ଆଦାନି-ହିଣ୍ଡେନ୍ବର୍ଗ ମାମଲା; ୨ଟି ମାମଲାରେ ତଦନ୍ତ ସରିନି: ସେବି – Utkal Mail
ନୂଆଦିଲ୍ଲୀ: ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଆଦାନି-ହିଣ୍ଡେନ୍ବର୍ଗ ମାମଲାର ଷ୍ଟାଟସ୍ ରିପୋର୍ଟ ସୁପ୍ରିମ କୋର୍ଟରେ ଦାଖଲ କରିଛି। ଏହି ମାମଲାରେ ଯେଉଁ ୨୪ଟି ବିଷୟର ତଦନ୍ତ କରିବା ଦାୟିତ୍ବ ଦିଆଯାଇଥିଲା ସେଥିରୁ ୨୨ଟିର ତଦନ୍ତ ଶେଷ ହୋଇଛି। ବାହ୍ୟ ଏଜେନ୍ସିରୁ ତଥ୍ୟ ମିଳିନଥିବାରୁ ୨ଟି ମାମଲାର ତଦନ୍ତ ଶେଷ ହୋଇପାରିନାହିଁ। ତଦନ୍ତର ଫଳାଫଳ ଆଧାରରେ ସେବି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୁପ୍ରିମ୍ କୋର୍ଟଙ୍କୁ ଜଣାଇଛି। ସେବିର ଅନ୍ତରୀଣ ତଦନ୍ତରେ ଆଦାନିର ୧୩ଟି ବିଦେଶ କଂପାନିକୁ ସାମିଲ କରାଯାଇଛି।
ବୈଦେଶିକ ପୋର୍ଟଫୋଲିଓ ନିବେଶ (ଏଫ୍ପିଆଇ) ଉପରେ ଏହା ପାଞ୍ଚଟି ଦେଶକୁ ତଥ୍ୟ ମାଗିଥିଲା। ଯେହେତୁ ଏହି ସଂସ୍ଥାଗୁଡ଼ିକର ସମ୍ପର୍କ ଟିକସ ଠକେଇର ସ୍ବର୍ଗ କୁହାଯାଉଥିବା ସ୍ଥାନର ବୈଦେଶିକ ନିବେଶକମାନଙ୍କ ସହ ରହିଛି, ତେଣୁ ସେମାନଙ୍କ ସ୍ବାର୍ଥ ବିଷୟରେ ଜାଣିବା ଏକ ଆହ୍ବାନ ହୋଇରହିଛି ବୋଲି ସେବି କୋର୍ଟଙ୍କୁ ଜଣାଇଛି। ଆମେରିକାର ସଂସ୍ଥା ହିଣ୍ଡେନ୍ବର୍ଗ ରିସର୍ଚ୍ଚ ଚଳିତ ବର୍ଷ ଜାନୁଆରି ୨୪ରେ ଆଦାନି ଗ୍ରୁପ୍ ବିରୋଧରେ ଏହାର ବିସ୍ଫୋରକ ରିପୋର୍ଟ ଜାରି କରି କଂପାନି ସେୟାର ମୂଲ୍ୟ ହେରଫେର, ଆକାଉଣ୍ଟିଂ ଜାଲିଆତି, ଜାଲ କଂପାନି ଗଠନ, କର୍ପୋରେଟ୍ ଗଭର୍ଣ୍ଣାସ ନିୟମକୁ ଠିକ୍ ଭାବେ ପାଳନ କରୁନଥିବା ଅଭିଯୋଗ କରିଥିଲା। କିଛି ଅଭିଯୋଗର ତଦନ୍ତ କରିବାକୁ ସେବିକୁ କୁହାଯାଇଛି।



