କ୍ରୀଡା

ବିଶ୍ବକପ୍‌ରେ ଭାରତ-ପାକିସ୍ତାନ ପ୍ରତିଦ୍ବନ୍ଦ୍ବିତା: ୮-୦ର ଆଶା – Utkal Mail


ନୂଆଦିଲ୍ଲୀ: ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌ରେ ଭାରତ-ପାକିସ୍ତାନ ପ୍ରତିଦ୍ବନ୍ଦ୍ବିତାର ଲମ୍ବା ଓ ଗୌରବମୟ ଅଧ୍ୟାୟ ରହିଛି। ଏହି ପ୍ରତିଦ୍ବନ୍ଦ୍ବିତା କ୍ରିକେଟ୍ ଇତିହାସରେ ଅତି ଉତ୍କଣ୍ଠାପୂର୍ଣ୍ଣ ଏବଂ ସର୍ବାଧିକ ଦେଖାଯାଇଥିବା‌ ମ୍ୟାଚ୍‌ର ଛାପ ଛାଡ଼ିଛି। ତେବେ ବିଶ୍ବକପ୍‌ର ମହା ମୁକାବିଲାରେ ଭାରତର ପଲା ପୂରା ଭାରି ରହିଛି। ତଥାପି କ୍ରିକେଟ୍ ଦୁନିଆରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ଅତୁଳନୀୟ ଏବଂ ଅବିଶ୍ବସନୀୟ ଉତ୍ସାହ କାଣିଚାଏ ବି କମିନି। ପୁରୁଷ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌ରେ ଭାରତ-ପାକିସ୍ତାନ ୧୯୯୨, ୧୯୯୬, ୧୯୯୯, ୨୦୦୩, ୨୦୧୧, ୨୦୧୫ ଓ ୨୦୧୯, ଏହିଭଳି ଭାବେ ୭ ଥର ମୁହାଁମୁହିଁ ହୋଇଛନ୍ତି। ପ୍ରତିଥର କିନ୍ତୁ ଭାରତ ବିଜୟୀ ହୋଇଛି। ଶନିବାର ଖେଳାଯିବାକୁ ଥିବା ଚଳିତ ବିଶ୍ବକପ୍‌ର ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସମଗ୍ର କ୍ରିକେଟ୍ ଜଗତ ଉଲ୍ଲସିତ ଥିଲା ବେଳେ ଭାରତ ଏବେ ଏହାକୁ ୮-୦ କରିବାର ସ୍ବପ୍ନ ଦେଖୁଛି। ଏଭଳି ପରିସ୍ଥିତିରେ ସ୍ବାଭାବିକ ଭାବେ ଅତୀତର ସେହି ୭ ସ୍ମରଣୀୟ ମୁକାବିଲାକୁ ରୋମନ୍ଥନ କରିବାର ଅପୂର୍ବ ସୁଯୋଗ ଉପନୀତ ହୋଇଛି।

୧୯୯୨, ସିଡ୍‌ନି: ଭାରତ ୪୩ ରନ୍‌ରେ ବିଜୟୀ
ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ପ୍ରଥମ ଥର ୧୯୯୨ ମସିହାରେ ଅଷ୍ଟ୍ରେଲିଆର ସିଡ୍‌ନିଠାରେ ପରସ୍ପର ବିପକ୍ଷରେ କୌଣସି ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍ ମ୍ୟାଚ୍ ଖେଳିଥିଲେ। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଅପରାଜିତ ୫୪ ଏବଂ ଅଜୟ ଜାଦେଜାଙ୍କ ୪୬ ରନ୍ ବଳରେ ଭାରତ ୪୯ ଓଭରରେ ୭ ୱିକେଟ୍ ବିନିମୟରେ ୨୧୬ ରନ୍ କରିଥିଲା। ଜବାବରେ ପାକିସ୍ତାନ ୧୭ ରନ୍‌ରେ ୨ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ହେଲେ ଆମିର ସୋହେଲ ଓ ଜାଭେଦ ମିଆଁଦାଦ ତୃତୀୟ ୱିକେଟ୍‌ରେ ୮୮ ରନ୍ ଯୋଡ଼ିବା ପରେ ପାକିସ୍ତାନ ପାଇଁ ଆଶା ସଂଚାର ହୋଇଥିଲା। ତେବେ ଭାରତୀୟ ବୋଲର କ୍ରମାଗତ ଭାବେ ଚାପ ପ୍ରୟୋଗ କରିବା ପରେ ଏକଦା ଦୃଢ଼ ସ୍ଥିତିରେ ଥିବା ପାକିସ୍ତାନ ସମସ୍ତ ୱିକେଟ୍ ହରାଇ ମାତ୍ର ୧୭୩ ରନ୍ କରିପାରିଥିଲା। ସୋହେଲ ୬୦ ଓ ମିଆଁଦାଦ ୪୦ ରନ୍ କରିବା ସତ୍ତ୍ବେ ଭାରତ ୪୩ ରନ୍‌ରେ ବିଜୟୀ ହୋଇଥିଲା।

୧୯୯୬, ବେଙ୍ଗାଲୁରୁ: ଭାରତ ୩୯ ରନ୍‌ରେ ବିଜୟୀ
୧୯୯୬ ମସିହାର ଷଷ୍ଠ ବିଶ୍ବକପ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ବିଶ୍ବକପ୍‌ରେ ଦ୍ବିତୀୟ ଥର ବେଙ୍ଗାଲୁରୁରେ ଭେଟା‌ଭେଟି ହୋଇଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ନଭଜ୍ୟୋତ ସିଂହ ସିଦ୍ଧୁଙ୍କ ବିସ୍ଫୋରକ ୯୩ ରନ୍ ବଳରେ ୮ ୱିକେଟ୍ ହରାଇ ୨୮୭ ରନ୍ କରିଥିଲା। ହଜାର ହଜାର ଭାରତୀୟ ପ୍ରଶଂସକଙ୍କ ସମ୍ମୁଖରେ ଖେଳୁଥିବା ପାକିସ୍ତାନ ଚାପ ଆଗରେ ମୁଣ୍ଡ ନୁଆଁଇ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ କେବଳ ୨୪୮ ରନ୍ କରିପାରିଥିଲା। ଭେଙ୍କଟେଶ ପ୍ରସାଦ ଓ ଅନୀଲ କୁମ୍ବଲେ ଚମତ୍କାର ପ୍ରଦର୍ଶନ କରି ଯଥାକ୍ରମେ ୪ ଓ ୩ ୱିକେଟ୍ କରାୟତ୍ତ କରିଥିଲେ। ଭାରତ ୩୯ ରନ୍‌ରେ ମ୍ୟାଚ୍ ଜିତି ନେଇଥିଲା।

୧୯୯୯, ମାଞ୍ଚେଷ୍ଟର: ଭାରତ ୪୭ ରନ୍‌ରେ ବିଜୟୀ
ଭାରତ-ପାକିସ୍ତାନ ତୃତୀୟ ବିଶ୍ବକପ୍‌ ମହା ମୁକାବିଲା ଜୁନ୍ ୮, ୧୯୯୯ ମସିହାରେ ମାଞ୍ଚେଷ୍ଟର (ଇଂଲଣ୍ଡ)ର ଓଲ୍ଡ ଟ୍ରାଫର୍ଡ ପଡ଼ିଆରେ ଖେଳାଯାଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ବିନିମୟରେ ୨୨୭ ରନ୍ କରିଥିଲା। ସୌରଭ ଗାଙ୍ଗୁଲି ସର୍ବାଧିକ ୬୧ ରନ୍‌ର ଯୋଗଦାନ ଦେଇଥିଲେ। ଭେଙ୍କଟେଶ ପ୍ରସାଦଙ୍କ ୫ ୱିକେଟ୍ (୨୭ ରନ୍) ସଫଳତା ପରେ ପାକିସ୍ତାନ ୧୮୦ ରନ୍‌ରେ ସୀମିତ ହୋଇଯାଇଥିଲା। ଭାରତ ୪୭ ରନ୍‌ରେ ବିଜୟୀ ହୋଇ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍ ବିଶ୍ବକପ୍ ବିଜୟ ପାଇଥିଲା।

୨୦୦୩, ସେଞ୍ଚୁରିଅନ: ଭାରତ ୬ ୱିକେଟ୍‌ରେ ବିଜୟୀ
ଦକ୍ଷିଣ ଆଫ୍ରିକାର ସେଞ୍ଚୁରିଅନଠାରେ ଭାରତ-ପାକିସ୍ତାନ ପରସ୍ପର ବିପକ୍ଷରେ ଖେଳିଥିବା ଚତୁର୍ଥ ବିଶ୍ବକପ୍‌ ମ୍ୟାଚ୍‌ରେ ଭାରତ ପୁଣି ଥରେ ବାଜି ମାରି ନେଇଥିଲା। ଏହି ବହୁ ପ୍ରତୀକ୍ଷିତ ମୁକାବିଲାରେ ମାଷ୍ଟର୍‌ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କ ୯୮ ରନ୍‌ର ଗୌରବମୟ ପାଳି ବଳରେ ଭାରତ ଶେଷରେ ୬ ୱିକେଟ୍‌ର ସହଜ ବିଜୟ ପାଇଥିଲା। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ସଇଦ ଅନୱରଙ୍କ ଶତକ ବଳରେ ୨୭୩ ରନ୍ କରିଥିଲା। ଦୁଇ ବାମହାତୀ ଦ୍ରୁତ ବୋଲର ଆଶିଷ ନେହରା ଓ ଜାହିର ଖାନ ଚମତ୍କାର ବୋଲିଂ କରିଥିଲେ। ପରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୯୮ ରନ୍‌ର ଅସାଧାରଣ ପାଳି ବଳରେ ଭାରତ ୬ ୱିକେଟ୍‌ରେ ବିଜୟୀ ହୋଇଥିଲା। ଯୁବରାଜ ସିଂହ ୫୦* ଏବଂ ରାହୁଲ ଦ୍ରାବିଡ଼ ୪୪* ରନ୍‌ର ଉପଯୋଗୀ ପାଳି ଖେଳିଥିଲେ।

୨୦୧୧, ମୋହାଲି: ଭାରତ ୨୯ ରନ୍‌ରେ ବିଜୟୀ
ଭାରତ ଓ ପାକିସ୍ତାନ ମଧ୍ୟରେ ଆଉ ଏକ ରୋମାଞ୍ଚକର ମୁକାବିଲା ୨୦୧୧ ବିଶ୍ବକପ୍‌ର ସେମିଫାଇନାଲ୍‌ରେ ଦେଖିବାକୁ ମିଳିଥିଲା। ମୋହାଲିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ସହ ୯ ୱିକେଟ୍ ବିନିମୟରେ ୨୬୦ ରନ୍ କରିଥିଲା। ସଚିନଙ୍କ ବ୍ୟାଟ୍ ପୁଣି ଗର୍ଜିଥିଲା। ତାଙ୍କ ଲଢ଼ୁଆ ୮୫ ରନ୍ ସହ ସୁରେଶ ରାଇନାଙ୍କ ମହତ୍ତ୍ବପୂର୍ଣ୍ଣ ୩୬* ରନ୍ ଭାରତ ପାଳିର ପ୍ରମୁଖ ଆକର୍ଷଣ ଥିଲା। ପାକିସ୍ତାନର ୱାହାବ ରିଆଜ ୫ ୱିକେଟ୍ ସଫଳତା (ଧୋନି, ସେହବାଗ, କୋହଲି, ଯୁବରାଜ, ଜାହିର) ପାଇଥିଲେ। ଜବାବରେ ଭାରତୀୟ ସ୍ପିନରଙ୍କ ମୁକାବିଲା କରି ନପାରି ପାକିସ୍ତାନ ୨୩୧ ରନ୍‌ରେ ଅଟକି ଯାଇଥିଲା। ୨୯ ରନ୍‌ରେ ଐତିହାସିକ ବିଜୟ ହାସଲ କରି ଭାରତ ଫାଇନାଲ୍‌କୁ ଯିବା ସହ ପରବର୍ତ୍ତୀ ସମୟରେ ଶ୍ରୀଲଙ୍କାକୁ ହରାଇ ୨୮ ବର୍ଷ ପରେ ଦ୍ବିତୀୟ ବାର ବିଶ୍ବକପ୍ ଜିତିବାର ସ୍ମରଣୀୟ ସଫଳତା ପାଇଥିଲା। ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ମଧ୍ୟ ଲଗାତାର ଅଧଡଜନ ବିଜୟ ପାଇଥିଲା।

୨୦୧୫, ଆଡିଲେଡ୍: ଭାରତ ୭୬ ରନ୍‌ରେ ବିଜୟୀ
ଆଡିଲେଡ୍‌ରେ ଖେଳାଯାଇଥିବା ୨୦୧୫ ବିଶ୍ବକପ୍‌ ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ବିନିମୟରେ ୩୦୦ ରନ୍ କରିଥିଲା। ବିରାଟ କୋହଲି ୧୨୬ ବଲ୍‌ରୁ ୧୦୭ ରନ୍‌ର ଚମତ୍କାର ଶତକୀୟ ପାଳି ଖେଳିଥିଲେ। ଚାପରେ ଚାପିହୋଇ ପାକିସ୍ତାନ ମାତ୍ର ୨୨୪ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ମୋହିତ ଶର୍ମା ଓ ମହମ୍ମଦ ସାମି ପାକିସ୍ତାନ ବିପର୍ଯ୍ୟୟର କାରଣ ହୋଇଥିଲେ। ଭାରତ ୭୬ ରନ୍‌ରେ ବିଜୟୀ ହୋଇଥିଲା।

୨୦୧୯, ମା‌‌‌ଞ୍ଚେଷ୍ଟର୍‌: ଭାରତ ୮୯ ରନ୍‌ରେ ବିଜୟୀ (ଡି/ଏଲ୍)
ଭାରତ-ପାକିସ୍ତାନ ଶେଷ ବିଶ୍ବକପ୍ ମୁକାବିଲାର ଫଳାଫଳ ମଧ୍ୟ ଭାରତ ସପକ୍ଷରେ ଯାଇଥିଲା। ରୋହିତ ଶର୍ମାଙ୍କ ଆତସବାଜି ଭରା ଶତକ ବଳରେ ଭାରତ ୩୩୬ ରନ୍‌ର ବିଶାଳ ସ୍କୋର କରି ପାକିସ୍ତାନ ଉପରେ ପୁଣି ଥରେ ଚାପ ପକାଇବାକୁ ସକ୍ଷମ ହୋଇଥିଲା। ୩୧୭ ରନ୍‌ର ପଶ୍ଚାତଧାବନ ପାକିସ୍ତାନ ପାଇଁ ଅତ୍ୟନ୍ତ କଷ୍ଟକର ହୋଇଥିଲା। ବିଜୟ ଶଙ୍କର ଓ କୁଲଦୀପ ଯାଦବ ନିୟମିତ ବ୍ୟବଧାନରେ ୱିକେଟ୍ ନେବା ସହ ବର୍ଷା ପ୍ରଭାବିତ ଏହି ମ୍ୟାଚ୍‌ରେ ପାକିସ୍ତାନକୁ ପୁନଃନିର୍ଦ୍ଧାରିତ ବିଜୟ ଲକ୍ଷ୍ୟ ୪୦ ଓଭରରେ ୩୦୨ ରନ୍ ମିଳିଥିଲା। ପାକିସ୍ତାନ କିନ୍ତୁ ୬ ୱିକେଟ୍ ବିନିମୟରେ ମାତ୍ର ୨୧୨ ରନ୍ କରିପାରିଥିଲା। ଫଳରେ ଭାରତ ଡକୱର୍ଥ/ଲୁଇସ୍ ନିୟମରେ ୮୯ ରନ୍‌ର ବଡ଼ ବ୍ୟବଧାନରେ ଜିତି ନେଇଥିଲା। ସେହିଭଳି ପାକିସ୍ତାନ ବିପକ୍ଷ‌ରେ ବିଶ୍ବକପ୍ ସଫଳତାକୁ ୭-୦କୁ ବଢ଼ାଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button