ଦେଶ ବିଦେଶ

ତେଜିଲା ୟୁକ୍ରେନ ଆକ୍ରମଣ, ୟୁରୋପ ଆତଙ୍କିତ: ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଡ଼ରେ ବ୍ୟାପକ କ୍ଷୟକ୍ଷତି, ୨୦ ମୃତ, ଭିତ୍ତିଭୂମି ଛାରଖାର

କିବ୍‌: ୟୁକ୍ରେନକୁ ସମର୍ଥନ ଓ ସୁରକ୍ଷା ଗ୍ୟାରେଣ୍ଟିରୁ ଆମେରିକା ଓହରିଯିବା ପରେ ରୁଷ୍‌ର ଆକ୍ରମଣ ଜୋର୍‌ଦାର୍‌ ହୋଇଛି। ଗତ ରାତିରେ ୟୁକ୍ରେନ ଉପରେ  ରୁଷ୍‌ ବଡ଼ ଧରଣର ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ଆକ୍ରମଣ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ରୁଷ୍‌ ୧୪୫ଟି କାମିକାଜେ ଡ୍ରୋନ୍, ୨ଟି ଇସ୍‌କନ୍ଦର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଗୋଟିଏ କ୍ରୁଜ୍ କ୍ଷେପଣାସ୍ତ୍ର ମାଡ଼ କରି ଡୋନେସ୍କ ଅଂଚଳର ଅନେକ ସରକାରୀ ଓ ଘରୋଇ ପ୍ରତିଷ୍ଠାନ ଧ୍ବଂସ କରିଛି। ଏହି ଆକ୍ରମଣରେ ଅତିକମ୍‌ରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଶତାଧିକ ଲୋକ ଆହତ ହୋଇଛନ୍ତି। ୟୁକ୍ରେନକୁ  ସାମରିକ ଗୁଇନ୍ଦା ସୂଚନା ଆଦାନପ୍ରଦାନ ଆମେରିକା ବନ୍ଦ କରିବାର ମାତ୍ର ଦୁଇ ଦିନ ପରେ ଏହି ଆକ୍ରମଣ ହୋଇଛି । ଆମେରିକାର ନୀତି ପରିବର୍ତ୍ତନ ମଧ୍ୟରେ ଏଭଳି ଆକ୍ରମଣ ସମଗ୍ର ୟୁରୋପରେ ଆତଙ୍କ ଖେଳାଇ ଦେଇଛି। ୟୁକ୍ରେନକୁ ସୁରକ୍ଷା ଗ୍ୟାରେଣ୍ଟି ଦେଉଥିବା ୟୁରୋପୀୟ ସଂଘକୁ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଚେତାବନୀର ଦୁଇ ଦିନ ପରେ ଏଭଳି  ଆକ୍ରମଣ କରାଯାଇଛି।

ଡୋନେସ୍କ ଅଞ୍ଚଳରେ ରୁଷ୍‌ ଯୁଦ୍ଧ ବିମାନରୁ ମଧ୍ୟ ବୋମାବର୍ଷା କରିଥିବା ସୂଚନା ମିଳିଛି। ଏହି ଟାର୍ଗେଟ୍‌ ଆକ୍ରମଣ ଡୋନେସ୍କରେ  ସମସ୍ତ ପ୍ରମୁଖ ଭିତ୍ତିଭୂମିକୁ ନଷ୍ଟ କରିଦେଇଛି। ଯୁଦ୍ଧ ବିମାନ, ଡ୍ରୋନ୍‌ ଓ କ୍ରୁଜ୍‌ କ୍ଷେପଣାସ୍ତ୍ର ଦ୍ବାରା ଏକକାଳୀନ ଆକ୍ରମଣ ଯୋଗୁଁ ୟୁକ୍ରେନ ସେନା ଏହାକୁ  ପ୍ରତିହତ କରିବାରେ ସକ୍ଷମ ହୋଇନଥିଲା।  ୟୁରୋପରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର, ରୁଷ୍‌ ଉପରୁ ପ୍ରତିବନ୍ଧକ ହଟାଇବା ଏବଂ ୟୁକ୍ରେନକୁ ସାମରିକ ସହାୟତା ବନ୍ଦ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଘୋଷଣା ୟୁକ୍ରେନ ଉପରେ ସାଂଘାତିକ ଚାପ ସୃଷ୍ଟି କରିଛି।

ୟୁକ୍ରେନକୁ ସାମରିକ ସହାୟତା ଏବଂ ଗୁଇନ୍ଦା ସୂଚନା ଆଦାନପ୍ରଦାନକୁ ସ୍ଥଗିତ ରଖିବାକୁ ଟ୍ରମ୍ପଙ୍କ ନିଷ୍ପତ୍ତି ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇଛି ବୋଲି ୟୁକ୍ରେନର ଜଣେ ବରିଷ୍ଠ କମାଣ୍ଡର କହିଛନ୍ତି। ଅନ୍ୟପକ୍ଷରେ ରୁଷ୍‌ କହିଛି ଯେ ପୂର୍ବରୁ ୟୁରୋପ ଓ ଆମେରିକା ରୁଷ୍‌ର ସୁରକ୍ଷାକୁ ଦୁର୍ବଳ କରିଦେବା ପାଇଁ ଯେଭଳି ନୀତିରେ କାମ କରୁଥିଲେ ଏବେ ତାହା ବନ୍ଦ ହେବାର ସମୟ ଆସିଛି। ୟୁକ୍ରେନ ଯୁଦ୍ଧରେ ରୁଷ୍‌ ତା’ର ଲକ୍ଷ୍ୟ ହାସଲ କରିବ ଏବଂ ଏଥିପାଇଁ ନିର୍ଣ୍ଣାୟକ ଲଢ଼େଇ ଜାରି ରହିବ। ୟୁକ୍ରେନ ଯୁଦ୍ଧକୁ  ନେଇ ୟୁରୋପର  ଷଡ୍‌ଯନ୍ତ୍ର ସେମାନଙ୍କ ମୁଖା ଖୋଲିଦେଇଛି  ବୋଲି କ୍ରେମ୍‌ଲିନ କହିଥିବା ବେଳେ ଏବେ  ଆମେରିକା  ମସ୍କୋକୁ ଉତ୍ସାହିତ କରିବା ଭଳି କାର୍ଯ୍ୟ କରୁଥିବାରୁ ଆଗକୁ ଏହି ଭୂରାଜନୈତିକ ସଙ୍କଟ ଜଟିଳ ମୋଡ଼ ନେବ ବୋଲି ଆଶଙ୍କା କରାଯାଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button