଗଠନ ଏପରି ନିଷ୍ପତି ନେଇଛି । ଏନେଇ ଏକ ପ୍ରସ୍ତୁତି ବୈଠକ କଟକ ମେହେନ୍ତର ସଂଘ କାର୍ଯ୍ୟାଳୟଠାରେ ସଭାର ଯୁବଶାଖା ସଭାପତି ବିଜୟ ଭୁଷଣ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ହିନ୍ଦ୍ ମଜଦୁର ସଭା ଓଡିଶା ଶାଖାର ସଂପାଦକ ହରିବନ୍ଧୁ ନାୟକ, ବରିଷ୍ଠ ନେତା ଧର୍ମେଶ ନାୟକ, ଯୁବଶାଖାର ସାଂଗଠନିକ ସଂପାଦକ ବିଜୟ କୁମାର ବେହେରା, ଓଡିଶା ପାଇପ ଜଳ କର୍ମଚାରୀ ସଂଘ ରାଜ୍ୟ ସାଧାରଣ ସଂପାଦକ ମନୋଜ କୁମାର ମହାନ୍ତି, କଟକ ମେହେନ୍ତର ସଂଘ ନେତା ରତ୍ନାକର ମୁଖୀ, ମନୋଜ କୁମାର ପଣ୍ଡା, ଧୂଳେଶ୍ୱର ଦଳାଇ, ଦେବରାଜ ମୁଖୀ, ଉମେଶ ଚନ୍ଦ୍ର ନାଏକ, କୁମର ବେହେରା, ନରେନ୍ଦ୍ର ନାୟକ, ନାରୀନେତ୍ରୀ ବିଦୁ ନାଏକ ପ୍ରମୁଖ ବୈଠକରେ ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ରାଜନୈତିକ ଏବଂ ପ୍ରଶାସନିକ ଚରମ ସ୍ଥାଣୁତାକୁ ତୀବ୍ର ନିନ୍ଦା କରିଥିଲେ । ସଂଗଠନର ସମନ୍ୱୟ କମିଟି ବୈଠକରେ ଆସନ୍ତା ସେପ୍ଟେମ୍ବର ମାସ ୭ ତାରିଖ ଦିନ ଉଭୟ ବର୍ଗଙ୍କ ସମସ୍ୟା ଓ ଦାବି ଉପରେ ଏକ ଦାବିପତ୍ର ପ୍ରସ୍ତୁତ କରାଯାଇ କଟକ ସହରର ସାହିବସ୍ତିରେ ବସବାସ କରୁଥିବା ବୁଦ୍ଧିଜୀବୀ ଏବଂ ସାଧାରଣ ନାଗରିକଙ୍କ ସହ ରାଜନୈତିକ ଓ ସାମାଜିକ କର୍ମୀମାନଙ୍କୁ ଅବିହିତ କରାଯିବ ବୋଲି ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା । ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନ୍ଧକାରରେ ରଖି ମହାନାୟକ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନର ଓଡିଶାର ନିରୀହ, ଗରିବ, ଖଟିଖିଆ ମେହନତୀ ମଣିଷର ଦୈନନ୍ଦିନ ଜୀବନ ଜୀବିକା ଉପରେ ଖୋଲା ଆକ୍ରମଣକୁ ଏକ ଚରମ ଆନ୍ଦୋଳନର ରୂପ ଦେଇ ଦିବଂଗତ ନେତା ବିଶ୍ୱନାଥ ପଣ୍ଡିତଙ୍କ ଆଦର୍ଶକୁ ପୁନର୍ବିନ୍ୟାସ କରିବାକୁ ବୈଠକର ଅଧ୍ୟକ୍ଷ ଶ୍ରୀ ପତି ଆହ୍ୱାନ ଦେଇଥିଲେ । ମେହେନ୍ତର ସଂଘର ନେତା ନରେନ୍ଦ୍ର ନାଏକ ଧନ୍ୟବାଦ ଦେଇଥିଲେ ।