ରାଜନୀତି

୫-ଟି ସଚିବଙ୍କ ଗସ୍ତ ପୂର୍ବରୁ ବିରୋଧ ଆରମ୍ଭ: କାନ୍ଥରୁ ଆପତ୍ତିଜନକ ନାରା ଲିଭାଗଲା – Utkal Mail


ଆଇନଶୃଂଖଳା ବିଗିଡ଼ିବା ଆଶଙ୍କାରେ ପୁଲିସ, ପ୍ରଶାସନକୁ ନିଦ ନାହିଁ

ଗୋଳନ୍ଥରା/ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍‌ ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଛନ୍ତି। ଏହାର ଦିନକ ପୂର୍ବରୁ ୫-ଟି ସଚିବଙ୍କ ଗସ୍ତକୁ ନେଇ ବିରୋଧର ସ୍ବର ଉଠିଛି। ରଂଗେଇଲୁଣ୍ଡା ବ୍ଲକ୍‌ କନିଷି ଜାତୀୟ ରାଜପଥ ଡିଭାଇଡର୍‌ରେ ପାଣ୍ଡିଆନ୍‌ ବିରୋଧୀ ନାରା ଲେଖା ହୋଇଥିବା ଦେଖିବାକୁ ମିଳିଛି। ସେହିପରି ବିଭିନ୍ନ ଦୋକାନ ଓ କାନ୍ଥରେ ମଧ୍ୟ ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ‌ଲେଖା ହୋଇଛି। ଏହି ଘଟଣା ଜିଲ୍ଲା ସାରା ଚର୍ଚ୍ଚାର ବିଷୟ ହୋଇଛି।

ଆସନ୍ତାକାଲି ୫-ଟି ସଚିବ ପାଣ୍ଡିଆନ୍‌ ଗୋପାଳପୁର ନିର୍ବାଚନମଣ୍ଡଳୀର କନିଷିସ୍ଥିତ ବାଲାଜୀ ବିଦ୍ୟାପୀଠଠାରେ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାର ୨୪ ଘଣ୍ଟା ପୂର୍ବରୁ ୫-ଟି ସଚିବଙ୍କୁ ବିରୋଧ କରି କାନ୍ଥ, ଦୋକାନ ଗୃହ, ସରକାରୀ ଅଫିସ୍‌ କାନ୍ଥ ଏବଂ ସଭାସ୍ଥଳୀରେ ବିଭିନ୍ନ ବିରୋଧୀ ସ୍ଲୋଗାନ୍‌ ଲେଖାଯାଇଥିବା ଦେଖିବାକୁ ମିଳିଛି। ଏପରି ଲେଖା କିଏ ଲେଖିଛି, ତାହା ସ୍ପଷ୍ଟ ନାହିଁ। ଏଭଳି ଘଟଣା ପ୍ରଶାସନ ଓ ପ୍ରଶାସକଙ୍କ ପାଇଁ ଯେତିକି ମୁଣ୍ଡବିନ୍ଧା ହୋଇଛି ତା’ଠାରୁ ଅଧିକ ଅଡ଼ୁଆରେ ପଡ଼ିଛି ବିଜେଡି। ଏହି ଘଟଣା ପରେ ପୁଲିସ ଓ ପ୍ରଶାସନକୁ ବିରୋଧର ଡର ଘାରିଥିବା ଜଳଜଳ ହୋଇ ଦିଶୁଛି। ଆଜି ଦିନତମାମ ପ୍ରଶାସନିକ ଅଧିକାରୀ ଓ ପୁଲିସ ଅଧିକାରୀ ସଭାସ୍ଥଳରେ ଡେରା ପକାଇଥିଲେ। ସେହିପରି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଗୋପବନ୍ଧୁ ଦାସ ପ୍ରମୁଖ ଘଟଣାସ୍ଥଳେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ସଭାସ୍ଥଳ ପରିଦର୍ଶନ କରିଥିଲେ। ପରେ କାନ୍ଥରେ ଲେଖା ହୋଇଥିବା ସେହି ଆପତ୍ତିଜନକ ସ୍ଲୋଗାନ୍‌ ଉପରେ ରଙ୍ଗ ଲେପି ଲିଭା ଯାଉଥିବା ଦେଖିବାକୁ ମିଳିଥିଲା।

ପ୍ରକାଶ ଥାଉ କି ଚଳିତ ମାସ ୧୫ ତାରିଖରେ ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଚାନ୍ଦପୁର ଗ୍ରାମ ଗସ୍ତ ବେଳେ ୫-ଟି ଏବେ ୭-ଡି ହୋଇ ସାରିଥିବା କହି ବିଭିନ୍ନ ଉଦାହରଣ ଦେଇଥିଲେ। ଏହାସହ ୫-ଟି ସଚିବଙ୍କ ଗସ୍ତ ବେଳେ ତାଙ୍କୁ ଡକା ନଗଲେ ମଧ୍ୟ ନିଜ ନିବାଚନମଣ୍ଡଳୀରେ ସରକାରୀ କାର୍ଯ୍ୟକ୍ରମ ହେଉଥିବାରୁ ସେ ସଭାସ୍ଥଳକୁ ନିଶ୍ଚିତ ଯିବେ ବୋଲି ମଧ୍ୟ ଚାଲେଞ୍ଜ୍‌ ଦେଇ କହିଥିଲେ। ୨୧ ତାରିଖରେ ବିଜେପି ଜିଲ୍ଲା ସଭାପତି ବିଭୂତି ଜେନାଙ୍କ ନେତୃତ୍ବରେ ଏକ ପ୍ରତିନିଧିଦଳ ବ୍ରହ୍ମପୁର ଏସ୍‌.ପିଙ୍କୁ ଭେଟି ଅଭିଯୋଗ କରିଥିଲେ, ୫-ଟି ସଚିବ ଜନପ୍ରତିନିଧି ଓ ପ୍ରଶାସନ ଉପରେ ଚାପ ପ୍ରୟୋଗ କରି ଆଇନଶୃଂଖଳା ବିଗିଡ଼ିଲା ଭଳି ସ୍ଥିତି ସୃଷ୍ଟି କରି ତାଙ୍କ କାର୍ଯ୍ୟକ୍ରମ କରୁଛନ୍ତି। ଏଣୁ ତୁରନ୍ତ ତାଙ୍କୁ ଗିରଫ କରାଯାଉ ବୋଲି ଦାବି କରାଯାଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button