କ୍ରାଇମ

ଦେଖୁଦେଖୁ ଦାନ୍ତରେ ଆଇଫୋନ ଚୋରି କରି ନେଇଗଲା ମହିଳା – Utkal Mail


ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଚୋରିର ଅନେକ ଘଟଣା ଶୁଣିଥିବେ, କିନ୍ତୁ ଆପଣ କେବେ ଏମିତି ଚୋର ବିଷୟରେ ଶୁଣିଛନ୍ତି କି ଯିଏ କେବଳ ଦାନ୍ତରେ ଚୋରି କରୁଥିବ? ଏମିତି ଏକ ଚୋରକୁ ନେଇ ଖବର ସାମ୍ନାକୁ ଆସିଛି।

ଘଟଣାଟି ହେଉଛି ଏପରି, ନିକଟରେ ଦକ୍ଷିଣ-ପୂର୍ବ ଚାଇନାର ଫୁଜିଆନରୁ ଜଣେ ମହିଳା ଚୋର ଧରାପଡିଛି । ଯିଏ ୭୦,୦୦୦ ଟଙ୍କା ମୂଲ୍ୟର ଏକ ଆଇଫୋନକୁ ଦାନ୍ତ ସାହାଯ୍ୟରେ  ଆପଲ୍ ଷ୍ଟୋର୍‌ରୁ ଚୋରି କରି ନେଇଥିଲା। ଚୋରିର ସମ୍ପୂର୍ଣ୍ଣ ଘଟଣା ଆପଲ୍ ଷ୍ଟୋର୍‌ରେ ଖଞ୍ଜା ଯାଇଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା।

ଏହି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ, ମହିଳା ଚୋର ଜଣକ ପ୍ରଥମେ ଆପଲ୍ ଷ୍ଟୋର୍‌ରେ ପ୍ରବେଶ କରୁଛି। ଏହାପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମ୍ୟାକବୁକକୁ ଦେଖୁଛି। ଏହାପରେ ସେ ଆଗକୁ ବଢ଼ି ଆଇଫୋନର ଏକ ନୂତନ ମଡେଲ ଉପରେ ନଜର ପକାଉଛି।

ତା’ପରେ ଏହାକୁ ହାତରେ ନେଇ ଦେଖୁଛି। କିଛି ସମୟ ପରେ ସେ ଫୋନରେ ସ୍ଥାପିତ ଆଣ୍ଟି-ଥେପ୍ଟ ତାର(ଯେଉଁ କେବୁଲ ମାଧ୍ୟମରେ ଆଇଫୋନ୍ ସଂଯୁକ୍ତ ହୋଇଥାଏ, ଯାହା ଦ୍ବାରା ଫୋନକୁ କେହି ନେଇ ପାରିବେ ନାହିଁ)କୁ ଚୋବାଇବା ଆରମ୍ଭ କରୁଛି।  କିଛିସମୟ ଦାନ୍ତରେ କାମୁଡ଼ିବା ଦ୍ବାରା ସେହି ତାର ଛିଣ୍ଡି ଯାଇଥିଲା। ଆଉ ମହିଳା ଚୋର ଜଣକ ଫୋନକୁ ସଙ୍ଗେସଙ୍ଗେ ବ୍ୟାଗରେ ପୁରାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।

ପୁଲିସ ସିସିଟିଭି ଫୁଟେଜ ଜରିଆରେ ମହିଳା ଚୋରକୁ ଚିହ୍ନଟ କରି ଗିରଫ କରିଥିଲା। ଗିରଫ ପରେ ମହିଳା ଚୋର ଜଣକ ପୁଲିସକୁ କହିଥିଲା କି, ‘ ମୋର ପୁରୁଣା ଆଇଫୋନ୍ ହଜିଯାଇଥିଲା। ସେଥିପାଇଁ ମୁଁ ଦୋକାନକୁ ଯାଇ ଏକ ନୂତନ ଆଇଫୋନ୍ କିଣିବାକୁ ମନସ୍ଥ କରିଥିଲି। କିନ୍ତୁ ଯେତେବେଳେ ଦୋକାନରେ ମୁଁ ପସନ୍ଦ କରିଥିବା ଫୋନର ମୂଲ୍ୟ ଶୁଣିଥିଲି ତାହାକୁ କିଣି ପାରିବି ନାହିଁ ବୋଲି ବୁଝି ଯାଇଥିଲି। ଏହାପରେ ଉକ୍ତ ଆଇଫୋନ୍ ଚୋରି କରିବାକୁ ନିଷ୍ପତ୍ତି ନେଇଥିଲି।’




Related Articles

Leave a Reply

Your email address will not be published. Required fields are marked *

Back to top button