ବ୍ୟବସାୟ

ରୁଚିର ପୂଜ୍ୟପୂଜା ଓ ପ୍ରତିଭାପୂଜା ଏକ ପ୍ରେରଣାଦାୟୀ ପଦକ୍ଷେପ : ମୁଖ୍ୟ ଶାସନସଚିବ – Utkal Mail


କଟକ: ଦୀର୍ଘ ୨୭ ବର୍ଷ ଧରି ରାଜ୍ୟର ଶ୍ରେଷ୍ଠ ବିଦ୍ୟାର୍ଥୀ ଓ ପ୍ରତିଭାବାନ ବରପୁତ୍ରମାନଙ୍କୁ ସମ୍ମାନିତ କରି ପୂଜ୍ୟପୂଜା କ୍ଷେତ୍ରରେ ଓଡ଼ିଶାର ଅଗ୍ରଣୀ ରୁଚି ମସଲା ଏକ ଅଭିନବ ପରମ୍ପରା ସୃଷ୍ଟି କରିଛି । ରାଜ୍ୟର ଶିଳ୍ପ ପ୍ରଗତି କ୍ଷେତ୍ରରେ ଭାଗିଦାରି ସହିତ ଉଚ୍ଚ ମୂଲ୍ୟବୋଧ ଓ ଗୁଣବତ୍ତା ପାଇଁ ଏହି ଅନୁଷ୍ଠାନ ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି କହିଛନ୍ତି ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଶନିବାର ସନ୍ଧ୍ୟାରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସେଭେନ ପିଲାର ଉଇଜ୍ଡମ୍ ପ୍ରେକ୍ଷାଳୟଠାରେ ଆୟୋଜିତ ୨୭ତମ ରୁଚି ପ୍ରତିଭା ସମ୍ମାନ ସମାରୋହକୁ ଆଭାସି ଜରିଆରେ ଉଦ୍ଘାଟନ କରି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ, ରାଜ୍ୟର ମାଟ୍ରିକ୍ ଟପ୍ପର ସମେତ କୃତବିଦ୍ୟ ପ୍ରତିଭାମାନଙ୍କୁ ସମ୍ମାନିତ କରି ରୁଚି ପ୍ରତିଭା ଫାଉଣ୍ଡେସନ୍ ନିଜର ସାମାଜିକ କାର୍ଯ୍ୟକ୍ରମ ରୂପାୟନ କରି ଆସୁଛି । ଓଡ଼ିଶାର ଯେଉଁ ପ୍ରତିଭାଧର ବ୍ୟକ୍ତିତ୍ୱମାନେ ନିଜର ନିଷ୍ଠା ଓ କୃତିତ୍ୱ ବଳରେ ରାଜ୍ୟର ନାମକୁ ବିକଶିତ କରିଛନ୍ତି, ପୂଜ୍ୟପୂଜା କରିଆରେ ରୁଚି ଫାଉଣ୍ଡେସନ୍ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ଏକ ପ୍ରେରଣାଦାୟୀ ପଦକ୍ଷେପ ।

ସମାରୋହରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଦେଶର ବିଶିଷ୍ଟ କ୍ଷେପଣାସ୍ତ୍ର ବିଜ୍ଞାନୀ ତଥା ଡିଆରଡିଓର ମହାନିର୍ଦ୍ଦେଶକ ଡକ୍ଟର ବିନୟ କୁମାର ଦାସ କହିଥିଲେ ଯେ, ପ୍ରତିଭାକୁ ଲୋକଲୋଚନକୁ ଆଣିବା ହେଉଛି ରୁଚି ପ୍ରତିଭା ଫାଉଣ୍ଡେସନର ମୂଳଲକ୍ଷ୍ୟ । ଦୀର୍ଘବର୍ଷ ଧରି ଏହି ଅନୁଷ୍ଠାନ ଯେଉଁ ଅଭିନବ କାର୍ଯ୍ୟକ୍ରମ ଜରିଆରେ ପ୍ରତିଭାପୂଜନ ଭଳି ପୂଜ୍ୟପୂଜା ପରମ୍ପରାର ବାହକ ସାଜିଛନ୍ତି, ତାହା ଅନ୍ୟମାନଙ୍କ ପାଇଁ ଏକ ଆଦର୍ଶ । ୧୯୮୭ମସିହାରେ ଭାରତ କ୍ଷେପଣାସ୍ତ୍ର ତିଆରି କରିବା ଆରମ୍ଭ କରିଥିଲା । କିନ୍ତୁ ଏବେ ୫ହଜାର କିଲୋମିଟର ଦୂରତାକୁ ଅତିକ୍ରମ କରୁଥିବା ଅଗ୍ନି କ୍ଷେପଣାସ୍ତ୍ର ତିଆରି କରି ବିଶ୍ୱରେ ଭାରତର ନାଁ ସ୍ୱର୍ଣ୍ଣାକ୍ଷରରେ ଲେଖି ପାରିଛି ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଥିଲେ ଯେ, ରୁଚି ଅନୁଷ୍ଠାନର ନିମନ୍ତ୍ରଣକୁ ମୁଁ ସୌଭାଗ୍ୟ ବୋଲି ସ୍ୱୀକାର କରେ । ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ସେ କହିଥିଲେ ଯେ, ନିଷ୍ଠା, ଭକ୍ତି ଓ ସାଧନା ସହିତ ଯେ କୌଣସି କାର୍ଯ୍ୟ କଲେ ତାହା ନିଶ୍ଚିତ ଭାବେ ସଫଳ ହେବ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ କହିଥିଲେ ଯେ, ମାତୃଭୂମି ଓ ମାତୃଭାଷା ପ୍ରତି ଆମ ସମସ୍ତଙ୍କର ଆଦର ରହିବା ଉଚିତ । ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଯେଉଁ କ୍ଷେତ୍ରରେ ଆମେ କାମ କରୁନା କାହିଁକି ସବୁବେଳେ ଭଲ କାମ କରିବା ହିଁ ଉଚିତ୍ ।

ଏହି ଅବସରରେ ରୁଚି ପ୍ରତିଭା ଫାଉଣ୍ଡେସନ ପକ୍ଷରୁ ଆଦିତ୍ୟ ବିର୍ଲା ଗ୍ରୁପ୍ର ନିଦେ୍ର୍ଦଶକ ଡ. ସନ୍ତୃପ୍ତ ବି ମିଶ୍ରଙ୍କୁ ସମ୍ମାନଜନକ ‘ରୁଚି ଦେଶ ଗୌରବ ସମ୍ମାନ’, ବିଶିଷ୍ଠ ସୂଚନା ଓ ପ୍ରଯୁକ୍ତି ବିଶେଷଜ୍ଞ ଅରବିନ୍ଦ ପାଣିଙ୍କୁ ‘ରୁଚି ଦେଶ ଜ୍ୟୋତି ସମ୍ମାନ’ ଓ ଆନ୍ତର୍ଜାତିକ ସ୍ତରରେ ଖ୍ୟାତନାମା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ‘ରୁଚି ଦେଶ ସେବା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ଓଡ଼ିଶାର ଆଇଏଏସ୍ ଟପ୍ପର୍ ଜୁବିନ୍ ମହାପାତ୍ରଙ୍କୁ ‘ରୁଚି ବିଦ୍ୟାସାଗର ସମ୍ମାନ’, ପ୍ରାକୃତିକ ବିପର୍ଯ୍ୟୟ ବେଳେ ବିପନ୍ନଙ୍କୁ ସେବା ଓ ସହାୟତା ଯୋଗାଇ ଆସୁଥିବା ଓଡ୍ରାଫ୍ ଟିମକୁ ‘ରୁଚି ସେବା ଜ୍ୟୋତି ସମ୍ମାନ’ ଏବଂ ବିଶ୍ୱ ପୁଲିସ କ୍ରୀଡ଼ାରେ ଦୁଇଟି ସ୍ୱର୍ଣ୍ଣପଦକ ବିଜୟିନୀ କ୍ରୀଡ଼ାବିତ୍ ଚିନ୍ମୟୀ ଭୂୟାଁଙ୍କୁ ‘ରୁଚି ବାରବାଟୀ କ୍ରୀଡ଼ା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ଏଥିସହ ଚଳିତ ବର୍ଷ ମାଟ୍ରିକ୍ ଟପ୍ପର ଶ୍ରେୟାଶ୍ରୀ ଜେନା ଓ ୨୦୨୧ ମସିହା ସିବିଏସ୍ଇରେ ସର୍ବଭାରତୀୟ ଟପ୍ପର୍ ନିଶିତା ଦାସଙ୍କୁ ‘ରୁଚି ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ବିଶିଷ୍ଟ ପ୍ରତିଭାମାନଙ୍କୁ ଅଙ୍ଗବସ୍ତ୍ର, ମାନପତ୍ର ଓ ସମ୍ମାନ ଫଳକ ଦେଇ ସମ୍ମାନିତ କରାଯାଇଥିଲା ।

ରୁଚି ପ୍ରତିଭା ଫାଉଣ୍ଡେସନ୍ର ଅଧ୍ୟକ୍ଷ ତଥା ବିଶିଷ୍ଟ ଉଦ୍ୟୋଗୀ ଡ. ଶରତ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିଲେ ଓ ଫାଉଣ୍ଡେସନର ସମ୍ପାଦକ ଅରବିନ୍ଦ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଫାଉଣ୍ଡେସନ ପକ୍ଷରୁ ପ୍ରକାଶିତ ‘ଆମରୁଚି’ର ସ୍ୱତନ୍ତ୍ର ପ୍ରତିଭା ବିଶେଷାଙ୍କ ଉନ୍ମୋଚିତ ହୋଇଥିଲା । ନାରୀମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଚଳିତ ବର୍ଷରୁ ‘ରୁଚି ଦିଦି’ ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଅତିଥିମାନଙ୍କ ସହିତ ରୁଚିର ନିଦେ୍ର୍ଦଶକ ଶ୍ରୀ ସାହୁ, ନିର୍ଦ୍ଦେଶିକା ସଂଗୀତା ସାହୁ, ନିର୍ଦ୍ଦେଶିକା ରଶ୍ମି ସାହୁ, ନିର୍ଦ୍ଦେଶିକା ସଲିନା ସାହୁ ପ୍ରମୁଖ ପ୍ରତିଭାମାନଙ୍କୁ ସମ୍ମାନିତ କରିଥିଲେ । ଫାଉଣ୍ଡେସନର ଯୁଗ୍ମ ସମ୍ପାଦକ ତଥା ଲୋକ ସମ୍ପର୍କ ବିଭାଗ ମୁଖ୍ୟ ଶୁଭେନ୍ଦୁ କୁମାର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।

ହ୍ୱାଇଟ୍ କାନଭାସର ମୁଖ୍ୟ ଉଲ୍ଲାସ ଚନ୍ଦ୍ର ବେହୁରା ଓ ମୁନମୁନ୍ ସିଂ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପ୍ରାରମ୍ଭରେ ଅଭିରାମ ନନ୍ଦ ଓ ଦୁଷ୍ମନ୍ତ ବେହେରା ବଂଶୀ ଓ ତବଲା ବାଦନ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ ଯୋଗ ଦେଇଥିଲେ ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button