କ୍ରୀଡା

ଆଉ ୬ ସ୍ବର୍ଣ୍ଣ ସହ ମିଳିଲା ୧୦୭ ପଦକ: ଚତୁର୍ଥରେ ଅଭିଯାନ ଶେଷ, ଶନିବାର ଆସିଲା ୧୨ ପଦକ – Utkal Mail


ହାଙ୍ଗ୍‌ଝୌ: ଚଳିତ ଉନ୍ନବିଂଶ ଏସୀୟ କ୍ରୀଡ଼ାରେ ଭାରତ ୧୦୦ ପଦକ ପୂରଣ କରି ଇତିହାସ ରଚିଛି। ମହିଳା କବାଡ଼ି ଦଳ ସ୍ବର୍ଣ୍ଣ ଜିତି ଦେଶର ୧୦୦ ପଦକ ପୂରଣ କରିବାର ଗୌରବ ଅର୍ଜନ କରିଥିଲା। ଶନିବାର ସୁଦ୍ଧା ଭାରତର ପଦକ ସଂଖ୍ୟା ୧୦୭ (୨୮ ସ୍ବର୍ଣ୍ଣ, ୩୮ ରୌପ୍ୟ ଓ ୪୧ କାଂସ୍ୟ)ରେ ପହଞ୍ଚିଛି। ରବିବାର ଉଦ୍‌ଯାପନୀ ଦିବସରେ ଭାରତର ପ୍ରତିଯୋଗିତା ନଥିବାରୁ ଏହି ପଦକ ଏବଂ ଚତୁର୍ଥ ସ୍ଥାନ ସହ ଚଳିତ ସଂସ୍କରଣ ଅଭିଯାନ ଶେଷ କରିଛି। ୭୨ ବର୍ଷର ଏସିଆଡ୍‌ ଇତିହାସରେ ଭାରତର ଏହା ଶ୍ରେଷ୍ଠ ପ୍ରଦର୍ଶନ। ପୂର୍ବରୁ ୨୦୧୮ ଜାକର୍ତ୍ତା ସଂସ୍କରଣରେ (୧୬ ସ୍ବର୍ଣ୍ଣ, ୨୩ ରୌପ୍ୟ, ୩୧ କାଂସ୍ୟ) ୭୦ ପଦକ ଶ୍ରେଷ୍ଠ ଥିଲା। ତେବେ ମାନ୍ୟତାରେ ଏହା ତୃତୀୟ ଶ୍ରେଷ୍ଠ। ପୂର୍ବରୁ ଉଦ୍‌ଘାଟନୀ ସଂସ୍କରଣ (୧୯୫୧ ନୂଆଦିଲ୍ଲୀ)ରେ ଭାରତ ୧୫ ସ୍ବର୍ଣ୍ଣ ସହ ୫୧ ପଦକରେ ଦ୍ବିତୀୟ ଏବଂ ଜାକର୍ତ୍ତା (୧୯୬୨)ରେ ୧୦ ସ୍ବର୍ଣ୍ଣ ସହ ୩୩ ପଦକ ତୃତୀୟ ସ୍ଥାନରେ ରହିଥିଲା। ଶନିବାର ଭାରତକୁ ୬ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୨ କାଂସ୍ୟ ସହ ୧୨ ପଦକ ମିଳିଥିଲା।

କବାଡ଼ିରେ ଯୁଗଳ ସ୍ବର୍ଣ୍ଣ
ଭାରତୀୟ ପୁରୁଷ ଓ ମହିଳା କବାଡ଼ି ଦଳ ପ୍ରଥମ ସ୍ଥାନରେ ରହି ଦେଶକୁ ଯୁଗଳ ସ୍ବର୍ଣ୍ଣ ଭେଟି ଦେଇଛନ୍ତି। ଫାଇନାଲ୍‌ରେ ମହିଳା ଦଳ ଗୋଟିଏ ପଏଣ୍ଟ (୨୬-୨୫) ବ୍ୟବଧାନରେ ଚାଇନିଜ୍‌ ତାଇପେକୁ ହରାଇ ଭାରତର ୧୦୦ ପଦକ ଐତିହାସିକ ମୁହୂର୍ତ୍ତରେ ସାମିଲ ହୋଇଥିଲା। ପୁରୁ‌ଷ ଦଳ ବିଜେତା ଇରାନ ବିପକ୍ଷରେ ନାଟକୀୟ ବିଜୟ ହାସଲ କରି ପୁଣି ଥରେ ଏସିଆଡ୍‌ ମୁକୁଟ ହାସଲ କରିଥିଲା। କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ ମ୍ୟାଚ୍‌ ଶେଷ ହେବାକୁ ଆଉ ୧ ମିନିଟ୍‌ ୫ ସେକେଣ୍ଡ ଥିଲା ବେଳେ ସ୍କୋର୍‌ ୨୮-୨୮ ବରାବର ରହିଥିଲା। ଏହି ସମୟରେ ଅଧିନାୟକ ପବନ ସେରୱାତ ‘ଡୁ ଅର୍‌ ଡାଇ’ ଆଟାକ୍‌ ବେଳେ ବିବାଦ ଦେଖା ଯାଇଥିଲା। ‌ପବନ କୌଣସି ଖେଳାଳିଙ୍କୁ ନଛୁଇଁ ବାହାରକୁ ଆସି ଲବିରେ ପ୍ରବେଶ କରିଥିଲେ। ଏହା ସତ୍ତ୍ବେ ୪ ଜଣ ଇରାନୀ ଖେଳାଳି ତାଙ୍କୁ ଅଟକାଇ ବାହାରକୁ ଛାଡ଼ିବାକୁ ଚେଷ୍ଟା କରିଥିଲେ। ଏହାପରେ ସେରୱାତଙ୍କ ଟାକଲ୍ଡ ହୋଇଛି କି ନାହିଁ। ଏଥିସହ ଏଥିରେ କେଉଁ ନିୟମ ପୁରୁଣା କି ନୂଆ ପ୍ରୟୋଗ କରାଯିବା ନେଇ ପ୍ରଶ୍ନ ଉଠିଥିଲା। କିନ୍ତୁ ନୂଆ ନିୟମ ଅନୁଯାୟୀ ସେରୱାତ ଆଉଟ୍‌ ହୋଇଥିଲେ ଏବଂ ଇରାନକୁ ଗୋଟିଏ ପଏଣ୍ଟ ମିଳିଥିଲା। ସେହିପରି ପୁରୁଣା ନିୟମ ଅନୁଯାୟୀ ସେରୱାତଙ୍କୁ ଅଟକାଇଥିବା ୪ ଇରାନୀ ଖେଳାଳି ମଧ୍ୟ ଆଉଟ୍‌ ହୋଇଥିଲା ବେଳେ ଭାରତକୁ ୪ ପଏଣ୍ଟ ମିଳିଥିଲା। ଅଧିକାରୀଙ୍କ ଏହି ବିବାଦୀୟ ରାୟ ପରେ ଭାରତ ଓ ଇରାନ ଖେଳାଳି କୋର୍ଟରେ ବିରୋଧ ପ୍ରଦର୍ଶନ କରିଥିଲେ। ବହୁ ବିଚାର, ଆଲୋଚନା, ଯୁକ୍ତିତର୍କ, ମ୍ୟାଚ୍ ସ୍ଥଗିତ ରହିବା ପରେ ଅଧିକାରୀମାନେ ଭାରତ ସପକ୍ଷରେ ନିଷ୍ପତ୍ତିକୁ କାୟମ ରଖିବା ସହ ୩୨-୨୯ରେ ବିଜୟୀ ଘୋଷଣା କରିଥିଲେ। ଏହି ବିଜୟ ସହ ଭାରତ ଜାକର୍ତ୍ତା ସେମିଫାଇନାଲ୍‌ ପରାଜୟର ପ୍ରତିଶୋଧ ଇରାନଠୁ ନେଇଥିଲା। ଭାରତ ଲଗାତାର ୭ ଥର ସ୍ବର୍ଣ୍ଣ ଜିତିବା ପରେ ଗତ ସଂସ୍କରଣରେ ଇରାନଠୁ ସେମିଫାଇନାଲ୍‌ରେ ହାରି ଯାଇଥିଲା।

ପଦାର୍ପଣରେ କ୍ରିକେଟ୍‌ ସ୍ବର୍ଣ୍ଣ
ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ପଦାର୍ପଣରେ ସ୍ବର୍ଣ୍ଣ ପଦକ ଜିତିଛି। ଭାରତ-ଆଫ୍‌ଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଫାଇନାଲ୍‌ ମ୍ୟାଚ୍‌ ବର୍ଷା ଯୋଗୁଁ ଅଧାରୁ ବାତିଲ ହୋଇଥିଲା। ଫଳରେ ଭାରତ ଉଚ୍ଚ ମାନ୍ୟତା ଦଳ ହୋଇଥିବାରୁ ସ୍ବର୍ଣ୍ଣ ପଦକ ପାଇଥିଲା। ଭାରତ ଟସ୍‌ ଜିତି ଆଫ୍‌ଗାନିସ୍ତାନକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ବର୍ଷା ହେବା ପୂର୍ବରୁ ୧୮.୨ ଓଭର ଖେଳି ୫ ୱିକେଟ୍‌ ବିନିମୟରେ ୧୧୨ ରନ୍‌ କରିଥିଲା। ସାହଦୁଲ୍ଲା ୪୯* ଓ ଗୁଲାବଦିନ ନୈବ ୨୭* ରନ୍‌ କରିଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂହ, ଶିବମ ଦୁବେ, ଶାହବାଜ ଅହମଦ ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ୨୦୧୦, ୨୦୧୪ ଏସିଆଡ୍‌ରେ କ୍ରିକେଟ୍‌ ସାମିଲ ଥିଲା ବେଳେ ଯଥାକ୍ରମେ ବାଂଲାଦେଶ ଓ ଶ୍ରୀଲଙ୍କା ବିଜେତା ହୋଇଥିଲେ ଏବଂ ଆଫ୍‌ଗାନିସ୍ତାନ ଉଭୟ ଥର ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଚଳିତ ସଂସ୍କରଣରେ ଭାରତ ପ୍ରଥମ ଥର ଏହି ମହାଦେଶୀୟ କ୍ରୀଡ଼ାର କ୍ରିକେଟ୍‌ରେ ଭାଗ ନେଇ ଉଭୟ ପୁରୁଷ ଓ ମହିଳାରେ ସ୍ବର୍ଣ୍ଣ ଜିତିବାର ଗୌରବ ପାଇଥିଲା।

ତୀରନ୍ଦାଜିରୁ ୨ ସ୍ବର୍ଣ୍ଣ
ଭାରତୀୟ ତୀରନ୍ଦାଜ ପ୍ରବୀଣ ଓଜାସ ଦେଓତାଲ ଓ ଜ୍ୟୋତି ସୁରେଖା ଭେନ୍ନାମ ବ୍ୟକ୍ତିଗତ କାମ୍ପାଉଣ୍ଡରେ ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି। ଦୁଇ ଭାରତୀୟଙ୍କ ମଧ୍ୟରେ ଖେଳାଯାଇଥିବା ପୁରୁଷ ଫାଇନାଲ୍‌ରେ ପ୍ରବୀଣ ୧୪୯-୧୪୭ରେ ନିଜ ସାଥୀ ପ୍ରତିନ୍ଦ୍ବନ୍ଦ୍ବୀ ଅଭିଷେକ ବର୍ମାଙ୍କୁ ପରାସ୍ତ କରିଥିଲେ। ଫଳରେ ଏହି ଇଭେଣ୍ଟରେ ଭାରତକୁ ୧-୨ ସଫଳତା ମିଳିଥିଲା। ମହିଳା ଫାଇନାଲ୍‌ରେ ଜ୍ୟୋତି ୧୪୯-୧୪୫ରେ ‌ଦକ୍ଷିଣ କୋରିଆର ଚାଏୱାନ ସୋଙ୍କୁ ହରାଇ ଦେଇଥିଲେ। କାଂସ୍ୟ ମୁକାବିଲାରେ ଅଦିତି ଗୋପୀଚାନ୍ଦ ୧୪୬-୧୪୦ରେ ‌ଇଣ୍ଡୋନେସିଆର ରାଟି ଜିଲିଜାଟିଙ୍କୁ ହରାଇ ଦେଇଥିଲେ। ଏଥିରୁ ଭାରତକୁ ସ୍ବର୍ଣ୍ଣ ଓ କାଂସ୍ୟ ଆସିଥିଲା।

ସାତ୍ତ୍ବିକ-ଚିରାଗଙ୍କୁ ଐତିହାସିକ ସ୍ବର୍ଣ୍ଣ
ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଏସୀୟ କ୍ରୀଡ଼ା ବ୍ୟାଡ୍‌ମିଣ୍ଟନରେ ଭାରତ ଲାଗି ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ସିଧାସଳଖ ୨୧-୧୮, ୨୧-୧୬ରେ କୋରିଆର ଚୋଇ ସୋଲଗ୍ୟୁ ଓ କିମ୍‌ ଓନ୍‌ହୋଙ୍କୁ ମାତ୍‌ ଦେଇଥିଲେ। ଏହି ସ୍ବର୍ଣ୍ଣ ସହ ଭାରତ ପୁରୁଷ ଯୁଗଳରେ ୪ ଦଶନ୍ଧି ପରେ ପଦକ ମରୁଡ଼ିର ଅନ୍ତ ଘଟିଛି। ୧୯୮୨ରେ ଭାରତୀୟ ପୁରୁଷ ଯୋଡ଼ି ଲିରୟ ଡି’ସା ଓ ପ୍ରଦୀପ ଗାନ୍ଧେ କାଂସ୍ୟ ଜିତିଥିଲେ। ଏଥିସହ ଚଳିତ ମହାଦେଶୀୟ ପ୍ରତିଯୋଗିତାରେ ଭାରତ ୩ ପଦକ ସହ ସୁନ୍ଦର ପ୍ରଦର୍ଶନ ଦେଇଛି। ସାତ୍ତ୍ବିକ-ଚିରାଗଙ୍କ ସ୍ବର୍ଣ୍ଣ ପୂର୍ବରୁ ଭାରତୀୟ ପୁରୁଷ ଦଳ ରୌପ୍ୟ ଏବଂ ଏଚ୍‌ଏସ୍‌ ପ୍ରଣୟ କାଂସ୍ୟ ଜିତିଥିଲେ। ଯାହା ଗତ ସଂସ୍କରଣ ୩ (୨ ରୌପ୍ୟ, ୧ କାଂସ୍ୟ) ପଦକଠୁ ଶ୍ରେଷ୍ଠ।

ଚେସ୍‌ରେ ୨ ରୌପ୍ୟ
ଚେସ୍‌ରେ ଭାରତକୁ ୨ଟି ରୌପ୍ୟ ପଦକ ମିଳିଛି। ଉଭୟ ପୁରୁଷ ଓ ମହିଳା ଦଳ ଏହି ପଦକ ଜିତିଛନ୍ତି। ଅର୍ଜୁନ ଇରିଗେସି , ବିଦିତ ସନ୍ତୋଷ ଗୁଜରଥୀ ଓ ପେନ୍ତାଲା ହରିକ୍ରିଷ୍ଣା, ଆର୍‌ ପ୍ରଜ୍ଞାନନ୍ଦ ଓ ଡି ଗୁକେଶଙ୍କୁ ନେଇ ଗଠିତ ପୁରୁଷ ଦଳ ନବମ ରାଉଣ୍ଡରେ ଫିଲିପାଇନ୍ସକୁ ୩.୫-୦.୫ରେ ପରାସ୍ତ କରି ଏହି ପଦକ ନିଶ୍ଚିତ କରିଥିଲେ। ହାରିକା ଦ୍ରୋଣାବଳୀ, କୋନେରୁ ହମ୍ପି, ଆର୍‌ ବୈଶାଳି, ଭନ୍ତିକା ଅଗ୍ରୱାଲ ଓ ସବିତା ଶ୍ରୀଙ୍କୁ ନେଇ ଗଠିତ ମହିଳା ଦଳ ଶେଷ ରାଉଣ୍ଡରେ ଦକ୍ଷିଣ କୋରିଆକୁ ୪-୦ରେ ହରାଇ ୧୫ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଥିଲା।

ଦୀପକଙ୍କୁ କୁସ୍ତି ରୌପ୍ୟ
କୁସ୍ତିବିତ୍‌ ଦୀପକ ପୁନିଆ ରୌପ୍ୟ ପଦକ ଜିତିଛନ୍ତି। ଶନିବାର ପୁରୁଷ ୮୬ କେଜି ଫାଇନାଲ୍‌ରେ ଦୀପକ ଇରାନ କିଂବଦନ୍ତି ହାସନ ୟାଜଦାନିଙ୍କଠୁ ହାରି ଯାଇଥିଲେ। ୟାଜଦାନି ୨ ଥର ଅଲିମ୍ପିକ୍‌ ପଦକ ବିଜେତା ଏବଂ ୮ ଥରର ବିଶ୍ବ ବିଜେତା। ୟାଜଦାନି ମଧ୍ୟ ଦୀପକଙ୍କ ପିଲାବେଳର ଆଦର୍ଶ।

ମହିଳା ହକିରୁ କାଂସ୍ୟ
ସ୍ବର୍ଣ୍ଣ ପଦକ ଆଶା ଭାଙ୍ଗିବା ପରେ ଭାରତୀୟ ମହିଳା ହକି ଦଳ କାଂସ୍ୟ ମୁକବିଲାରେ ବିଜୟୀ ହୋଇଛି। ଫଳରେ ମହିଳା ହକି ଦଳ ଏସିଆଡ୍‌ରେ ଚତୁର୍ଥ ଥର କାଂସ୍ୟ ଜିତିଛି। ଶନିବାର ମ୍ୟାଚ୍‌ରେ ଭାରତ ୨-୧ ଗୋଲ୍‌‌ରେ ଜାକର୍ତ୍ତା ସ୍ବର୍ଣ୍ଣ ବିଜେତା ଜାପାନକୁ ପରାସ୍ତ କରିଥିଲା। ପଞ୍ଚମ ମିନିଟ୍‌ରେ ଦୀପିକାଙ୍କ ଗୋଲ୍‌ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ହେଲେ ଦ୍ବିତୀୟ କ୍ବାର୍ଟରରେ ଏହି ଗୋଲ୍‌ଟି ଜାପାନ ଅଧିନାୟିକା ୟୁରି ନଗାଇ (୩୦ ମିନିଟ୍‌) ଶୁଝି ସ୍ଥିତି ବରାବର କରିଥିଲେ। ଫଳରେ ପ୍ରଥମାର୍ଦ୍ଧ ୧-୧ରେ ଶେଷ ହୋଇଥିଲା। ତୃତୀୟ କ୍ବାର୍ଟର ଗୋଲ୍‌ ଶୂନ୍ୟରେ ସରିବା ପରେ ଚତୁର୍ଥ ତଥା ଶେଷ କ୍ବାର୍ଟରରେ ଓଡ଼ିଆ ଝିଅ ଦୀପଗ୍ରେସ ଏକ୍କାଙ୍କ ପାସ୍‌କୁ ସୁଶିଳା ଚାନୁ ‌ପୁଖ୍ରାମ୍ବମ (୫୦ ମିନିଟ୍‌) ଗୋଲ୍‌ ଦେଇ ଭାରତକୁ ବିଜୟ ଦିଗରେ ନେଇଥିଲେ। ଶେଷ ପର୍ଯ୍ୟନ୍ତ ଆଉ ଗୋଲ୍‌ ନ ହେବାରୁ ଭାରତ ସେ ୨-୧ ବ୍ୟବଧାନରେ ବିଜୟୀ ହୋଇ କାଂସ୍ୟ ପଦକ କରାୟତ୍ତ କରିଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button